- padmabati kund
ନୂଆ ନିଷ୍ପତ୍ତି : ଅଘୋଷିତ ବିଜୁଳି କାଟ କଲେ ବିଦ୍ୟୁତ କମ୍ପାନୀ ଦେବେ ଜୋରିମାନା

(ବେତାର ବ୍ୟୁରୋ) ସହର ହେଉ ବା ଗାଁ, ସବୁଠାରେ ଅଘୋଷିତ ବିଦ୍ୟୁତ କାଟ ଲୋକମାନଙ୍କର ଚିନ୍ତା ବଢାଇ ଦେଇଥାଏ। ଖରାଦିନେ ହିଁ ଅଧିକ ବିଦ୍ୟୁତ କାଟ ହେଉଥିବାର ଦେଖିବାକୁ ମିଳିଥାଏ। ତେଣୁ ଲୋକଙ୍କର ସମସ୍ୟା ଏବଂ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାମାନଙ୍କର ମନମୁଖୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂଆ ନୀତି ସାରା ଦେଶରେ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଏହା ଖୁବ ଶୀଘ୍ର କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ କହିଛନ୍ତି ।
ଭାରତ ସରକାର ଖୁବ୍ ଶୀଘ୍ର “Power Traffic Policy”କୁ ମଞ୍ଜୁରୀ ଦେଇପାରନ୍ତି । ସରକାରଙ୍କ ମଞ୍ଜୁରୀ ପରେ ଏହି ନୀତି ଆସନ୍ତା ଏପ୍ରିଲ ୧ ତାରିଖରୁ ସାରା ଦେଶରେ ଆଇନ ପୂର୍ବକ ଲାଗୁ କରିଦିଆଯିବ । ଏହି ନୀତି ଦ୍ଵାରା ଅଘୋଷିତ ବିଦ୍ୟୁତ କାଟ ହେଲେ ପଲିସି ଦ୍ୱାରା ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ଉପରେ ଜରିମାନା ଲାଗୁ କରାଯିବ । ଏଥିସହିତ ବିଜୁଳି କାଟ କାହିଁକି ହୋଇଛି, ଏ ସଂପର୍କରେ ମଧ୍ୟ କମ୍ପାନୀକୁ ଉଭୟ ସରକାର ଏବଂ ଗ୍ରାହକଙ୍କୁ ଉତ୍ତର ଦେବାକୁ ପଡିବ ।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହଙ୍କ କହିବା ଅନୁସାରେ, ଏହି ପଲିସିର ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଯାହାକୁ ଖୁବ୍ ଶୀଘ୍ର ହିଁ କ୍ୟାବିନେଟର ମଞ୍ଜୁରୀ ପାଇଁ ପଠାଯିବ । ଏହି ନୀତିରେ ଯାନ୍ତ୍ରିକ ତ୍ରୁଟି ଓ ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ଅନ୍ୟ ସମୟରେ ଘୋଷଣା କରାନଯାଇ ବିଦ୍ୟୁତ କାଟ କଲେ ଜୋରିମାନାର ବ୍ୟବସ୍ଥା ରହିଛି।
ଏନେଇ ଉପଭୋକ୍ତା ସିଧାସଳଖ ବିଦ୍ୟୁତ ମନ୍ତ୍ରାଳୟଙ୍କୁ ସୂଚିତ କରିପାରିବେ। ଏଥିପାଇଁ ବିଦ୍ୟୁତ ଆକ୍ଟ, ୨୦୦୩ରେ ପରିବର୍ତ୍ତନ କରାଯାଇଛି। ନୂଆ ନୀତି ଅନୁସାରେ ବିଦ୍ୟୁତ କମ୍ପାନୀକୁ ୪୦ ଦିନ ଭିତରେ ଉତ୍ତର ଦେବାକୁ ପଡିବ। ଏହା ପୂର୍ବରୁ ୨୦୧୪ରେ ଏହି ନିୟମକୁ କଡାକଡି କରାଯିବାକୁ ଅନେକ ପ୍ରଚେଷ୍ଟା କରାଯାଇଥିଲା।
ବିଦ୍ୟୁତ ଚୋରି ଜରିମାନା
ତେବେ ସେପ୍ଟେମ୍ବର 2018ରେ ଦେଶରେ ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ସରକାର ନିୟମରେ ସଂଶୋଧନ କରି ଜରିମାନା ରାଶିକୁ ଏକ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ନୂଆ ପ୍ରସ୍ତାବ ମୁତାବକ, ଫ୍ୟାକ୍ଟ୍ରିରେ ବିଜୁଳି ଚୋରି କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ୫୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରାଯିବ। ଆଗରୁ ଏହି ରାଶି ୨୦ ହଜାର ଟଙ୍କା ପ୍ରତି କିଲୋୱାଟ ପିଛା ଥିଲା। ଏଥିସହିତ ହିଁ ଛୋଟ ଦୋକାନୀ ତଥା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରିବାର ନିୟମ କଡାକଡି କରାଯାଇଛି। ସେହିପରି ଜରିମାନା ନଦେବା ବ୍ୟକ୍ତି ବିଶେଷଙ୍କଠାରୁ ୧ କୋଟି ଟଙ୍କା ଆଦାୟ କରାଯିବ।