- padmabati kund
ଅଷ୍ଟ୍ରେଲିଆ ବିରୁଦ୍ଧରେ ଶତକ ହାସଲ ପରେ ଏହି ରେକର୍ଡ ପଛରେ ରୋହିତ ଶର୍ମା

(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୱାନ-ଡେ ସିରିଜର ପ୍ରଥମ ମ୍ୟାଚ ସିଡନୀରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ଓପନର ହିଟମ୍ୟାନ ରୋହିତ ଶର୍ମା ଖୁବ ଭଲ ବ୍ୟଟିଙ୍ଗ ପ୍ରଦର୍ଶନ କରି ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ନିଜ କ୍ୟାରିୟରର 22ତମ ଶତକ ମାରିବା ସହିତ ଏକ ଖାସ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି।
ରୋହିତ ଶର୍ମା ନିଜ କ୍ୟାରିୟରରେ 22ଟି ଶତକ ହାସଲ କରିଛନ୍ତି। ସେଥିମଧ୍ୟରୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଏହା ହେଉଛି ତାଙ୍କର ସପ୍ତମ ଶତକ। ଅଷ୍ଟ୍ରେଲିଆ ବିରୁଦ୍ଧରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟଟ୍ସମ୍ୟାନ ତାଲିକାରେ ରୋହିତ ଶର୍ମା ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ଭାରତର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକର ରହିଛନ୍ତି। ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋଟ 9ଟି ଶତକ ହାସଲ କରିଛନ୍ତି।
31ବର୍ଷୀୟ ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ 194ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଦେଖିଲେ ଜଣାପଡୁଛି ଯେ, ଅଷ୍ଟ୍ରେଲିଆ ବିରୁଦ୍ଧରେ ତାଙ୍କ ପ୍ରଦର୍ଶନ ଉନ୍ନତମାନର ହେଇଥାଏ । ରୋହିତ ଶର୍ମା ହେଉଛନ୍ତି ଏକମାତ୍ରା ଖେଳାଳୀ ଯିଏକି ଅଷ୍ଟ୍ରେଲିଆର ଚାରିଟି ଗ୍ରାଉଣ୍ଡ ଯଥା ମେଲବର୍ଣ୍ଣ, ପର୍ଥ, ବ୍ରିସବେନ ଓ ସିଡନୀ ଗ୍ରାଉଣ୍ଡରେ ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 13ଟି ଦେଶ ବିରୁଦ୍ଧରେ ଦିନିକିଆ ମ୍ୟାଚ ଖେଳିଛନ୍ତି ଓ ସେଥିମଧ୍ୟରୁ ଅଧିକ ରନ ଅଷ୍ଟ୍ରେଲିଆ ବିରୁଦ୍ଧରେ କରିଛନ୍ତି।
ଅଧିକ ରନରେ ତୃତୀୟ
ଏହାସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ତାଲିକାରେ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସେ ଅଷ୍ଟ୍ରେଲିଆର ପୂର୍ବ ଖେଳାଳୀ ଆଡମ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିରୁଦ୍ଧରେ 29ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଓ 1622 ରନ ସଂଗ୍ରହ କରିଛନ୍ତି।ଏହି ତାଲିକାରେ ମଧ୍ୟ ପ୍ରଥମ ସ୍ଥାନରେ ସଚିନ ତେନ୍ଦୁଲକର ଅଛନ୍ତି। ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋଟ 71ଟି ଦିନିକିଆ ମ୍ୟାଚ ଖେଳି 3077ରନ ସଂଗ୍ରହ କରିଛନ୍ତି।
ତେବେ ରୋହିତ ଶର୍ମା ଶତକ ହାସଲ କରିବା ପରେ ମଧ୍ୟ ଭାରତୀୟ ଦଳକୁ ଜିତାଇ ପାରିନାହାନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 34ରେ ହରାଇ ବର୍ତ୍ତମାନ ସିରିଜରେ 1-0 ଆଗୁଆ ରହିଛି। ଉଭୟ ଦଳ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଆସନ୍ତା ଜାନୁୟାରୀ 15 ତାରିଖରେ ଆଡିଲେଡ ଗ୍ରାଉଣ୍ଡରେ ଖେଳାଯିବ।