• padmabati kund

କୁଳଦୀପଙ୍କ କମାଲ: 2ୟ ଦିନିକିଆରେ ନ୍ୟୁଜିଲାଣ୍ଡ 90ରନରେ ପରାସ୍ତ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ସିରିଜରେ ଧୋନି ଓ କୋହଲିଙ୍କ ଚମତ୍କାର ବ୍ୟାଟିଙ୍ଗ ଭାରତକୁ ଜିତାଇ ଥିବାବେଳେ ଭାରତର ସାଧାରଣତନ୍ତ୍ର ଦିବସ ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଭାରତ 90ରନରେ ବିଜୟ ହାସଲ କରିଛି।  ତେବେ ଶନିବାର ଏହି ମ୍ୟାଚର ହିରୋ ଥିଲେ କୂଳଦୀପ ଯାଦବ ଓ ତାଙ୍କୁ ସମର୍ଥନ କରିଥିଲେ ୟୁଜବେନ୍ଦ୍ର ଚହଲ। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ଓପନର ରୋହିତ ଶର୍ମା (87ରନ) ଓ ଶିଖର ଧାୱନ (66ରନ)ଙ୍କ ବଳରେ ନ୍ୟୁଜିଲାଣ୍ଡକୁ 325ରନର ଲକ୍ଷ୍ୟ ଦେଇଥିଲା। ଭାରତ ତରଫରୁ ଅଧିନାୟକ ବିରାଟ କୋହଲି 43ରନ, ରାୟୁଡୁ 47ରନ ଓ ମହେନ୍ଦ୍ର ସିଂ ଧୋନି 48ରନ ଯୋଡିଥିଲେ। ଏହାଫଳରେ ଭାରତ ଏତେ ବଡ ସ୍କୋର କରିପାରିଥିଲେ। ଏହାପରେ ବୋଲିଙ୍ଗରେ କୁଳଦୀପ ଯାଦବ 4ଟି ୱିକେଟ ନେଇ ନ୍ୟୁଜିଲାଣ୍ଡକୁ ଖେଳରୁ ବାହାର କରିଦେଇଥିଲେ ଓ ଏଥିରେ ୟୁଜବେନ୍ଦ୍ର ଚହଲ 2ଟି ୱିକେଟ ନେଇ ଭାରତକୁ ସହଜ ବିଜୟ ଦେଇଥିଲେ।

ନ୍ୟୁଜିଲାଣ୍ଡ ବ୍ୟାଟିଙ୍ଗ

ଭାରତ ପକ୍ଷରୁ ଧାର୍ଯ୍ୟ ହେଇଥିବା 325 ରନର ଲକ୍ଷ୍ୟ କଷ୍ଟକର ନଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ କୁଳଦୀପ ଯାଦବଙ୍କ ସ୍ପିନ ବୋଲିଙ୍ଗର ମୁକାବିଲା କରିପାରି ନଥିଲା। ନ୍ୟୁଜିଲାଣ୍ଡ ଦଳ ଖେଳ ଶେଷ ବେଳକୁ ନବମ ଉଇକେଟରେ ମାତ୍ର 58 ରନ ଯୋଗ କରିବା ଅତ୍ୟନ୍ତ ନିରାଶ ଜନକ ପ୍ରଦର୍ଶନ ଥିଲା। ନ୍ୟୁଜିଲାଣ୍ଡ ପାଇଁ ବ୍ରେସୱେଲ ଭଲ ବ୍ୟାଟିଙ୍ଗ କରିଥିଲେ। ବ୍ରେସୱେଲ 46ବଲରେ 57ରନ ସଂଗ୍ରହ କରିଥିଲେ କିନ୍ତୁ ନ୍ୟୁଜିଲାଣ୍ଡକୁ ଜିତାଇ ପାରିନଥିଲେ।

ବୋଲରଙ୍କ ଯାଦୁ

ଭାରତୀୟ ସ୍ପିନ ବୋଲର କୁଳଦୀପ ଯାଦବଙ୍କ ବୋଲିଙ୍ଗର ଯାଦୁ ଏହି ମ୍ୟାଚରେ ପୁଣି ଦେଖିବାକୁ ମିଳିଛି। କୁଳଦୀପ ମୋଟ 45ରନ ଦେଇ 4ଟି ୱିକେଟ ନେଇଛନ୍ତି। ଏହାପୂର୍ବରୁ ପ୍ରଥମ ଦିନିକିଆରେ ମଧ୍ୟ ସେ 39ରନ ଦେଇ 4ଟି ୱିକେଟ ନେଇଥିଲେ। ଏଥିପାଇଁ ସେ ପ୍ରଥମ ସ୍ପିନର ହୋଇପାରିଛନ୍ତି ଯିଏକି ନ୍ୟୁଜିଲାଣ୍ଡରେ ଲଗାତାର ଦୁଇଟି ଦିନିକିଆ ମ୍ୟାଚରେ ଚାରିଟି ଲେଖାଏଁ ୱିକେଟ ନେଇଛନ୍ତି।

ଭାରତର ଅନ୍ୟତମ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ମଧ୍ୟ ଖୁବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମୋଟ 9.2ଓଭର ବୋଲିଙ୍ଗ କରି 52ରନ ସଂଗ୍ରହ କରିଥିଲେ ଓ 2ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ନିଜ ସ୍ପେଲର ପ୍ରଥମ ବଲରେ ସେ ନ୍ୟୁଜିଲାଣ୍ଡର ଓପନର ମୁନରୋଙ୍କ ୱିକେଟ ନେଇଥିଲେ। ଏହାପୂର୍ବରୁ ବାଉଣ୍ଡ୍ରୀ ପାଖରେ ନ୍ୟୁଜିଲାଣ୍ଡର ଅନ୍ୟତମ ଓପନର ମାର୍ଟିନ ଗପ୍ତିଲଙ୍କ କ୍ୟାଚ ଧରିଥିଲେ।

ମ୍ୟାନ ଅଫ ଦ ମ୍ୟାଚ

ଏହି ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି। ସେ ମୋଟ 87ରନ ସଂଗ୍ରହ କରିଥିଲେ। ରୋହିତଙ୍କ ବ୍ୟାଟିଙ୍ଗ ବଳରେ ଭାରତ ଏକ ମଜଭୁତ ସ୍ଥିତିରେ ପହଞ୍ଚି ପାରିଥିଲା।

ଦ୍ଵିତୀୟ ଦିନିକିଆରେ ଭାରତ 90ରନରେ ବିଜୟ ହାସଲ କରିବା ସହିତ ସିରିଜରେ 2-0ରେ ଆଗୁଆ ରହିଛି। ସିରିଜର ତୃତୀୟ ମ୍ୟାଚ ଆସନ୍ତା ଜାନୁୟାରୀ 28 ତାରିଖ ସୋମବାର ମାଉଣ୍ଟ ମଉଙ୍ଗାନୁଇରେ ଖେଳାଯିବ। ଯଦି ତୃତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରେ ତେବେ ସିରିଜରେ ଦୁଇଟି ମ୍ୟାଚ ବାକି ଥାଇ ଭାରତ ସିରିଜ ଜିତିଯିବ।

#cricket #indiavsnewzland

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon