- padmabati kund
ଏଲ.ଓ.ସିରେ ଗୁଳି ବର୍ଷା : ପାକିସ୍ଥାନ ସେନାକୁ ଦିନ 10ଟା ପୂର୍ବରୁ କୁଆଡେ ନ ଯିବାକୁ ନିର୍ଦ୍ଦେଶ

(ବେତାର ବ୍ୟୁରୋ) ଭାରତ ଓ ପାକିସ୍ଥାନ ସୀମାରେ ଥିବା ନିୟନ୍ତ୍ରଣ ରେଖାରେ ସିଜଫାୟାରର ଲଗାତର ଉଲ୍ଲଂଘନ କରୁଥିବା ପାକିସ୍ଥାନକୁ ଭାରତୀୟ ସେନା କଡା ଉତ୍ତର ଦେବା ପରେ ପାକିସ୍ଥାନ ଭୟଭୀତ ହୋଇଯାଇଛି। ସୂଚନା ମୁତାବକ ଗତ ପାଞ୍ଚଦିନ ମଧ୍ୟରେ ଭାରତୀୟ ସେନା ତରଫରୁ କଡା କାର୍ଯ୍ୟବାହୀ କରାଯାଇଛି ଓ ଏହାଫଳରେ ପାକିସ୍ଥାନ ସେନା ପଛଘୁଞ୍ଚା ଦେବା ସହିତ ଅଧିକ ସତର୍କ ରହିବାକୁ ଲାଗିଛି।
ଗୁଇନ୍ଦା ବିଭାଗର ରିପୋର୍ଟ ମୁତାବକ ଗତ ଜାନୁୟାରୀ 16 ତାରିଖରେ ପାକିସ୍ଥାନ ସେନା ନିଜର କୋଟଲି ବିଗ୍ରେଡଙ୍କୁ ନିର୍ଦ୍ଦେଶ ଜାରି କରି ସତର୍କ ରହିବା ପାଇଁ କହିଛନ୍ତି। ପାକିସ୍ଥାନ ଅଧୀନରେ ଥିବା କାଶ୍ମୀର ଅର୍ଥାତ ପି.ଓ.କେ(ପାକିସ୍ଥାନ ଅକ୍ୟୁପାଇଡ କାଶ୍ମୀର) ରେ ପାକିସ୍ଥାନର କୋଟଲି ବିଗ୍ରେଡ ରହିଛି। ଏହା ଭାରତର ମେନ୍ଧାର ଓ ରଜୌରୀ ଅଞ୍ଚଳର ବିପରୀତ ପାର୍ଶ୍ଵରେ ରହିଛି।
ବିଗ୍ରେଡର ସମସ୍ତ ସଂଗଠନକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ସକାଳ 10ଟା ପୂର୍ବରୁ କୌଣସି ଗତିବିଧି କରିବେ ନାହିଁ, କାରଣ ସୀମା ଉପରେ ଫାୟାରିଙ୍ଗ ସାଧାରଣତଃ ସକାଳ 4ଟାରୁ 8ଟା ମଧ୍ୟରେ ହୋଇଥାଏ ଓ ସ୍ନାଇପର ଆକ୍ରମଣ ମଧ୍ୟ ଏହି ସମୟରେ ହୋଇଥାଏ। ବାଟାଲିୟନ ମୁଖ୍ୟକାର୍ଯ୍ୟାଳୟ ସହିତ ତାଳମେଳ ରଖି ଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ନିଜ ଅବଜରଭେସନ ପୋଷ୍ଟରେ ଦଶ ଜଣଙ୍କ ଠାରୁ ଅଧିକ ଲୋକ ଏକ ଗ୍ରୁପ କରି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଭାରତୀୟ ସେନାଠାରୁ କଡା ଉତ୍ତର ପାଇବା ପରେ ଭୟଭୀତ ହୋଇ ପାକିସ୍ଥାନୀ ସେନା ପି.ଓ.କେରେ ସତର୍କ ରହିବା ପାଇଁ ହାଇ ଆଲର୍ଟ ଜାରିକରିଛି। ଭାରତୀୟ ସେନାଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ, ସେମାନେ ଏଲ.ଓ.ସି (ଲାଇନ ଅଫ କଣ୍ଟ୍ରୋଲ) ଅର୍ଥାତ ସୀମାରେଖାରେ ପାକିସ୍ଥାନକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି। ମଙ୍ଗଳବାର ସେନା ଦିବସରେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ପାକିସ୍ଥାନକୁ କଡା ଚେତାବନୀ ମଧ୍ୟ ଦେଇଥିଲେ। ଜେନେରାଲ ରାୱତ କହିଥିଲେ ଯେ, ପାକିସ୍ଥାନ ସୀମାରେ ଆତଙ୍କବାଦୀ ଗତିବିଧିକୁ ଦୂର କରିବା ପାଇଁ ଭାରତୀୟ ସେନା କଠିନ ପଦକ୍ଷେପ ନେବାକୁ ପଛାଇବ ନାହିଁ।
ଗୁରୁବାର ଉତ୍ତରାଞ୍ଚଳ ଆର୍ମୀ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ ରଣବୀର ସିଂ ମଧ୍ୟ କହିଥିଲେ, “ପାକିସ୍ଥାନ ଯାହାବି ଭୁଲ କାମ କରିବ ତାହାର କଡା ଉତ୍ତର ଦିଆଯିବ। ମୁଁ ସମସ୍ତଙ୍କୁ ବିଶ୍ଵାସ ଦେବା ପାଇଁ ଚାହୁଁଛି ଯେ, ଭାରତୀୟ ସେନା ପାକିସ୍ଥାନ ଠାରୁ ଗୋଟିଏ ପାଦ ଆଗରେ ରହିଛି। ଯଦି ପାକିସ୍ଥାନ କିଛି ଭୁଲ କାର୍ଯ୍ୟବାହୀ କରେ ତେବେ ତାଙ୍କୁ ଠିକ ସେହିପରି ଭାବରେ ଉତ୍ତର ଦିଆଯିବ।“