- padmabati kund
ନୂଆ ନିୟମ: 72ଘଣ୍ଟା ମଧ୍ୟରେ ଟିଭି କନେକ୍ସନ ଠିକ ନ ହେଲେ ସେବା ମାଗଣା

(ବେତାର ବ୍ୟୁରୋ) ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (TRAI)ର ପ୍ରଚେଷ୍ଟା ବଳରେ ଡିଟିଏଚ ଇଣ୍ଡଷ୍ଟ୍ରିରେ ବହୁ ପରିବର୍ତ୍ତନ ଆସିଛି । ଟ୍ରାଇ ତରଫରୁ ନିକଟରେ ଏକ ନିୟମ ପ୍ରଣୟନ କରାଯାଇଛି ଓ ଏଥିରେ ସ୍ପଷ୍ଟ କରାଯାଇଛି କି, ଉପଭୋକ୍ତା ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ତାଙ୍କୁ ସେତିକି ହିଁ ଚ୍ୟାନେଲ ଉପଲବ୍ଧି କରାଯିବ ଏବଂ ଟଙ୍କା ବି ସେ ସେହି ଅନୁସାରେ ଦେବାକୁ ପଡିବ । ଏହି ନିୟମ ଲାଗୁ କରିଯିବା ପରେ ସମସ୍ତ ଟିଭି କନେକ୍ସନରେ ହେଉଥିବା ସମସ୍ୟା ଉପରେ ଟ୍ରାଇ ତରଫରୁ ଧ୍ୟାନ ଦିଆଯାଇଛି।
ଏଥିପାଇଁ ଟ୍ରାଇ ଏକ ନିଷ୍ପତ୍ତି ନେଇଛି ଓ ଏହି ନିଷ୍ପତ୍ତି ଅନୁଯାୟୀ, ଉଭୟ କେବୁଲ ଟିଭି ଅପରେଟର ଏବଂ ଡିଟିଏଚ ସର୍ଭିସ୍ ପ୍ରୋଭାଇଡର ସବୁବେଳେ ଉପଭୋକ୍ତାଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ରହିବେ ।
ଟ୍ରାଇ ଏ ସମ୍ପର୍କରେ ଟ୍ଵିଟ କରି ଜଣାଇଛି ଯେ, ଟିଭି କନେକ୍ସନରେ କୌଣସି ବି ପ୍ରକାରର ସମସ୍ୟାର ସମାଧାନ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଯଦି କନେକ୍ସନ ସମ୍ବନ୍ଧିତ କୌଣସି ସମସ୍ୟାକୁ ୭୨ ଘଂଟା ମଧ୍ୟରେ ଠିକ୍ କରାନଯାଏ ତେବେ ଉପଭୋକ୍ତାଙ୍କୁ ଏଥିପାଇଁ ଟଙ୍କା ଦେବାକୁ କୌଣସି ଆବଶ୍ୟକତା ପଡିବ ନାହିଁ, ବରଂ ଉଭୟ କେବୁଲ ଟିଭି ଅପରେଟର ଏବଂ ଡିଟିଏଚ ସର୍ଭିସ ପ୍ରୋଭାଇଡରଙ୍କୁ ମାଗଣାରେ ସେବା ଦେବାକୁ ହେବ ।ତେବେ ଏହି ସମସ୍ୟାରେ କେବଳ ସେଟ ଟପ ବକ୍ସ ସମସ୍ୟା ଓ ଗୋଟିଏ କମ୍ପାନୀ ର କନେକ୍ସନରୁ ଅନ୍ୟ କମ୍ପାନୀ କନେକ୍ସନ ନେବା ବେଳେ ହେଉଥିବା ବିଳମ୍ବକୁ ସାମିଲ କରାଯାଇଛି।
ଲୋକଙ୍କର ହିତ ପାଇଁ ଟ୍ରାଇ ପକ୍ଷରୁ ଏଭଳି ନିୟମ ଜାରି କରାଯାଇଛି ଓ ଏହାଦ୍ଵାରା ସାଧାରଣ ଲୋକଙ୍କର ମାସିକ କେବୁଲ ଖର୍ଚ୍ଚ ମଧ୍ୟ କମ ହୋଇଯିବ। ଏହି ନିୟମକୁ ଆସନ୍ତା ୧ ଫେବୃଆରୀରୁ କଡାକଡି ଭାବରେ ଲାଗୁ କରି ଦିଆଯିବ ।
ପୂର୍ବରୁ ଉପଭୋକ୍ତାମାନେ ‘ଫ୍ରି ଟୁ ଏୟାର’ ଚ୍ୟାନେଲ ପାଇଁ ନିର୍ଧାରିତ ଅର୍ଥ ପରିଶୋଧ କରୁଥିଲେ । ମାତ୍ର ନୂଆ ନିୟମ ଅନୁସାରେ, ଏବେ ଆପଣଙ୍କୁ କେବଳ ସେହି ଚ୍ୟାନେଲ ପାଇଁ ଅର୍ଥ ଦେବାକୁ ପଡିବ ଯାହାକୁ ଆପଣ ଦେଖିବାକୁ ଚାହୁଁଛନ୍ତି । ଏହା ସହିତ ଆପଣଙ୍କ ନିକଟରେ ୧୦୦ଟି ଏଚଡି ଚ୍ୟାନେଲ ବାଛିବାର ବିକଳ୍ପ ରହିଛି, ଯେଉଁଥିରେ ଉଭୟ ମାଗଣା ଏବଂ ଦେୟ ଯୁକ୍ତ ଚ୍ୟାନେଲ ଗୁଡିକ ଥାଇପାରେ । ତେବେ ଟ୍ୟାକ୍ସ ସହିତ ଏହି ପ୍ୟାକେଜର ଦାମ ମାତ୍ର ୧୩୦ ଟଙ୍କାରୁ ଅଧିକ ରହିବ ନାହିଁ । ଗୋଟିଏ ଚ୍ୟାନେଲର ମୂଲ୍ୟ ସର୍ବନିମ୍ନ 0ରୁ ସର୍ବାଧିକ 19ଟଙ୍କା ମୂଲ୍ୟ ମଧ୍ୟରେ ରହିଛି। ଚ୍ୟାନେଲ ଗୁଡିକୁ ଅଲଗା ଅଲଗା ବା ବୁକେ ଆକାରରେ ମଧ୍ୟ ଚୟନ କରିପାରିବେ।

ଏହି ନମ୍ବରକୁ କଲ କରନ୍ତୁ
TRAI ତରଫରୁ ଲଞ୍ଚ କରାଯାଇଥିବା ଏହି ନୂଆ ପ୍ୟାକ ବିଷୟରେ ଗ୍ରାହକମାନେ ଅଧିକ ସୂଚନା ପାଇବା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ନମ୍ବର ଗୁଡିକ ହେଉଛି 011-23237922 (ଏ.କେ ଭରଦ୍ଵାଜ) ଓ 011-2322009 (ଅରବିନ୍ଦ କୁମାର)। ଏହାବ୍ୟତୀତ advbcs-2@trai.gov.in କିମ୍ବା arvind@gove.in ରେ ଇମେଲ ପଠାଇ ସୂଚନା ପାଇପାରିବେ।