• ବେତାର ବ୍ୟୁରୋ

ଜାଣନ୍ତୁ : କିପରି ଡାଉନଲୋଡ କରିବେ +2 ପରୀକ୍ଷା ଆଡମିଟ କାର୍ଡ


(ବେତାର ବ୍ୟୁରୋ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ଦ୍ଵାରା ପରିଚାଳିତ +2 କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆସନ୍ତା ମାର୍ଚ୍ଚ 7 ତାରିଖରେ ଅନୁଷ୍ଠିତ ହେବ। ତେବେ ଏଥିପାଇଁ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁୟାରୀ 28ତାରିଖରୁ ଫେବୃୟାରୀ 8 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରୁ ନିଜ ଆଡମିଟ କାର୍ଡ ଡାଉନଲୋଡ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ଜାନୁୟାରୀ 22 ତାରିଖ ମଙ୍ଗଳବାରରୁ ଏହି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ପୂର୍ବରୁ ଜାନୁୟାରୀ 26ତାରିଖ ସାଧାରଣତନ୍ତ୍ର ଦିବସ ଓ ଜାନୁୟାରୀ 27ତାରିଖ ରବିବାର ଯୋଗୁଁ ଛୁଟି ଥିବାରୁ ଜାନୁୟାରୀ 22 ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିବାକୁ ନିଷ୍ପତ୍ତି ନିଆଯାଇଛି।

କିପରି ଡାଉନଲୋଡ କରିବେ

ଏହି ଆଡମିତ କାର୍ଡ ଡାଉନଲୋଡ କରିବା ପାଇଁ ପ୍ରାର୍ଥୀଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ର ଅଫିସିଆଲ ୱେବସାଇଟ www.chseodisha.nic.in ରେ ଲଗଇନ କରିବାକୁ ପଡିବ। ଏହାପରେ ପେଜରେ ଥିବା CHSE ଆଡମିଟ କାର୍ଡ ଡାଉନଲୋଡ ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ଅନ୍ୟ ଏକ ପେଜ ଖୋଲିଯିବ। ଏହି ପେଜରେ ଛାତ୍ରଛାତ୍ରୀମାନେ ନିଜ ନାମ, ରେଜିଷ୍ଟ୍ରେସନ ଓ ଜନ୍ମ ତାରିଖ ଲେଖି ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।  

ଚଳିତ ବର୍ଷ +2 କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ବାର୍ଷିକ ପରୀକ୍ଷା 1091ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ଏବଂ ଏଥିରେ 3ଲକ୍ଷ 67ହଜାର 500 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ କଳା ବିଭାଗରେ ସର୍ବାଧିକ 2ଲକ୍ଷ 34ହଜାର ଛାତ୍ରଛାତ୍ରୀ, ବିଜ୍ଞାନରେ 90ହଜାର, ବାଣିଜ୍ୟରେ 27,500 ଓ ଧନ୍ଦାମୂଳକ ଶିକ୍ଷାରେ 7,500 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେଶନ, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ଵ ବିଜ୍ଞାନ, ଶିକ୍ଷା, ବୈଷୟିକ ପ୍ରଯୁକ୍ତି ବିଦ୍ୟା, ମନସ୍ତତ୍ତ୍ଵ, ନୃତତ୍ତ୍ଵ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ, ନାଟକ, ଓଡିଶୀ କଣ୍ଠ ସଙ୍ଗୀତ,ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ଓଡିଶୀ ନୃତ୍ୟ, ଛଉ ନୃତ୍ୟ, ପଖୱାଜ, ତବଲା, ଭାଓଲୀନ, ବଂଶୀ, ସିତାର ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ସିସିଟିଭି ବାଧ୍ୟତାମୂଳକ

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ କହିଛନ୍ତି ଯେ, ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ପରୀକ୍ଷା କରାଯିବ ନାହିଁ। ଭୁବନେଶ୍ଵର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, କଟକ ରେଭେନ୍ସା ମହାବିଦ୍ୟାଳୟ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଯୁକ୍ତଦୁଇ କଲେଜ ଥିବାରୁ ସେଠାରେ ପରୀକ୍ଷା କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସ୍ଥାପନ ପାଇଁ କୁହାଯାଇଛି।

ପରୀକ୍ଷାରେ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ କେନ୍ଦ୍ର ପରିସରରେ ପରୀକ୍ଷାର୍ଥୀଙ୍କ ସମେତ କେନ୍ଦ୍ର ଅଧୀକ୍ଷକ, ନିରୀକ୍ଷକ, ପର୍ଯ୍ୟବେକ୍ଷକ ପ୍ରମୁଖଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ନେବାକୁ ମନା କରାଯାଇଛି।, ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ।

#CHSE #2exxam #admitcard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon