• padmabati kund

ନ୍ୟୁଜଲାଣ୍ଡ ବିପକ୍ଷ ଦିନିକିଆରେ ଭାରତ ବିଜୟୀ :ଶିଖର, ଶାମିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ


(ବେତାର ବ୍ୟୁରୋ) ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପାଞ୍ଚଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ 8 ୱିକେଟରେ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ ଏହି ସିରିଜରେ 1-0ରେ ଆଗୁଆ ରହିଛି। ନେପିୟର ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହିତ ଭାରତ ନ୍ୟୁଜଲାଣ୍ଡରେ ସବୁଠାରୁ ବୃହତ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ନ୍ୟୁଜଲାଣ୍ଡ ବ୍ୟାଟିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ନ୍ୟୁଜଲାଣ୍ଡ 38ଓଭରରେ 157ରନ କରି ଅଲଆଉଟ ହୋଇଯାଇଥିଲା ଓ ଭାରତ ଆଗରେ 158ରନର ବିଜୟ ଲକ୍ଷ୍ୟ ରଖିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ସୂର୍ଯ୍ୟକିରଣ ଯୋଗୁଁ ମ୍ୟାଚ ଅଧଘଣ୍ଟା ବନ୍ଦରହିଥିଲା। ଏହାପରେ ଭାରତକୁ ବିଜୟ ପାଇଁ 49ଓଭରରେ 156ରନର ଲକ୍ଷ୍ୟ ମିଳିଥିଲା।

ନ୍ୟୁଜଲାଣ୍ଡ ପାଇଁ କ୍ୟାପଟେନ କେନ ୱିଲିୟମସନ ସର୍ବାଧିକ 64ରନ ସଂଗ୍ରହ କରିଥିଲେ। ଭାରତୀୟ ବୋଲର କୁଳଦୀପ ଯାଦବ ସର୍ବାଧିକ 4ଟି ୱିକେଟ ନେଇଥିଲେ। ଏହାପରେ ଭାରତ ତରଫରୁ ଓପନର ଶିଖର ଧାୱନ ସର୍ବାଧିକ 75ରନ କରି ଅପରାଜିତ ରହିଥିଲେ।

ନ୍ୟୁଜଲାଣ୍ଡରେ ଭାରତର ବୃହତ୍ତମ ବିଜୟ

ଭାରତ ଏହି ମ୍ୟାଚକୁ 8 ୱିକେଟରେ ଜିତିବା ସହିତ ନ୍ୟୁଜଲାଣ୍ଡରେ ନିଜର ବୃହତ୍ତମ ବିଜୟ ହାସଲ କରିଛି। ଏହାପୂର୍ବରୁ ଭାରତ ନ୍ୟୁଜଲାଣ୍ଡରେ 2015 ୱାର୍ଡକପ ସମୟରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ 8 ୱିକେଟରେ ବିଜୟ ହାସଲ କରିଥିଲା ଓ 1994ରେ ନ୍ୟୁଜଲାଣ୍ଡ ବିରୁଦ୍ଧରେ 7ୱିକେଟରେ ବିଜୟୀ ହୋଇଥିଲା।

ଶିଖର ଧାୱନ ପୁରା କଲେ 5000 ଦିନିକିଆ ରନ

ନେପିୟରରେ ଖେଲାଯାଇଥିବା ଏହି ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଓପନର ବହୁତ ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରିଛନ୍ତି। ଶିଖର ଧାୱନ ଏହି ମ୍ୟାଚରେ 75ରନ କରି ଅପରାଜିତ ରହିଥିଲେ। ଏହାସହିତ ସେ ଦିନିକିଆ କ୍ରିକେଟରେ ନିଜର 5000ରନ ମଧ୍ୟ ପୁରା କରିଛନ୍ତି। ନିଜ ଦିନିକିଆ କ୍ୟାରିୟରର 118ତମ ମ୍ୟାଚରେ ସେ 5000ରନ ପୁରା କରିଛନ୍ତି।

ଦିନିକିଆ କ୍ରିକେଟରେ ଦ୍ରୁତତମ 5000ରନ ପୁରା କରିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳୀ ହୋଇପାରିଛନ୍ତି। ଭାରତୀୟ ଖେଳାଳୀ ବିରାଟ କୋହଲି ଏହି ତାଲିକାରେ ଧାୱନଙ୍କ ଠାରୁ ଆଗରେ ଅଛନ୍ତି। ବିରାଟ କୋହଲି 114ଟି ମ୍ୟାଚରେ 5000ରନ ପୂରଣ କରିଥିଲେ।

ଦ୍ରୁତତମ 100 ୱିକେଟ ନେଲେ ମହମ୍ମଦ ଶାମି

ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆରେ  ଭଲ ପ୍ରଦର୍ଶନ କରିବା ସହିତ ନ୍ୟୁଜଲାଣ୍ଡରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଦିନିକିଆ ମ୍ୟାଚରେ ସେ 6 ଓଭର ବୋଲିଙ୍ଗ କରିଥିଲେ ଓ 19ରନ ଦେଇ 3ଟି ୱିକେଟ ନେଇଥିଲେ। ଏଥିପାଇଁ ସେ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି. ଏହାସହିତ ମହମ୍ମଦ ଶାମି ଅନ୍ତଃରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ଦ୍ରୁତତମ 100 ୱିକେଟ ନେବାରେ  ପ୍ରଥମ ଭାରତୀୟ ଖେଳାଳୀ ହୋଇପାରିଛନ୍ତି। ଏହି ତାଲିକାରେ ଶାମି ଇରଫାନ ପଠାନଙ୍କୁ ପଛରେ ପକାଇ ଦେଇଛନ୍ତି। ଶାମି 56ଟି ଦିନିକିଆ ମ୍ୟାଚରେ ନିଜ ଦିନିକିଆ କ୍ୟାରିୟରର 100ଟି ୱିକେଟ ନେଇଛନ୍ତି। ଇରଫାନ ପଠାନ 100ଟି ୱିକେଟ 59ତମ ମ୍ୟାଚରେ ନେଇଥିଲେ।

ସିରିଜର ଦ୍ଵିତୀୟ ମ୍ୟାଚ ଆସନ୍ତା ଜାନୁୟାରୀ 26 ତାରିଖ ଶନିବାର ମାଉଣ୍ଟ ମଙ୍ଗାନୁଇରେ ଖେଳାଯିବ। ମ୍ୟାଚ ଭାରତୀୟ ସମୟ ସକାଳ 7.30ରେ ଆରମ୍ଭ ହେବ।

#cricketaustralia #indiavsnewsland

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon