• padmabati kund

ବଜେଟ 2019 : କୃଷକ ପରିବାର ପାଇବେ ବର୍ଷକୁ ଟ.6,000


(ବେତାର ବ୍ୟୁରୋ) ଶୁକ୍ରବାର ଲୋକସଭାରେ 2019-20 ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଆଗତ କରାଯାଇଛି। ଏହି ବଜେଟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଘୋଷଣା କରାଯାଇଛି। ଦେଶର କୃଷକଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଏକ ବଡ ଘୋଷଣା କରିଛନ୍ତି। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟେଲ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ଘୋଷଣା କରିବା ସହିତ ଦେଶର କୃଷକଙ୍କୁ ବାର୍ଷିକ ଟ.6,000 ସହାୟତା ଦେବାର ଘୋଷଣା କରିଛନ୍ତି।

ଯେଉଁ କୃଷକଙ୍କ ପାଖରେ ଦୁଇ ହେକ୍ଟର (ପାଖାପାଖି 5ଏକର)ରୁ କମ ଜମି ରହିଛି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ଯୋଜନା ଦ୍ଵାରା ଦେଶର ମୋଟ 12କୋଟିରୁ ଅଧିକ କୃଷକଙ୍କୁ ଫାଇଦା ମିଳିବ ବୋଲି ଅର୍ଥମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି। ଏହି ଯୋଜନା ଅନୁସାରେ କୃଷକଙ୍କୁ ପ୍ରତିବର୍ଷ ଟ.6,000ର ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ। ଏହି ରାଶି ତିନିଟି କିସ୍ତିରେ କୃଷକଙ୍କୁ ମିଳିବ ଅର୍ଥାତ ଟ.2,000 ହିସାବରେ ତିନିଥର ପଠାଯିବ।

ଅର୍ଥମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ, ଏହି ଅର୍ଥରାଶି ଡିସେମ୍ବର 2018ରୁ ହିସାବ କରାଯାଇ କୃଷକଙ୍କ ବ୍ୟାଙ୍କଖାତାରେ ଦିଆଯିବ। ଅର୍ଥାତ ଆସନ୍ତା ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା ଏହାର ପ୍ରଥମ କିସ୍ତି କୃଷକଙ୍କୁ ମିଳିଯିବ। ଏହି ଯୋଜନା ପାଇଁ ଆନୁମାନିକ ଭାବରେ ପ୍ରାୟ 75ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଏହାସହିତ କୃଷକଙ୍କ କଲ୍ୟାଣ ଓ ଆୟ ଦୁଇଗୁଣ କରିବା ପାଇଁ ସରକାରଙ୍କ ତରଫରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। 22ଟି ମହତ୍ତ୍ୱପୂର୍ଣ୍ଣ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ 1.5 ଗୁଣ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି।

କାଳିଆ ସହ ତୁଳନା

ଆଗକୁ ନିର୍ବାଚନ ରହିଥିବା ବେଳେ କୃଷକଙ୍କ ଭୋଟକୁ ହାତେଇବା ପାଇଁ ରାଜ୍ୟ ସରକାର ମଧ୍ୟ 2018 ଡିସେମ୍ବର ମାସରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାର ଯୋଜନା ରହିଛି। । ରବି ଓ ଖରିଫ ଋତୁରେ ଏହି ଅର୍ଥ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯୋଗାଇ ଦିଆଯିବ। ଏଥିରେ ପ୍ରାୟ ୩୦ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ଅର୍ଥ ବର୍ଷକୁ ଦୁଇଥର ରବି ଓ ଖରିଫ ସମୟରେ ଟ.5,000 ଲେଖାଏଁ ମିଳିବ।

ଏହି ଯୋଜନା ଅନୁସାରେ ଜାନୁୟାରୀ ମାସରେ ଏହାର ପ୍ରଥମ କିସ୍ତି କୃଷକଙ୍କୁ ଯୋଗାଇ ଦିଆଯାଇଛି।

ତେବେ ଓଡିଶା ସରକାରଙ୍କର ଏହି କାଳିଆ ଯୋଜନାରେ ହିତାଧୀକାରୀଙ୍କ ପାଇଁ ଜମି ସୀମା ରଖାଯାଇନାହିଁ। ଅର୍ଥାତ କୃଷକଙ୍କ ଯେତେ ଜମି ଥିଲେ ନା ବିଲକୁଲ ନ ଥିଲେ ମଧ୍ୟ ସେ ଏହି ଯୋଜନା ଅଧୀନରେ ଅର୍ଥ ପାଇପାରିବେ। ଅନ୍ୟପଟେ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ ଯୋଜନାରେ ହିତାଧିକାରୀଙ୍କ ପାଇଁ ଜମିସୀମା ରଖାଯାଇଛି। ଦୁଇ ହେକ୍ଟରରୁ କମ ଜମିଥିବା କୃଷକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

#budget #budget2019 #farmer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon