• padmabati kund

ନ୍ୟୁଜିଲାଣ୍ଡ ସିରିଜ : ଚର୍ଚ୍ଚାରେ ହାର୍ଦ୍ଦିକଙ୍କ କ୍ୟାଚ


(ବେତାର ବ୍ୟୁରୋ) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳ ଲଗାତାର ତୃତୀୟ ବିଜୟ ହାସଲ କରବା ସହିତ ଏହି ପାଞ୍ଚଟି ମ୍ୟାଚ ବିଶିଷ୍ଟ ସିରିଜକୁ 3-0ରେ ଜିତିଯାଇଛି। ଏହାସହିତ ବ୍ୟାନରୁ ଫେରିଥିବା ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପ୍ରମାଣ କରିଦେଇଛନ୍ତି ଯେ ସେ ଭାରତୀୟ ଦଳ ପାଇଁ କେତେ ଉପଯୋଗୀ ଅଟନ୍ତି।

ଏହି ମ୍ୟାଚରେ ପ୍ରଥମେ ହାର୍ଦ୍ଦିକ ନିଜ ଫିଲ୍ଦିଙ୍ଗ ବଳରେ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ୱିକେଟର କ୍ୟାଚ ଧରିଥିଲେ। ଏହାପରେ ବୋଲିଙ୍ଗରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ମଧ୍ୟ ନେଇଥିଲେ। ନ୍ୟୁଜିଲାଣ୍ଡର ଇନିଙ୍ଗ୍ସର 17ତମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ବଲରେ କେନ ୱିଲିୟମସନଙ୍କ କ୍ୟାଚ ଧରିଥିଲେ। ହାର୍ଦ୍ଦିକଙ୍କ ଏହି କ୍ୟାଚ ବହୁତ ଆଶ୍ଚର୍ଯ୍ୟଜନକ ଥିଲା ଓ ଏକ ସୁପରମ୍ୟାନ ପରି କ୍ୟାଚ ଧରିଥିଲେ।

ଟେଲିଭିଜନରେ କରନ ଜୋହରଙ୍କ ଆଳାପ ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ହାର୍ଦ୍ଦିକ ଖୁବ ଚର୍ଚ୍ଚାରେ ରହିଥିଲେ ଓ ଏଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବ୍ୟାନ କରାଯାଇଥିଲା। କିଛିଦିନ ପୂର୍ବରୁ ତାଙ୍କ ଉପରେ ଲାଗିଥିବା ଏହି ବ୍ୟାନକୁ ହଟାଇ ଦିଆଯାଇଛି ଓ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା।

ନ୍ୟୁଜିଲାଣ୍ଡରେ 10 ବର୍ଷ ପରେ ସିରିଜ ବିଜୟ

ଭାରତ ଏହି ସିରିଜକୁ ଜିତିଯାଇଛି। ଏହାସହିତ ଦୀର୍ଘ ଦଶ ବର୍ଷପରେ ଭାରତ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ଜିତିବାରେ ସଫଳ ହୋଇପାରିଛି। ଦ୍ଵିତୀୟ ଥର ପାଇଁ ଭାରତ ନ୍ୟୁଜିଲାଣ୍ଡରେ ଏହି ବିଜୟ ହାସଲ କରିପାରିଛି। ଏହାପୂର୍ବରୁ 2009 ମାର୍ଚ୍ଚ ମାସରେ ଭାରତୀୟ ଦଳ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ଵରେ ଖେଳାଯାଇଥିବା ସିରିଜକୁ 3-1ରେ ଜିତିଥିଲା।

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଏହି ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଓପନର ରୋହିତ ଶର୍ମା ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ରୋହିତ ଶର୍ମା ଏହି ମ୍ୟାଚରେ 62ରନ ସଂଗ୍ରହ କରିଛନ୍ତି। ଏହାସହିତ ସେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପାଇଁ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ରୋହିତ ଶର୍ମା ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ମୋଟ 216ଟି ଛକା ମାରି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ଧୋନି 215ଟି ଛକାମାରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ସିରିଜରେ ଶାମି ଦ୍ଵିତୀୟଥର ପାଇଁ ମ୍ୟାନ ଅଫ ଦ ମ୍ୟାଚ

ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି ଖୁବ ଚମତ୍କାର ଫର୍ମରେ ଅଛନ୍ତି। ଲଗାତର ଭାବରେ ସେ ଖୁବ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତୃତୀୟ ମ୍ୟାଚରେ ଶାମି ମୋଟ 9ଓଭର ବୋଲିଙ୍ଗ କରି 3ଟି ୱିକେଟ ନେଇଛନ୍ତି ଓ ଏହାସହିତ ସେ ମ୍ୟାନ ଅଫ ଦ ମ୍ୟାଚ ମଧ୍ୟ ହୋଇଛନ୍ତି। ଏହାପୂର୍ବରୁ ପ୍ରଥମ ଦିନିକିଆ ମ୍ୟାଚରେ ସେ 6 ଓଭର ବୋଲିଙ୍ଗ କରିଥିଲେ ଓ 19ରନ ଦେଇ 3ଟି ୱିକେଟ ନେଇଥିଲେ। ଏଥିପାଇଁ ସେ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ସିରିଜର ଚତୁର୍ଥ ମ୍ୟାଚ ଆସନ୍ତା ଜାନୁୟାରୀ 31 ତାରିଖ ହାମିଲଟନ ଗ୍ରାଉଣ୍ଡରେ ଖେଳାଯିବ ଓ ପଞ୍ଚମ ଦିନିକିଆ ମ୍ୟାଚ ଫେବୃୟାରୀ 3 ତାରିଖ ୱେଲିଙ୍ଗଟନରେ ଖେଳାଯିବ। ଏହାପରେ ଉଭୟ ଦଳ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ।

#cricket #indvznz #hardikpandya

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon