• padmabati kund

ନୂଆ ନିୟମ : ସେଟଅପ ବକ୍ସ ନ ବଦଳାଇ ଆଣିପାରିବେ ଅଲଗା DTH ସେବା


(ବେତାର ବ୍ୟୁରୋ) ଯଦି ଆପଣ ନିଜ DTH ସେବା ପ୍ରଦାନକାରୀ ସଂସ୍ଥା ଉପରେ ସନ୍ତୁଷ୍ଟ ନୁହନ୍ତି କିନ୍ତୁ ଅଧିକ ଖର୍ଚ୍ଚାନ୍ତ ହେବେ ଭାବି ଏହାର ସେବା ବନ୍ଦ କରିପାରୁନାହାନ୍ତି ବା ନୂଆ କନେକ୍ସନ ଆଣୁ ନାହାନ୍ତି , ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (ଟ୍ରାଇ) DTHରେ ପୋର୍ଟେବିଲିଟି ସେବା ଆଣିବାକୁ ଯାଉଛି ଯାହା ଫଳରେ ନୂଆ ସେଟଟପ ବକ୍ସ ନ କିଣି ସେବା ପ୍ରଦାନ କରୁଥିବା କମ୍ପାନୀ ବଦଳାଇପାରିବେ ।

ଏହି ବ୍ୟବସ୍ଥା ବିନା ମୋବାଇଲ ନମ୍ବର ପୋର୍ଟେବିଲିଟି ବ୍ୟବସ୍ଥା ଭଳି କାର୍ଯ୍ୟ କରିବ। ମୋବାଇଲ କ୍ଷେତ୍ରରେ ଯେପରି ମୋବାଇଲ ନମ୍ବର ନ ବଦଳାଇ ଆପଣ ଅପରେଟର ବଦଳାଇ ପାରୁଥିଲେ ଠିକ ସେହିପରି DTH ପୋର୍ଟେବିଲିଟିରେ ମଧ୍ୟ ସମାନ ସେଟଅପ ବକ୍ସ ଥାଇ ଆପଣ DTH ସର୍ଭିସ ପ୍ରୋଭାଇଡ଼ର ବଦଳାଇ ପାରିବେ। ଏଥିପାଇଁ ଗ୍ରାହକଙ୍କୁ ନିଜ ସେଟଅପ ବକ୍ସରେ ନୂଆ ସଫ୍ଟୱେୟାର ଡାଉନଲୋଡ କରିବାକୁ ପଡିବ।

ଟ୍ରାଇ ତରଫରୁ ବହୁତ ଆଗରୁ ଏହା ଉପରେ ବିଚାର କରାଯାଉଛି, କିନ୍ତୁ ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ କିଛି ବାଧା ସୃଷ୍ଟି ହେଉଛି। ଫେବୃୟାରୀ 1 ରୁ DTH କେବୁଲ ବିଲ୍ ପାଇଁ ନୂଆ ନିୟମ ଲାଗୁ ହୋଇଯାଇଛି, କିନ୍ତୁ DTH ପୋର୍ଟେବିଲିଟି ପାଇଁ ନିୟମ ଲାଗୁ କରିବାକୁ ଆହୁରି ଅଧିକ ସମୟ ଲାଗିପାରେ। ଚଳିତ ବର୍ଷର ଶେଷ ଆଡକୁ ଏହି ବ୍ୟବସ୍ଥା ଲାଗୁ କରିବାର ଯୋଜନା ରହିଛି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଗ୍ରାହକମାନଙ୍କୁ ଏହାର ଅଧିକ ଲାଭ ମିଳିବ।

ବ୍ୟବସ୍ଥାକୁ ବିରୋଧ

ଏହି ବ୍ୟବସ୍ଥା ଲାଗୁହେବା ପରେ DTH ନେଟୱାର୍କ ବଦଳେଇବା ସହଜ ହୋଇଯିବ କିନ୍ତୁ ସେଟଅପ ବକ୍ସର ସିକ୍ୟୁରୀଟି ଉପରେ ଏହା ପ୍ରଭାବ ପକାଇ ପାରେ। ଟିଭି ଚ୍ୟାନେଲ ଗୁଡିକ ଟ୍ରାଇର ଏହି ନୂଆ ନିୟମକୁ ବିରୋଧ କରିଛନ୍ତି। ଟିଭି ଚ୍ୟାନେଲ ଗୁଡିକର କହିବା ଅନୁଯାୟୀ ସେଟଅପ ବକ୍ସରେ କୌଣସି ପ୍ରକାରର ହସ୍ତକ୍ଷେପ କରିବା ଦ୍ଵାରା ଏହାର ଏନକ୍ରିପସନ ଭାଙ୍ଗିଯାଇପାରେ ଓ ଏହାର ନକଲ ହେବାର ସମ୍ଭାବନା ରହିଛି।

ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆଉ ଏକ ସମସ୍ୟା ରହିଛି । ତାହାହେଲା ନୂଆ ସେଟଅପ ବକ୍ସରେ ପୋଷ୍ଟ-ଲୋଡ ସଫ୍ଟୱେୟାର କ୍ଷମତା ଆସିପାରେ, ଅର୍ଥାତ ଆପଣ ଏହି ସେଟଅପ ବକ୍ସରେ ଅନ୍ୟ କମ୍ପାନୀର ସଫ୍ଟୱେୟାର ଡାଉନଲୋଡ କରିପାରିବେ। ଯେପରି ବର୍ତ୍ତମାନ ବ୍ୟବହାର କରୁଥିବା ମୋବାଇଲ ଫୋନରେ ଆପଣ ଯେକୌଣସି କମ୍ପାନୀର ସିମ ବ୍ୟବହାର କରୁଛନ୍ତି ଠିକ ସେହିପରି ଭାବରେ ଏହି ନୂଆ ସେଟଅପ ବକ୍ସରେ ସୁବିଧା ରହିପାରେ। କିନ୍ତୁ ଆଗରୁ ଯେଉଁମାନେ କୌଣସି କମ୍ପାନୀର DTH ବକ୍ସ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁହେବା କଷ୍ଟକର ହୋଇପାରେ।

ତେବେ ଏହି ବ୍ୟବସ୍ଥା ଲାଗୁହେବା ପରେ ଗ୍ରାହକମାନେ ନିଜ ପସନ୍ଦ ମୁତାବକ ଓ ଅଫର ଅନୁସାରେ DTH ନେଟୱାର୍କ ପରିବର୍ତ୍ତନ କରିପାରିବେ, ଯାହାକି DTH ସର୍ଭିସ ପ୍ରୋଭାଇଡ଼ରଙ୍କ ପାଇଁ ଆଦୌ ଭଲ ଖବର ନୁହେଁ। କାରଣ ଟେଲିକମ ବଜାରରେ ପୋର୍ଟେବିଲିଟି ସେବା ଲାଗୁହେବା ପରେ ଅନେକ ଅପରେଟରଙ୍କୁ କ୍ଷତି ସହିବାକୁ ପଡିଥିଲା ଓ ଗ୍ରାହକମାନଙ୍କୁ ନିଜ ସହିତ ଯୋଡି ରଖିବା ପାଇଁ ବର୍ତ୍ତମାନ ମଧ୍ୟ ଟେଲିକମ କମ୍ପାନୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଛି।

#TRAI #DTHportability

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon