- padmabati kund
କଫ, ରକ୍ତଚାପ କମାଇବା ପାଇଁ ଖାଆନ୍ତୁ ଏହି ଚାରି ଶାଗ

(ବେତାର ବ୍ୟୁରୋ) ଶୀତଦିନରେ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଖାଦ୍ୟପେୟ ପ୍ରତି ସଚେତନ ନରହିଲେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ। ପାଣିପାଗରେ ପରିବର୍ତ୍ତନ ଯୋଗୁଁ ସାମାନ୍ୟ ଅବହେଳା କରିବା ମାତ୍ରେ ଥଣ୍ଡା,କାଶ ଓ ଜ୍ଵର ହୋଇଥାଏ। ଏହାସହିତ ଶୀତଦିନେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ଓ ସୂର୍ଯ୍ୟକିରଣ କମ ପଡୁଥିବାରୁ ଶରୀରରେ ରକ୍ତ ସଂଚାଳନ ମଧ୍ୟ ସଠିକ ଭାବରେ ହୋଇନଥାଏ।
ଏଥିପାଇଁ ଶୀତଦିନେ ଶାଗ ଖାଇବା ନିହାତି ଜରୁରୀ। ଶାଗରେ ଅନେକ ପୋଷାକ ତତ୍ତ୍ଵ ରହିଥାଏ ଓ ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଜାଣିରଖନ୍ତୁ ଶୀତଦିନେ କେଉଁ କେଉଁ ଶାଗ ଖାଇଲେ କଣ ଫାଇଦା ମିଳିଥାଏ ଜାଣନ୍ତୁ।
୧.ସୋରିଷ ଶାଗ: ଏହି ଶାଗ ବହୁତ ସ୍ଵାଦିଷ୍ଟ ହୋଇଥାଏ ଓ ଶୀତଦିନେ ଏହି ଶାଗ ଖାଇବା ଦ୍ଵାରା ଶରୀର ମଧ୍ୟ ସୁସ୍ଥ ରହିଥାଏ। ସୋରିଷ ଶାଗରେ କାର୍ବୋହାଇଡ୍ରେଟ, ଫାଇବର, ସୁଗାର, ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ଡି, ଭିଟାମିନ-ବି୧୨, ମାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ଦୂର କରିବାରେ ସାହାଯ୍ୟ କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।

୨.ମେଥି ଶାଗ: ଶୀତଦିନେ ଏହି ଶାଗ ବହୁତ ଉପଲବ୍ଧ ହୋଇଥାଏ। ମେଥିରେ ପ୍ରୋଟିନ, ଫାଇବର, ଭିଟାମିନ-ସି, ନିୟାସିନ, ପୋଟାସିୟମ, ଆଇରନ ରହିଥାଏ। ଏହାସହିତ ଏଥିରେ ଫୋଲିକ ଏସିଡ, ମାଗ୍ନେସିୟମ, ସୋଡିୟମ, ଜିଙ୍କ, କପର ମଧ୍ୟ ରହିଥାଏ ଯାହାକି ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା ଆମ ପେଟ ପାଇଁ ବହୁତ ଉପକାରୀ ହୋଇଥାଏ। ମେଥି ଶାଗ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ, ମଧୁମେହ, ବଦହଜମି ଦୂର ହୋଇଥାଏ।
୩.ପାଳଙ୍ଗ ଶାଗ: ଏହି ଶାଗରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର, ଓମେଗା-୩ ପ୍ରଚୁର ପରିମାଣରେ ରହିଥାଏ। ଏହାସହିତ ଏଥିରେ କ୍ୟାଲୋରୀ ମଧ୍ୟ କମ ପରିମାଣର ଥାଏ। ୧୦୦ଗ୍ରାମ ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ନାଇଟ୍ରେଟ ରହିଥାଏ ଯାହାକି ରକ୍ତଚାପ ନିୟନ୍ତ୍ରିତ କରିଥାଏ ଓ ହୃଦରୋଗକୁ ମଧ୍ୟ ଦୂରେଇ ରଖିଥାଏ।

୪. କୋଶଳା ଶାଗ: ଏହି ଶାଗରେ କାର୍ବୋ ହାଇଡ୍ରେଟ, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ-ଇ, ମିନେରାଲ ଓ ଆଇରନ ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଭାବରେ ଏହାକୁ ଖାଇବା ଦ୍ଵାରା ଶରୀରରେ ଭିଟାମିନର ଅଭାବକୁ ପୂରଣ କରିଥାଏ। ଏହାସହିତ ଏହି ଶାଗ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ଓ କଫ ମଧ୍ୟ ଦୂର କରିଥାଏ।