- padmabati kund
ଏଣିକି ଅନଲାଇନରେ ହେବ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ

(ବେତାର ବ୍ୟୁରୋ) ସାଧାରଣ ଲୋକମାନଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପାଇଁ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବାକୁ ପଡିଥାଏ। ଏହି ଅସୁବିଧାକୁ ଦୂର କରିବା ପାଇଁ ପରିବହନ ବିଭାଗ ତରଫରୁ ଗତ ବୁଧବାର ପରୀକ୍ଷାମୂଳକ ଭାବେ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ‘ଆଇଟି କିୟୋସ୍କୋ ଫର ସିଟିଜେନ’ ସେବା ଆରମ୍ଭ ହୋଇଯାଇଛି। ଏହି ସେବା ଆରମ୍ଭ ହେବା ପରେ ଏଣିକି ପରିବହନ ବିଭାଗର ସମସ୍ତ ଟିକସ ସହିତ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ମଧ୍ୟ ଅନଲାଇନରେ ଆବେଦନ କରିପାରିବେ।
ଏଠାରେ ଏହି ସେବା ସଫଳ ହେବା ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି ସେବା ଉପଲବ୍ଧ କରାଯିବ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏହି ସେବା ଉପଲବ୍ଧ ହେବା ପରେ ଲୋକମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହେବାକୁ ପଡିବ ନାହିଁ। କର୍ମଚାରୀଙ୍କ ବିନା ସହାୟତାରେ ଗାଡି ନମ୍ବରକୁ ମେସିନରେ ମାରି ଗାଡିର ତଥ୍ୟ ଜାଣିପାରିବେ। ଅନ୍ୟ ଆରଟିଓ କାର୍ଯ୍ୟାଳୟରେ ଥିବା ଗାଡିର ତଥ୍ୟ ମଧ୍ୟ ଏହି ମେସିନରେ ଜାଣିପାରିବେ।
ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରିବାଠାରୁ ଆରମ୍ଭ କରି ଗାଡିର ଟ୍ୟାକ୍ସ ଭରିବା ଓ ଗାଡିର ସମସ୍ତ ତଥ୍ୟ ଯାଞ୍ଚ କରିବାର ସୁବିଧା ଏଥିରେ ରହିଛି। ଏହି ମେସିନକୁ ବ୍ୟବହାର କରିବାରେ ଲୋକମାନଙ୍କୁ ସହାୟତା କରିବା ପାଇଁ ଟ୍ରାଫିକ ପୋଲିସ ଭଲେଣ୍ଟିୟର୍ସ ଛାତ୍ରମାନେ ରହି ସାହାଯ୍ୟ କରିବେ।
ଏହି ମେସିନରେ ଉପଲବ୍ଧ ଥିବା ସେବା ଗୁଡିକ ହେଉଛି ଡ୍ରାଇଭିଙ୍ଗ ଲାଇସେନ୍ସ ସମ୍ବନ୍ଧୀୟ,ଯାନବାହାନ ସମ୍ବନ୍ଧୀୟ, ଫ୍ୟାନ୍ସି ନମ୍ବର, ପ୍ରଶ୍ନୋତ୍ତର, ଭିସିଆର ଯାଞ୍ଚ କରିବା, ବସ ପରମିଟ୍ ସେବା ଓ ନୂତନ ସୂଚନା ପାଇବା ପାଇଁ ବ୍ୟବସ୍ଥା ରହିଛି। ଲୋକମାନେ ଯେପରି ଏହାକୁ ସହଜରେ ଅପରେଟିଂ କରିପାରିବେ ସେଥିପାଇଁ ମେସିନରେ ଉଭୟ ଓଡିଆ ଓ ଇଂରାଜୀ ଭାଷାକୁ ରଖାଯାଇଛି।
ଏହାସହିତ ଯେଉଁମାନଙ୍କ ପାଖରେ ଏଟିଏମ କାର୍ଡ ଓ ଅନଲାଇନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ଥିବା ସେମାନେ ଏହି ମେସିନ ସାହାଯ୍ୟରେ ଟ୍ୟାକ୍ସ ମଧ୍ୟ ଜମା କରିପାରିବେ। ଟ୍ୟାକ୍ସ ଜମା କରିବା ପରେ ଜମାକାରୀଙ୍କ ମୋବାଇଲ ନମ୍ବରକୁ ଗୋଟିଏ ମେସେଜ ଆସିବ। ଏହି ମେସେଜ ପାଇବାର ଗୋଟିଏ ଘଣ୍ଟା ପରେ ନୂତନ ଡାଟା ଅପଡେଟ ହୋଇଯିବ। ପରେ ଚାହିଁଲେ ପୁଣି ଗାଡି ନମ୍ବର ମାରି ଟଙ୍କା ଜମା ହୋଇଛି ନା ନାହିଁ ଯାଞ୍ଚ କରିପାରିବେ।
ତେବେ ଏହି ମେସିନରେ ଅର୍ଥ ଜମା କରିବା ପରେ କୌଣସି ରସିଦ ମିଳିବ ନାହିଁ। ମେସିନରେ ଉପଲବ୍ଧ ଥିବା ଯେକୌଣସି ସେବାକୁ ବ୍ୟବହାର କରିବା ପରେ ବ୍ୟବହାରକାରୀଙ୍କ ମୋବାଇଲକୁ ମେସେଜ ଆସିବ।