- padmabati kund
ପାଣ୍ଡ୍ୟା ଓ କେ.ଏଲ ରାହୁଲଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ କରନ ଜୋହରଙ୍କ ଟିଭି ଶୋ’ ‘କଫି ୱିଥ କରନ’ରେ ମହିଳାଙ୍କ ଅଭଦ୍ର ମନ୍ତବ୍ୟ ଦେଇଥିବା ଅଭିଯୋଗରେ
ମାମଲାର ଯାଞ୍ଚ ସାରିବା ଯାଏଁ ବ୍ୟାନ କରଯାଇଥିଲା। ଏପରିକି ଏହି ଦୁଇ ଖେଳାଳୀଙ୍କୁ ଅଷ୍ଟ୍ରେଲିଆ ସିରିଜ ଅଧାରୁ ଭାରତକୁ ଡକା ଯାଇଥିଲା। ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତ ହୋଇଥିବା ପ୍ରଶାସକ ସମିତି ଏହା ଉପରେ ନିଷ୍ପତ୍ତି ନେଇଛନ୍ତି ଓ ଉଭୟ ଖେଳାଳୀଙ୍କ ଉପରେ ଲାଗିଥିବା ଅନ୍ତରୀଣ ପ୍ରତିବନ୍ଧ (ନିଲମ୍ବନ) କୁ ହଟାଇ ଦେଇଛନ୍ତି।
ତେବେ ଏହି ବିବାଦର ଯାଞ୍ଚ ଚାଲୁ ରହିବ । ଏହି ମାମଲାର ଶୁଣାଣୀ ଆଗକୁ ସୁପ୍ରିମ କୋର୍ଟରେ ହେବ ଓ ଏଥିପାଇଁ ଆସନ୍ତା ଫେବୃୟାରୀ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଦୁଇ ଖେଳାଳୀଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇ ଦିଆଯିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଡକାଯାଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି କେ.ଏଲ ରାହୁଲଙ୍କୁ ଘରୋଇ କ୍ରିକେଟ ବା ଭାରତ-ଏ ଦଳରେ ସାମିଲ କରାଯାଇପାରେ।
ପ୍ରଶାସକ ସମିତି ନୂଆ ନ୍ୟାୟମିତ୍ର (ଆମିକସ କ୍ୟୁରି) ପି.ଏସ ନରସିଂହାଙ୍କ ସହିତ ଆଲୋଚନା କରିବା ପରେ ଦୁଇ ଖେଳାଳୀଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଖେଳାଳୀଙ୍କୁ ମାମଲାର ଯାଞ୍ଚ ସରିବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିଲା।
ଏନେଇ ବୋର୍ଡ ଅଫ କ୍ରିକେଟ କାଉନସିଲ ଇନ ଇଣ୍ଡିଆ (ବିସିସିଆଇ) ତରଫରୁ କୁହାଯାଇଛି, “କୌଣସି କ୍ରିକେଟରଙ୍କ ଉପରେ ଲାଗିଥିବା ଆରୋପର ଶୁଣାଣୀ ପାଇଁ ବିସିସିଆଇକୁ ଲୋକପାଳର ଆବଶ୍ୟକ ହୋଇଥାଏ, କିନ୍ତୁ ଲୋକପାଳର ନିଯୁକ୍ତି ସର୍ବୋଚ୍ଚ ନ୍ୟାୟଳୟ ଦ୍ଵାରା ହୋଇଥାଏ। ଏଥିପାଇଁ ଦୁଇ ଖେଳାଳୀଙ୍କ ଉପରେ ଯେଉଁ ଅନ୍ତରୀଣ ପ୍ରତିବନ୍ଧ ଲଗାଯାଇଥିଲାଏହାକୁ ତୁରନ୍ତ ହଟାଇବା ପାଇଁ ପ୍ରଶାସକ ସମିତି ନିଷ୍ପତ୍ତି ନେଇଛନ୍ତି।“

କଣ ଥିଲା ବିବାଦ
କରନ ଜୋହରଙ୍କ ଆଳାପ ଶୋ' 'କଫି ୱିଥ କରନ'ରେ କେ.ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଶୋ'ରେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ଏପରି କଥା କହିଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା ହୋଇଥିଲେ। କେବଳ ଫ୍ୟାନ ମାନେ ନୁହନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏପରି ବ୍ୟବହାରରେ ବିରକ୍ତି ପ୍ରକାଶ କରିଥିଲେ।
ଏହି ଶୋ'ରେ ହାର୍ଦ୍ଦିକ ପାଣ୍ଡ୍ୟା ମହିଳାଙ୍କୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ସହ କଥା ହେବା ଅପେକ୍ଷା ସେ ଝିଅମାନଙ୍କୁ ଦେଖିବାକୁ ଭଲପାଆନ୍ତି। ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ସେ କ୍ଲବ ଯାଆନ୍ତି ଝିଅ ମାନଙ୍କୁ ତାଙ୍କ ନାମ ବି ପଚାରି ନଥାନ୍ତି। ଯେଉଁ ମେସେଜ ଗୋଟିଏ ଝିଅକୁ ପଠାଇଥାନ୍ତି ସେହି ମେସେଜକୁ ଅନ୍ୟ ଏକ ଝିଅକୁ ମଧ୍ୟ ପଠାଇଥାନ୍ତି ବୋଲି କହିଥିଲେ। ତେବେ କେ.ଏଲ ରାହୁଲ ବାରମ୍ବାର ଏହି କଥାକୁ ବଦଳେଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା କହିବା ବନ୍ଦ କରିନଥିଲେ।
ପାଣ୍ଡ୍ୟାଙ୍କ କମେଣ୍ଟକୁ ଦର୍ଶକଙ୍କ ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିନଥିଲେ। ଏଥିପାଇଁ ତାଙ୍କୁ ଟ୍ଵିଟରରେ ନାରୀ ବିରୋଧୀ ବୋଲି କୁହାଯାଇଥିଲା। କିଛି ଟ୍ଵିଟର ବ୍ୟବହାରକାରୀମାନେ ହାର୍ଦ୍ଦିକଙ୍କୁ କ୍ରିକେଟର ରାକ୍ଷୀ ସାୱନ୍ତ ବୋଲି ମଧ୍ୟ କହିଥିଲେ। ଫ୍ୟାନମାନଙ୍କ ଦ୍ଵାରା ସମାଲୋଚିତ ହେବା ପରେ ନିଜ ବ୍ୟବହାର ପାଇଁ ସେ ସୋସିଆଲ ମିଡିଆ ଜରିଆରେ କ୍ଷମା ପ୍ରାର୍ଥନା କରିଥିଲେ।