• padmabati kund

ଖରା ପାଇଁ ଖେଳ ବନ୍ଦ ହେବାରୁ ଭାରତୀୟ ଟିମ ଉପରେ ନ୍ୟୁଜିଲାଣ୍ଡ ମେୟର ଖପ୍ପା


(ବେତାର ବ୍ୟୁରୋ) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡର ନେପିୟରରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ଚାଲିଥିବା ସମୟରେ ଏକ ଆଶ୍ଚର୍ଯ୍ୟକର କାରଣ ଯୋଗୁଁ ଖେଳ ମଝିରେ ଅଧଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପିଚରେ ଥିବା କୋହଲି ଓ ଧାୱନଙ୍କ ଆଖିରେ ସୂର୍ଯ୍ୟକିରଣ ପଡିବାରୁ ଖେଳରେ ବାଧା ସୃଷ୍ଟି ହୋଇଥିଲା।

ଏହି ଘଟଣା ପରେ ନେପିୟରର ମେୟର ବିଲ ଡାଲଟନ୍ ଭାରତୀୟ ଖେଳାଳୀଙ୍କ ଉପରେ ଖପ୍ପା ହୋଇଛନ୍ତି।

ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଏପରି ଏକ କାରଣ ପାଇଁ ଖେଳ ଅଧଘଣ୍ଟା ପାଇଁ ବନ୍ଦ ରହିଥିଲା। ଏହି ଘଟଣାକୁ ନେଇ ନେପିୟର ସହରର ମେୟର ବିଲ ଡାଲଟନ୍ କହିଛନ୍ତି ଯେ, ଭାରତ ଓ ନ୍ୟୁଜିଲାଣ୍ଡର ଖେଳାଳୀଙ୍କୁ ଏତିକି ମଜଭୁତ ହେବା ଆବଶ୍ୟକ ଯାହାଦ୍ୱାରା ସେମାନଙ୍କ ଆଖିରେ ସୂର୍ଯ୍ୟକିରଣ ପଡିଲେ କିଛି ସମୟ ପର୍ଯ୍ୟନ୍ତ ସହ୍ୟ କରିପାରିବେ।

ଏହା ସହିତ ସେ ଭାରତୀୟ ଦଳର ଖେଳାଳୀଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଭାରତରେ ଯଦି ଠିକ ଏହିପରି ପରିସ୍ଥିତି ହୋଇଥାନ୍ତା ତେବେ ଖେଳାଳୀମାନେ ଗ୍ରାଉଣ୍ଡ ଛାଡିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଚ୍ଚୋଟତାର ସହ କହିଲେ ଏମାନେ ସମସ୍ତେ ଖେଳାଳୀ ଅଟନ୍ତି। କିଛି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ସହ୍ୟ କରିବା ପାଇଁ ଏମାନେ ମଜଭୁତ ହେବା ଆବଶ୍ୟକ। କ୍ରିକେଟ ଏକ ଆଉଟଡୋର ଗେମ୍ ଅଟେ ଓ ଏଥିପାଇଁ ମଜଭୁତ ହେବା ଆବଶ୍ୟକ। ତାଙ୍କ ପାଇଁ ଏହି ଘଟଣା ବହୁତ ଆଶ୍ଚର୍ଯ୍ୟଜନକ ଥିଲା।

ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରବକ୍ତା ରିଚାର୍ଡ ବୁକ କହିଛନ୍ତି, “ଏହା ଉପରେ ଆଲୋଚନା କରିବାକୁ ପଡିବ କିନ୍ତୁ ବର୍ତ୍ତମାନ କୌଣସି ସମାଧାନ ଦେଖା ଯାଉନାହିଁ।

ଏହାପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ୧୯୮୦ରେ ମୁମ୍ବାଇରେ ଟେଷ୍ଟ ମ୍ୟାଚ ସମୟରେ ସୂର୍ଯ୍ୟଗ୍ରହଣ କାରଣରୁ ଗୋଟିଏ ଦିନ ପରେ ମ୍ୟାଚ ଆରମ୍ଭ ହୋଇଥିଲା। ଏପରି ପରିସ୍ଥିତିରୁ ବଞ୍ଚିବା ପାଇଁ ସାଧାରଣତଃ କ୍ରିକେଟ ପିଚକୁ ଉତ୍ତର ଦିଗରେ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ମୈକଲିନ ପାର୍କରେ ଏହି ପିଚ ପୂର୍ବ-ପଶ୍ଚିମ ଦିଗରେ ରହିଛି। ଏଥିପାଇଁ ଏପରି ପରିସ୍ଥିତି ଉତ୍ପନ୍ନ ହେଲା।

ନେପିୟରରେ ମ୍ୟାଚ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ଏହି ଘଟଣା ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ୨୦୧୪ରେ ଏପରି ହୋଇଥିଲା ଯେତେବେଳେ ମୋ ଆଖିରେ ସୂର୍ଯ୍ୟକିରଣ ପଡିଥିଲା, କିନ୍ତୁ ସେହି ସମୟରେ ଏପରି କୌଣସି ନିୟମ ନଥିଲା। ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ୱିଲିୟମସନ ମଜାକିଆ ଢଙ୍ଗରେ କହିଥିଲେ ଯେ, ସୂର୍ଯ୍ୟଙ୍କୁ ତ ଆମେ ହଟେଇ ପାରିବୁ ନାହିଁ ସେଥିପାଇଁ ଆମେ ନିଜେ ଅଧଘଣ୍ଟା ପାଇଁ ବ୍ରେକ ନେଇଗଲୁ।

ଏହି ମ୍ୟାଚରେ ଭାରତ ଆଠ ୱିକେଟରେ ବିଜୟ ହାସଲ କରିବା ସହିତ ସିରିଜରେ ୧-୦ରେ ଆଗୁଆ ଅଛି।

#cricket #indvsnz

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon