• padmabati kund

ନ୍ୟୁଜିଲାଣ୍ଡ ନେଲା ପ୍ରତିଶୋଧ : ଭାରତୀୟ ଦଳ ଶୋଚନୀୟ ପରାସ୍ତ


(ବେତାର ବ୍ୟୁରୋ) ଲଗାତାର ତିନିଟି ଦିନିକିଆ ମ୍ୟାଚ ଜିତି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦିନିକିଆ ସିରିଜ ଜିତିବା ପରେ ସିରିଜର ଚତୁର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରତିଶୋଧ ନେଇଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଓ କୋହଲି ତଥା ଧୋନୀଙ୍କ ଅନୁପସ୍ଥିତି ଯୋଗୁଁ ହାମିଲଟନରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଭାରତର ଶୋଚନୀୟ ପରାଜୟ ଘଟିଛି। ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଆଠ ୱିକେଟରେ ଜିତି ଯାଇଛି।

ପ୍ରଥମ ଇନିଙ୍ଗ୍ସରେ ଭାରତ 30.5 ଓଭରରେ ମାତ୍ର 92ରନ କରି ଅଲଆଉଟ ହୋଇଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଏତେ ଖରାପ ରହିଥିଲା ଯେ, କେବଳ ଚାରିଜଣ ବ୍ୟାଟ୍ସମ୍ୟାନ ହିଁ ଦଶରୁ ଅଧିକ ରନ କରିପାରିଥିଲେ। ଭାରତ ପାଇଁ ସବୁଠୁ ଅଧିକ ରନ ଚହଲ (18) କରିଥିଲେ, ଯାହାକି ନୈରାଶ୍ୟଜନକ ଥିଲା ।

ଟ୍ରେଣ୍ଟ ବୋଲ୍ଟଙ୍କ ଉତ୍କୃଷ୍ଟ ବୋଲିଙ୍ଗ

ଭାରତୀୟ ଦଳକୁ 92ରନରେ ସୀମିତ ରଖିବାରେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୋଲ୍ଟ ନିଜର ଘାତକ ବୋଲିଙ୍ଗ ବଳରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ଭାରତୀୟ ଓପନର ଶିଖର ଧାୱନ, ରୋହିତ ଶର୍ମାଙ୍କ ଓ ଶୁଭମନ ଗିଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ ନେଇଥିଲେ। ସେ ନିଜର 10ଓଭର ବୋଲିଙ୍ଗରେ ମାତ୍ର 21ରନ ଦେଇ ଏହି ପାଞ୍ଚ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ଏହି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ଦିଆଯାଇଛି।

ଭାରତର ଲଜ୍ଜ୍ୟାଜନକ ରେକର୍ଡ

ଏହି ଚତୁର୍ଥ ଦିନିକିଆରେ ମାତ୍ର 92ରନ କରି ଭାରତୀୟ ଦଳ ଅଲଆଉଟ ହେବା ସହିତ ହାମିଲଟନରେ ସବୁଠାରୁ କମ ରନ କରିବାର ଲଜ୍ଜ୍ୟାଜନକ ରେକର୍ଡ କରିଛି। ଏହାପୂର୍ବରୁ ମଧ୍ୟ ଏହି ରେକର୍ଡ ଭାରତ ନାମରେ ରହିଥିଲା। 2003 ମସିହାରେ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ହାମିଲଟନରେ 122ରନରେ ଅଲଆଉଟ କରିଦେଇଥିଲା। କିନ୍ତୁ ଏହି ମ୍ୟାଚରେ ଭାରତ 100ରନ ମଧ୍ୟ କରିପାରିଲା ନାହିଁ। ଏହିପରି ଭାବରେ ଦଳ ନିଜର ପୁରୁଣା ରେକର୍ଡକୁ ଭାଙ୍ଗିବା ସହିତ ପୁଣି ଏକ ଲଜ୍ଜ୍ୟାଜନକ ରେକର୍ଡ କରିଛି।

ଏହାସହିତ ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ 212ବଲ ବାକି ଥାଇ ଭାରତକୁ ହରାଇଦେଇଛି, ଯାହାକି ମ୍ୟାଚରେ ଅଧିକ ବଲ ବାକି ଥାଇ ହାରିବାରେ ଭାରତ ପାଇଁ ସବୁଠାରୁ ବଡ ପରାଜୟ ଅଟେ। ଏହାପୂର୍ବରୁ 2010ରେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ଖେଳୁଥିବା ମ୍ୟାଚରେ 209ବଲ ବାକି ଥାଇ ପରାଜୟର ସାମ୍ନା କରିଥିଲା।

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ଲଗାତର ଭାବରେ ଭଲ ପ୍ରଦର୍ଶନ କରିଆସୁଥିଲା। ସିରିଜରେ 3-0 ରେ ଭାରତ ଆଗୁଆ ରହିବା ପରେ ବିରାଟଙ୍କୁ ଆରାମ ଦିଆଯାଇଥିଲା। ଏହାପରେ ଦଳର ଅଧିନାୟକତ୍ଵ ଭାର ରୋହିତ ଶର୍ମାଙ୍କ ଉପରେ ନିଷ୍ଟ କରାଯାଇଛି। ଏହି ମ୍ୟାଚ ରୋହିତ ଶର୍ମାଙ୍କ କ୍ୟାରିୟରର 200ତମ ମ୍ୟାଚ ଥିଲା। ଏହି ମ୍ୟାଚରେ ହାରିବା ପରେ ପରାଜୟର କାରଣ ନିଜେ ଖେଳାଳୀ ବୋଲି ସେ କହିଛନ୍ତି।

#cricket #indvsnz

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon