• padmabati kund

ବିସିସିଆଇ ମୁଣ୍ଡବ୍ୟଥା ବଢାଉଛି ଖେଳାଳୀଙ୍କ ସହିତ ପରିବାର ସଦସ୍ୟଙ୍କ ଗସ୍ତ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳ ବିଦେଶକୁ ଖେଳିବାକୁ ଯାଇଥିବା ସମୟରେ ଖେଳାଳୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ସାଙ୍ଗରେ ଯାଇଥାନ୍ତି। ଖେଳାଳୀଙ୍କ ସହିତ ପରିବାରର ସଦସ୍ୟ ବିଦେଶ ଯିବା କଥା ଗତବର୍ଷ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା। ଏହାପରେ ବିସିସିଆଇ(ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ) ଅଧିକ ଦିନ ପର୍ଯ୍ୟନ୍ତ ବିଦେଶରେ ଚାଲୁଥିବା ମ୍ୟାଚରେ ପରିବାରକୁ ସାଙ୍ଗରେ ନେବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ବିଦେଶରେ ମ୍ୟାଚ ଥିବା ସମୟରେ ଖେଳାଳୀଙ୍କ ସହ ସେମାନଙ୍କ ପରିବାର ଯିବା ବିଷୟ ବୋର୍ଡ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ଦଳ କମ ସଦସ୍ୟଙ୍କ ସହିତ ବିଦେଶ ଯାଏ, ତେବେ ସେମାନଙ୍କର ପରିଚାଳନା କରିବା ସହଜ ହୋଇଥାଏ ଓ ବିସିସିଆଇର ସଦସ୍ୟମାନେ ଗ୍ରାଉଣ୍ଡ ବାହାରର ଅନ୍ୟାନ୍ୟ ସୁବିଧା ସହଜରେ ଯୋଗାଇ ପାରିଥାନ୍ତି। କାରଣ ଟିକେଟ ବୁକ୍ କରିବା ଠାରୁ ଆରମ୍ଭ କରି ରହିବା ପାଇଁ ହୋଟେଲର ବ୍ୟବସ୍ଥା କରିବାର ସମସ୍ତ ଦାୟିତ୍ଵ ବିସିସିଆଇ ଉପରେ ନ୍ୟସ୍ତ ଥାଏ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଖେଳାଳୀଙ୍କ ସହିତ ଅଧିକ ପରିବାର ସଦସ୍ୟ ଯାଆନ୍ତି ତେବେ ସେମାନଙ୍କର ପରିଚାଳନା କରିବା ବହୁତ କଷ୍ଟ ହୋଇଥାଏ। କିଛିଦିନ ପୂର୍ବେ ଅଷ୍ଟ୍ରେଲିଆରେ ହୋଇଥିବା ସିରିଜ ସମୟରେ ମଧ୍ୟ ଭାରତକୁ ଏହିପରି କିଛି ଅସୁବିଧାର ସାମ୍ନା କରିବାକୁ ପଡିଥିଲା। କାରଣ ଗୋଟିଏ ଗ୍ରାଉଣ୍ଡରୁ ଅନ୍ୟ ଗୋଟିଏ ଗ୍ରାଉଣ୍ଡକୁ ଯିବା ଆସିବା କରିବା ପାଇଁ ବୋର୍ଡ ଦୁଇଟି ବସ ଠିକ କରିଥିଲା କିନ୍ତୁ ଖେଳାଳୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇ 40ଜଣ ସଦସ୍ୟ ଥିଲେ।

ଅଷ୍ଟ୍ରେଲିଆ ସିରିଜରେ ଏହିସବୁ ଘଟଣାକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି କାରଣ ଯେଉଁ ଖେଳାଳୀ ନିୟମିତ ନଥିଲେ ସେମାନଙ୍କର ପରିବାର ସଦସ୍ୟମାନେ ମଧ୍ୟ ଦୁଇସପ୍ତାହ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ରହିଥିଲେ। ଏହାକୁ ନେଇ ବିସିସିଆଇର ଅଧିକାରୀ କହିଛନ୍ତି ଯେ, ସମସ୍ତଙ୍କର ପରିଚାଳନା କରିବା ବହୁତ କଷ୍ଟକର ବ୍ୟାପାର ଅଟେ। ଏହା ସହିତ ଅନ୍ୟ ଏକ ସମସ୍ୟା ହେଉଛି ସମସ୍ତଙ୍କ ପାଇଁ ମ୍ୟାଚର ଟିକେଟ ବୁକ କରିବା। କିନ୍ତୁ ଅର୍ଥ ଖର୍ଚ୍ଚ ଏହାର ମୁଖ୍ୟ କାରଣ ନୁହେଁ।

ସୂଚନା ମୁତବକ ବିସିସିଆଇ ପାଇଁ ଖେଳାଳୀଙ୍କ ପରିବାରର ଖର୍ଚ୍ଚ ଉଠାଇବା ଅଧିକ ମହଙ୍ଗା ହୋଇ ନ ଥାଏ କାରଣ ଖେଳାଳୀମାନେ ନିଜ ପରିବାରର ଖର୍ଚ୍ଚ ନିଜେ କରିଥାନ୍ତି କିନ୍ତୁ ସେମାନଙ୍କର ଯିବାଆସିବାର ବ୍ୟବସ୍ଥା କରିବା ଓ ଜିନିଷପତ୍ର ନେବାଆଣିବା ବୋର୍ଡ ପାଇଁ ବହୁତ କଷ୍ଟକର ହୋଇଥାଏ।

ଆଗକୁ ବିଶ୍ଵକପ ଆରମ୍ଭ ହେବାକୁ ଯାଉଛି ଓ ଏହା ଇଂଲଣ୍ଡରେ ଖେଳାଯିବ। ଯଦି ଖେଳାଳୀଙ୍କ ସହିତ ତାଙ୍କର ପରିବାର ସଦସ୍ୟ ଯାଆନ୍ତି ତେବେ ସମସ୍ତଙ୍କ ପାଇଁ ରହିବା ଓ ଯିବାଆସିବାର ବ୍ୟବସ୍ଥା କରିବାରେ ବୋର୍ଡକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ ବୋଲି ଉକ୍ତ ଅଧିକାରୀ କହିଛନ୍ତି।

#cricket #BCCI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon