- ବେତାର ବ୍ୟୁରୋ
ପ୍ରାଥମିକ ସ୍କୁଲ ଶିକ୍ଷକ ପାଇବେ ପ୍ରମୋସନ; ଆରମ୍ଭ ହେବ ଅନଲାଇନ ପରୀକ୍ଷା

(ବେତାର ବ୍ୟୁରୋ) ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପ୍ରଶିକ୍ଷଣପ୍ରାପ୍ତ ସ୍ନାତକ ଡିଗ୍ରୀଧାରୀ ଶିକ୍ଷକମାନେ ନିଯୁକ୍ତି ପାଇବାର ଛଅ ବର୍ଷ ପରେ ନିୟମିତ ଶିକ୍ଷକର ମାନ୍ୟତା ପାଉଛନ୍ତି। କ୍ୟାଡର ଭିତ୍ତିରେ ପଦୋନ୍ନତି ପାଇଁ ଏହି ଶିକ୍ଷକମାନଙ୍କୁ ଆଉ ଅଧିକ ଦିନ ଅପେକ୍ଷାକରିବା କରିବାକୁ ପଡିବ ନାହିଁ। ଆଗକୁ ଏହି ଶିକ୍ଷକମାନେ ନିଯୁକ୍ତି ପାଇବାର ତିନିବର୍ଷ ପରେ ହାଇସ୍କୁଲ ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ହାଇସ୍କୁଲ ଶିକ୍ଷକ ପଦାକୁ ପଦୋନ୍ନତି ପାଇବା ପାଇଁ ସରକାରଙ୍କ ତରଫରୁ ପ୍ରତୋଯୋଗୀତାମୂଳକ ପରୀକ୍ଷାର ବ୍ୟବସ୍ଥା କରାଯିବ।
ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଭଲ କରିବେ ସେମାନେ ହାଇସ୍କୁଲରେ ନିଯୁକ୍ତି ପାଇବେ। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷଣ ପ୍ରାପ୍ତ କଳା ଓ ବିଜ୍ଞାନ ଡିଗ୍ରୀଧାରୀ ଶିକ୍ଷକଙ୍କ ପାଇଁ ସରକାର ଏଭଳି ଏକ ଯୋଜନା ଚୁଡାନ୍ତ କରିଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଏଇ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସଙ୍କ୍ରାନ୍ତୀୟ ପ୍ରସ୍ତାବକୁ ବୁଧବାର ଦିନ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅନୁମୋଦନ କରିଛନ୍ତି।
ଖାଲି ପଦବୀର 30%
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନେକ ଡିଗ୍ରୀଧାରୀ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଅଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହାଇସ୍କୁଲରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦର 30% ସ୍ଥାନରେ ଏହି ପରୀକ୍ଷାରେ ଉନ୍ନୀତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ରାଜ୍ୟରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 1ଲକ୍ଷ 80ହଜାର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 70ହଜାର ଶିକ୍ଷକ କଳା ଓ ବିଜ୍ଞାନ ଡିଗ୍ରୀଧାରୀ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଅଟନ୍ତି। ହାଇସ୍କୁଲରେ 30ହଜାର ଶିକ୍ଷକ ପଦବୀ ଖାଲିଥିଲେ ଏହି ବ୍ୟବସ୍ଥା ମାଧ୍ୟମରେ 10ହଜାର ଶିକ୍ଷକ ହାଇସ୍କୁଲରେ ନିୟୋଜିତ ହୋଇପାରିବେ। ସେହିପରି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଆଦି ପଦକୁ କ୍ୟାଡର ଭିତ୍ତିରେ ପଦୋନ୍ନତି କରିବା ପାଇଁ ପ୍ରାୟ 25ବର୍ଷ ଲାଗୁଥିଲା, କିନ୍ତୁ ଏବେ ନଅ ବର୍ଷ ପରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ମିଳିବ।
ତିନି ବର୍ଷ ଅଭିଜ୍ଞତା
ଅନ୍ୟୁନ ତିନିବର୍ଷ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହାଇସ୍କୁଲ ଶିକ୍ଷକ ପଦ ପାଇଁ ପରୀକ୍ଷା ଦେଇପାରିବେ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ନିଜ ଦକ୍ଷତା ପ୍ରତିପାଦନ କଲେ ସେମାନେ ଏହି ପଦ ପାଇଁ ଯୋଗ୍ୟ ହେବେ। ଭଲ ଶିକ୍ଷକ ମିଳିଲେ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ହେବା ସହିତ ଶିକ୍ଷକ ମାନଙ୍କର ମଧ୍ୟ ବେତନ ବଢିବ।