• padmabati kund

ବିଶ୍ଵବ୍ୟାପୀ ବକ୍ସ ଅଫିସରେ ଜାରି ରହିଛି ‘ଉରି’ ଜାଦୁ: ରୋଜଗାର କଲା ଟ.200 କୋଟି


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଭିକି କୌଶଳଙ୍କ ଅଭିନୀତ 'ଉରି - ଦ ସର୍ଜିକାଲ ଷ୍ଟ୍ରାଇକ' ବକ୍ସ ଅଫିସରେ ଖୁବ ଭଲ ରୋଜଗାର କରିବା ସହିତ ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ରିଲିଜ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସଅଫିସରେ ଏହାର ରୋଜଗାର କମ ହେଉନାହିଁ। ସମଗ୍ର ବିଶ୍ଵରେ ଏହି ଫିଲ୍ମଟି ମୋଟ 200 କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଛି।

ବଲିଉଡ ଲାଇଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ଵରେ 223.97କୋଟି ଟଙ୍କା ରୋଜଗାର କରିସାରିଛି। ସେଥିମଧ୍ୟରୁ ଭାରତରେ ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ 160କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି ଓ ବିଦେଶରେ ଏହାର ରୋଜଗାରକୁ ମିଶାଇ 200କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମ ରିଲିଜ ହେବାର ଚତୁର୍ଥ ସପ୍ତାହ ଶେଷ ସୁଦ୍ଧା ଫିଲ୍ମଟି 250କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରେ।

‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକ’ ରିଲିଜ ହେବାର ପ୍ରଥମ ସପ୍ତାହରେ 71କୋଟି 25ଲକ୍ଷ ଟଙ୍କା ରୋଜଗାର କରିଥିଲା। ଏହାପରେ ଦ୍ଵିତୀୟ ସପ୍ତାହରେ 62କୋଟି 54ଲକ୍ଷ ଟଙ୍କା ରୋଜଗାର କରିଥିଲା। ଏହି ଫିଲ୍ମଟି 2019ମସିହାର ପ୍ରଥମ ଫିଲ୍ମ ଯିଏକି ସମଗ୍ର ବିଶ୍ଵରେ 200କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛି ଓ ଭାରତରେ 150କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛି। ଫିଲ୍ମଟି ମୋଟ 40କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା।

ଏହାବ୍ୟତୀତ ଫିଲ୍ମ ରିଲିଜ ହେବାର ଦଶଦିନ ମଧ୍ୟରେ 100କୋଟି ଟଙ୍କାରୁ ଅଧିକ ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରିଥିଲା। କମ ବଜେଟରେ ତିଆରି ହେଉଥିବା ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ସବୁଠାରୁ କମଦିନରେ 100କୋଟି କ୍ଲବରେ ସାମିଲ ହୋଇପାରିଥିଲା। ଏହି ଫିଲ୍ମଟି ପ୍ରଥମ ଦିନରେ 8କୋଟି 20ଲକ୍ଷ ଟଙ୍କାର ରୋଜଗାର କରିଥିଲା। ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନରେ 50କୋଟିରୁ ଅଧିକ ରୋଜଗାର କରିପାରିଥିଲା ଓ ଦଶଦିନରେ ଫିଲ୍ମଟି 108କୋଟିରୁ ଅଧିକ ରୋଜଗାର କରିପାରିଥିଲା।

ଏହା ଏହାପୂର୍ବରୁ କମ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମ ମଧ୍ୟରେ 'ତନୁ ୱେଡ୍ସ ମନୁ' 11ଦିନରେ, 'ସ୍ତ୍ରୀ' 16ଦିନରେ, 'ରାଜି' ଓ 'ବଧାଇ ହୋ' 17ଦିନରେ ଏବଂ 'ସୋନୁ କେ ଟିଟୁ କି ସ୍ଵିଟି' 25ଦିନରେ ବକ୍ସଅଫିସରେ 100କୋଟି ଟଙ୍କା ରୋଜଗାର କରିଥିଲା।

2016 ମସିହାରେ ଦେଶରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଭିକି କୌଶଲ, ୟାମି ଗୌତମଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାସହିତ ପରେଶ ରାୱଲ, କୀର୍ତ୍ତି କୁଲହରୀ ଓ ମୋହିତ ରୈନା ମଧ୍ୟ ଅଭିନୟ କରିଛନ୍ତି।

#entertainment #uri #boxofficecollection

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon