• padmabati kund

ଯାଦବ ଓ ଧୋନିଙ୍କ ଧମାଲ୍: ଅଷ୍ଟ୍ରେଲିଆରେ ସିରିଜ ଜିଣିଲା ଭାରତ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଯାଇଛି। ଏହାସହିତ ଏହି ଦିନିକିଆ ସିରିଜରେ ୨-୧ରେ ଐତିହାସିକ ବିଜୟ ହାସଲ କରି ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଦ୍ଵିପାକ୍ଷୀୟ ଦିନିକିଆ ସିରିଜ ଜିତିବାରେ ସଫଳ ହୋଇଛି।

ସିରିଜର ତୃତୀୟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଇଥିଲା ଓ ଭାରତ ଆଗରେ ବିଜୟ ପାଇଁ ଅଷ୍ଟ୍ରେଲିଆ ୨୩୧ରନର ଲକ୍ଷ୍ୟ ରଖିଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ୮୭ରନ ଓ କେଦାର ଯାଦବଙ୍କ ୬୧ରନ ବଳରେ ଭାରତୀୟ ଦଳ ୭ୱିକେଟ ଥାଇ ୪୯.୨ଓଭରରେ ୨୩୧ରନର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା।

ମହଙ୍ଗା ପଡିଲା ଦୁଇ କ୍ୟାଚ ଡ୍ରପ

ଭାରତୀୟ ଦଳକୁ ମ୍ୟାଚ ଜିତିବାରେ ଧୋନିଙ୍କ ମୁଖ୍ୟ ଭୂମିକା ରହିଥିଲା। ଧୋନିଙ୍କ ୮୭ ରନ ବଳରେ ଭାରତ ଏହି ବିଜୟ ହାସଲ କରିବାରେ ସଫଳ ହୋଇପାରିଥିଲା। ତେବେ ମ୍ୟାଚରେ ଅଷ୍ଟ୍ରେଲିଆ ଧୋନିଙ୍କୁ ଦୁଇଥର ଜୀବନଦାନ ଦେଇଥିଲା। ୧୬ଓଭରରେ ଧୋନି ଯେତେବେଳେ ୦ରନରେ ବ୍ୟାଟିଂ କରୁଥିଲେ ସେହି ସମୟରେ ମାକ୍ସୱେଲ ଧୋନିଙ୍କର ଏକ ସହଜ କ୍ୟାଚ ଛାଡି ଦେଇଥିଲେ। ଏହାପରେ ୨୨ତମ ଓଭରରେ ରନଆଉଟ ସମୟରେ ଦ୍ଵନ୍ଦହେଇଥିଲା ହେଲେ ଥାର୍ଡ ଅମ୍ପାୟାର ପରେ ତାଙ୍କୁ ନଟ ଆଉଟ ଘୋଷଣା କରିଥିଲେ।

ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଙ୍ଗ କରିବା ପାଇଁ ଆସିଥିଲେ ଓ ନିଜ କ୍ୟାରିୟରର ୭୦ତମ ଅର୍ଦ୍ଧଶତକ ଲଗାଇବା ସହିତ ୮୭ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଏହି ସିରିଜରେ ସେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ସିରିଜରେ ତିନୋଟି ମ୍ୟାଚରୁ ମୋଟ ୧୯୩ ରନ ସଂଗ୍ରହ କରି ସେ ମ୍ୟାନ ଅଫ ଦ ସିରିଜ ହୋଇଛନ୍ତି।

ଏହାସହିତ ସେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦିନିକିଆ କ୍ରିକେଟରେ ୧୦୦୦ରନ ମଧ୍ୟ ପୁରା କରିଛନ୍ତି। ଏହି ମ୍ୟାଚ ପୂର୍ବରୁ ଧୋନି ୧୦୦୦ରନ ପୁରା କରିବା ପାଇଁ ୩୪ରନ ପଛରେ ଥିଲେ। ଧୋନିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମା ଏହି ଉପଲବ୍ଧି ହାସଲ କରିଛନ୍ତି।

ଚହଲଙ୍କ ବିଶ୍ଵ ରେକର୍ଡ

ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ତୃତୀୟ ଦିନିକିଆରେ ଭାରତୀୟ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଙ୍ଗ କରି ବିଶ୍ଵ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ ଚହଲ ୧୦ଓଭର ବୋଲିଙ୍ଗ କରି ୪୨ରନ ଦେଇଥିଲେ ଓ ମୋଟ ୬ଟି ୱିକେଟ ନେଇଥିଲେ। ଏହାସହିତ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଜଣେ ଭାରତୀୟ ସ୍ପିନ ବୋଲର ଭାବରେ ଦିନିକିଆ କ୍ରିକେଟରେ ୬ଟି ୱିକେଟ ନେବାରେ ପ୍ରଥମ ବୋଲର ହୋଇପାରିଛନ୍ତି। ଚହଲଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ କୌଣସି ସ୍ପିନରର ମଧ୍ୟ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହି ପ୍ରଦର୍ଶନ ପାଇଁ ଚହଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ଦିଆଯାଇଛି।

ସିରିଜର ପ୍ରଥମ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯାଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ଦଳ ୩୪ରନରେ ବିଜୟ ହାସଲ କରିଥିଲା। ଆଡିଲେଡରେ ଖେଲାଯାଇଥିବା ଦ୍ଵିତୀୟ ମ୍ୟାଚରେ ଭାରତ ୬ୱିକେଟରେ ମ୍ୟାଚକୁ ଜିତି ସିରିଜକୁ ୧-୧ରେ ସମାନ କରିଥିଲା। ଏହାପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜକୁ ୨-୧ରେ ଜିତିଥିଲା।

#cricket #indvsaus #indiawin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon