• padmabati kund

ଆଇସିସି ଆୱାର୍ଡରେ ହାଟ୍ରିକ ଲଗାଇଲେ ଭାରତର ଅଧିନାୟକ ବିରାଟ କୋହଲି


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି 2018ରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଏଥିପାଇଁ ପୁରସ୍କାର ଭାବରେ ଆଇସିସି ଆୱାର୍ଡ ମଧ୍ୟ ମିଳିଛି। ଇଣ୍ଟରନାସିନାଲ କ୍ରିକେଟ କାଉନସିଲ (ICC) ତରଫରୁ ଜାନୁୟାରୀ 22 ତାରିଖ ମଙ୍ଗଳବାର ଦିନ 2018 ପାଇଁ ଆୱାର୍ଡର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ଭାରତୀୟ ଦଳର ଅଧିନାୟକଙ୍କୁ ତିନୋଟି ମୁଖ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବିରାଟଙ୍କୁ ଆଇସିସି ପୁରୁଷ କ୍ରିକେଟର ଅଫ ଦ ଇୟର, ଆଇସିସି ପୁରୁଷ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଓ ଆଇସିସି ପୁରୁଷ ୱାନଡେ କ୍ରିକେଟର ଅଫ ଦ ଇୟର ବଛାଯାଇଛି। ଏହିପରି ଭାବରେ ବିରାଟ ଆଇସିସି ଆୱାର୍ଡରେ ହାଟ୍ରିକ ମାରିଛନ୍ତି। 

ବିରାଟ କୋହଲି 2018ରେ ମୋଟ 13ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ 1322ରନ ସଂଗ୍ରହ କରିଛନ୍ତି। ଏଥିରେ 5ଟି ଶତକ ମଧ୍ୟ ସାମିଲ ରହିଛି। ସେହିପରି 14ଟି ୱାନଡେ ମ୍ୟାଚ ଖେଳି 1202ରନ ସଂଗ୍ରହ କରିଛନ୍ତି ଓ ସେଥିରେ 6ଟି ଶତକ ସାମିଲ ରହିଛି। ସେହିପରି 10ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି 211 ରନ ସଂଗ୍ରହ କରିଛନ୍ତି। ଏହିପରି ଭାବରେ ସେ 2018ବର୍ଷରେ ସେ ମୋଟ 37ଟି ମ୍ୟାଚରେ 68.37 ହାରରେ ରନ ସଂଗ୍ରହ କରିଛନ୍ତି।

ଆଇସିସି ୱାନଡେ ଟିମ ଅଫ ଦ ଇୟର

2018ରେ ଖେଳାଳୀଙ୍କ ପ୍ରଦର୍ଶନକୁ ଦେଖି ଆଇସିସି ତରଫରୁ ‘ୱାନଡେ ଟିମ ଅଫ ଦ ଇୟର’ ମଧ୍ୟ ଘୋଷଣା କରାଯାଇଛି। ଏହି ଦଳରେ ଭାରତ ଓ ଇଂଲଣ୍ଡର ଚାରି ଜଣ ଲେଖାଏଁ ଖେଳାଳୀ ସାମିଲ ହୋଇଛନ୍ତି। ଏହି ଦଳରେ ମଧ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଧିନାୟକ ଭାବେ ବଛାଯାଇଛି। ଭାରତ ଓ ଇଂଲଣ୍ଡ ବ୍ୟତୀତ ନ୍ୟୁଜଲାଣ୍ଡ, ବାଂଲାଦେଶ ଓ ଆଫଗାନିସ୍ଥାନର ଜଣେ ଜଣେ ଖେଳାଳୀ ସାମିଲ ଅଛନ୍ତି।

ଏହି ଦଳରେ ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା, ଜସପ୍ରୀତ ବୁମରାହ, କୁଳଦୀପ ଯାଦବ ମଧ୍ୟ ସାମିଲ ହୋଇଛନ୍ତି। ଇଂଲଣ୍ଡର ଅଧିନାୟକ ଜୋ ରୁଟ, ଓପନର ଜନି ବେୟାରଷ୍ଟୋ, ୱିକେଟକିପର ଜସ ବଟଲର ଓ ବେନ ଷ୍ଟୋକ୍ସଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହାସହିତ ନ୍ୟୁଜଲାଣ୍ଡର ରସ ଟୟଲର, ବାଂଲାଦେଶର ବୋଲର ମୁସ୍ତଫିଜୁର ରେହମାନ ଓ ଆଫଗାନିସ୍ଥାନର ରାସିଦ ଖାନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

2018ରେ ଭାରତ ମୋଟ 20ଟି ଦିନିକିଆ ମ୍ୟାଚ ଖେଳିଛି। ସେଥିମଧ୍ୟରୁ 14ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ 2ଟି ମ୍ୟାଚ ଟାଇ ରହିଥିଲା ଓ 4ଟି ମ୍ୟାଚ ହାରିଯାଇଥିଲା। କେବଳ ଇଂଲଣ୍ଡ ଦଳ ଭାରତଠାରୁ ଅଧିକ ମ୍ୟାଚ ଜିତିଛି। ଇଂଲଣ୍ଡ ମୋଟ 24ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ 17ଟି ମ୍ୟାଚରେ ଜିତିଛି ଓ 6ଟି ମ୍ୟାଚରେ ହାରିଯାଇଥିଲା। ସବୁଠାରୁ ଅଧିକ ଦିନିକିଆ ମ୍ୟାଚ ଜିତିବାରେ ବାଂଲାଦେଶ (13ଟି) ତୃତୀୟ ସ୍ଥାନରେ, ଆଫଗାନିସ୍ଥାନ (12ଟି) ଚତୁର୍ଥ ସ୍ଥାନରେ ଓ ଦକ୍ଷିଣ ଆଫ୍ରିକା (9ଟି) ପଞ୍ଚମ ସ୍ଥାନରେ ରହିଛି।  

#cricket #viratkohli #ICCawards

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon