• ବେତାର ବ୍ୟୁରୋ

ଯୋଗୀଙ୍କ ନିଷ୍ପତ୍ତି : ଉତ୍ତର ପ୍ରଦେଶରେ ବୁଲା ଗୋରୁ ରହିବେ ଜେଲରେ


(ବେତାର ବ୍ୟୁରୋ) ଉତ୍ତର ପ୍ରଦେଶରେ ଗୋହତ୍ୟା ଆଇନ ଯୋଗୀ ସରକାର ଆସିବା ପରଠାରୁ କଡାକଡି ଭାବେ ଲାଗୁ ହେବା ପରେ ସେଠାରେ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁ ଚାଷୀମାନେ ଗୋରୁମାନଙ୍କୁ ବିକ୍ରି କରୁଥିଲେ ସେମାନେ ଗୋରୁ ବିକ୍ରି ନ ହେଇ ପାରିବାରୁ ସେଗୁଡିକ ରାସ୍ତାକୁ ଛାଡି ଦେଉଛନ୍ତି , ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ୟ ହେଉଛି ।

ଏହାର ଉପାୟ ପାଇଁ ଯୋଗୀ ସରକାର ସେଠାରେ ପଶୁପାଳନ ଗୃହ ନିର୍ମାଣ କରିବାକୁ ଯୋଜନା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଇ ପାରି ନାହିଁ । ଏଣେ ରାସ୍ତାରେ ବୁଲାଗୋରୁ ସମସ୍ୟା ବଢିଥିବାରୁ ସେମାନଙ୍କର ଥଇଥାନ ପାଇଁ ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି ବୁଲାଗୋରୁ ଗୁଡିକ ରାଜ୍ୟର ଜେଲ ମାନଙ୍କରେ ଥିବା ଖାଲି ପଡିଆମାନଙ୍କରେ ରହିବେ ।

ଏହି ବ୍ୟବସ୍ଥା ଅନୁସାରେ ଉତ୍ତର ପ୍ରଦେଶର ବିଭିନ୍ନ ଜେଲରେ ଥିବା ଖାଲି ପଡିଆ ଅଞ୍ଚଳରେ ପ୍ରାଚୀର ନିର୍ମାଣ କରାଯିବ ଓ ସେଗୁଡିକ ଗୌସେବା କେନ୍ଦ୍ର କୁହାଯିବ ।

କଏଦୀ କରିବେ ସେବା

ରାଜ୍ୟର କମିଶନରଙ୍କ ତରଫରୁ ଏ ସଙ୍କ୍ରାନ୍ତରେ ସମସ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖା ଯାଇ ଖାଲି ପଡିଥିବା ପଡିଆ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ମଗା ଯାଇଛି ଓ ଯେଉଁଠି ପଡିଆ ସହିତ ପ୍ରାଚୀରର ବ୍ୟବସ୍ଥା ଅଛି ସେଠାରେ ବୁଲାଗୋରୁଙ୍କୁ ଜାନୁଆରୀ 31 ତାରିଖ ସୁଦ୍ଧା ରଖିବାର ନିର୍ଦ୍ଦେଶ ଦିଆଯାଇଛି ।

ଏହି ବ୍ୟବସ୍ଥାରେ ଜେଲର କଏଦୀ ମାନେ ଗୋସେବା କରିବେ ଓ ଏହା ବାବଦକୁ ସେମାନଙ୍କୁ ମାସିକ ପାରିଶ୍ରମିକ ମଧ୍ୟ ମିଳିବ । ଏହି କେନ୍ଦ୍ରରୁ ହେଉଥିବା ଦୁଗ୍ଧ ଉତ୍ପାଦନ ଜେଲରେ ବ୍ୟବହୃତ ହେବ । ତେବେ ଗୋରୁଙ୍କ ନିମନ୍ତେ ଚାରା ବନ୍ଦୋବସ୍ତ ଜେଲ ମାନଙ୍କୁ ନିଜେ କରିବାକୁ ପଡିବ ଓ ସେମାନେ ଏଥିପାଇଁ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ଅନୁରୋଧ କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଲା ଗୋରୁଙ୍କ ଥଇଥାନ ବିଷୟରେ ଉଚିତ ପଦକ୍ଷେପ ଜାନୁୟାରୀ 10 ତାରିଖ ସୁଦ୍ଧା ନେବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଜାରି ହେଇଥିଲା । ତେବେ ସେଭଳି କିଛି ପଦକ୍ଷେପ ନିଆ ନ ଯିବାରୁ ଯୋଗୀ ସରକାର ଗୋରୁ ଗୁଡିକୁ ଜେଲରେ ରଖିବାର ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ଆଗରୁ ଗୋରୁ ମାନଙ୍କ ଯତ୍ନ ନିମନ୍ତେ ରାଜ୍ୟ ସରକାର ପଶୁକଲ୍ୟାଣ ସେସ୍ ଲାଗୁ କରିବାର ନିଷ୍ପତ୍ତି ନେଇସାରିଛନ୍ତି ।

ଜେଲରେ ଗୋସେବା କେନ୍ଦ୍ର ଖୋଲିବାର ଯୋଜନା ଉତ୍ତର ପ୍ରଦେଶରେ ପୂର୍ବରୁ ଥରେ କାର୍ଯ୍ୟକାରୀ ହେଇସାରିଛି । ଲକ୍ଷ୍ନୌ ସ୍ଥିତ ଏକ ଜେଲରେ ଏହିପରି ଏକ କେନ୍ଦ୍ର ସଫଳ ହେବାରୁ ତାହାକୁ ଡାଏରୀ ଫାର୍ମ ଭାବେ ବିକଶିତ କରାଯାଇଛି ।

#cow #Yogi #governmentrule #UP

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon