• ବେତାର ବ୍ୟୁରୋ

ମଧ୍ୟବିତ୍ତଙ୍କ ପାଇଁ  ‘ଅଚ୍ଛେ ଦିନ’ : ଟ.5 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ


ବଜେଟ 2019 ମୁଖ୍ୟାଂଶ

- ବୀମାରେ ନିବେଶ କରିଥିଲେ 6.5 ଲକ୍ଷ ଟଙ୍କା ଆୟରେ ଲାଗିବନି କୌଣସି ଟାକ୍ସ - ଘରୁ ଭଡା ପାଉଥିଲେ, ପୋଷ୍ଟ ଅଫିସ ଜମା ଆଂଶିକ କର ମୁକ୍ତ - ESIରେ ପଞ୍ଜୀକୃତ ଶ୍ରମିକ ପରିବାରକୁ ଆକସ୍ମିକ ମୃତ୍ୟୁ ସହାୟତା 6 ଲକ୍ଷ ଟଙ୍କା - ଡ୍ରାଇଭର, ରିକ୍ସା ଚାଳକ,ବାସନ ମାଜିବା ବାଲା ପାଇବେ ମାସକୁ 3000 ଟଙ୍କା

(ବେତାର ବ୍ୟୁରୋ) ନିର୍ବାଚନ ଆଗରୁ ମୋଦୀ ସରକାର ଚାଷୀ ମୁଲିଆ ସମେତ ମଧ୍ୟବିତ୍ତ ପରିବାର ଭଳି ସମସ୍ତଙ୍କୁ ଖୁସି କରିବା ପାଇଁ ଯୋଜନା ଆଣୁଥିବାର ଯେଉଁ ଚର୍ଚ୍ଚା କିଛି ଦିନ ଆଗରୁ ଗଣମାଧ୍ୟମ ଗୁଡିକରେ ଲାଗି ରହିଥିଲା ତାହା ବାସ୍ତବରେ ପରିଣତ ହେଇଛି । 2019-20 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରି ମୋଦୀ ସରକାର ଭାରତର ଅତି ଗରିବରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ନିମନ୍ତେ ଏପରି କିଛି ବ୍ୟବସ୍ଥା କରିଛନ୍ତି ଯାହା ଅନେକ ମାତ୍ରାରେ ଭୋଟରଙ୍କୁ ପ୍ରଭାବିତ କରିପାରେ ।

ଭାରତ ସରକାରଙ୍କ ନୂଆ ଯୋଜନା କ୍ରମରେ ଏଣିକି 2019-20 ଆର୍ଥିକ ବର୍ଷଠାରୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଇନକମ ଟାକ୍ସ ଦେବାକୁ ପଡିବ ନାହିଁ । ପୂର୍ବରୁ ଏହି ସୀମା ବାର୍ଷିକ 2.5 ଲକ୍ଷ ଟଙ୍କା ଥିଲା । ଆଗରୁ ସରକାର ଏହି ସୀମାକୁ ବାର୍ଷିକ 50,000 ପର୍ଯ୍ୟନ୍ତ ବଢାଉଥିବାର ଦେଖାଯାଉଥିଲା ଓ ମଝିରେ ଏହି ସୀମାକୁ ମୋଦୀ ସରକାର ଦୁଇ-ତିନି ବର୍ଷ ଆଦୌ ବଦଳାଇ ନ ଥିଲେ । ହେଲେ ଚଳିତ ବର୍ଷ ଏହାକୁ ଏକାଥରକେ ଦୁଇଗୁଣ ବଢାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅର୍ଥାତ ଯଦି ଆପଣଙ୍କ ସମୁଦାୟ ବାର୍ଷିକ ଆୟ ଟ.5 ଲକ୍ଷ ହେଇଥାଏ , ଓ ଇନକମ ଟାକ୍ସ ହିସାବ ଅନୁସାରେ ଆପଣଙ୍କୁ ସରକାରଙ୍କୁ ଦେବାକୁ ଥିବା ଆୟକର ପରିମାଣ ଟ.12500ରୁ କମ ହେଇଥାଏ , ତେବେ ଆପଣଙ୍କୁ କୌଣସି ଟାକ୍ସ ଦେବାକୁ ପଡିବ ନାହିଁ । ପୂର୍ବରୁ ଯଦି ସମୁଦାୟ କର ପରିମାଣ ଟ.2500 ହେଉଥିଲା ତେବେ ବ୍ୟକ୍ତିଙ୍କୁ କୌଣସି କର ଦେବାକୁ ପଡୁ ନ ଥିଲା ।

ଏହା ସହିତ ଯେଉଁମାନେ LIC ଆଦି ଜୀବନବୀମା କିମ୍ବା ସ୍ୱାସ୍ଥ୍ୟବୀମାରେ ନିବେଶ କରିଥିବେ, ସେମାନଙ୍କର ଆୟ ବାର୍ଷିକ 6.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଇଥିଲେ ସେଥିରେ କୌଣସି ଆୟକର ଲାଗିବ ନାହିଁ ।

ଘରୋଇ ବା ପ୍ରାଇଭେଟ କ୍ଷେତ୍ରରେ ବେତନପ୍ରାପ୍ତି କର୍ମଚାରୀମାନଙ୍କ ପାଇଁ ଗ୍ରାଚ୍ୟୁଇଟି ସୀମାକୁ ସରକାର ବଢେଇଦେବା ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନ ପରେ କର୍ମଚାରୀ କୌଣସି ଏକ ସଂସ୍ଥାରୁ ଚାକିରୀ ଛାଡିଲେ ବା ଅବସର ଗ୍ରହଣ କଲେ ସେମାନେ 20ଲକ୍ଷ ଟଙ୍କା ପାଇପାରିବେ। ଯାହାର ପରିମାଣ ପୂର୍ବରୁ 10ଲକ୍ଷ ଟଙ୍କା ଥିଲା।

ଘରଭଡା, ସୁଧ ଆୟ ମଧ୍ୟବିତ୍ତ ପରିବାରରେ ଯେଉଁମାନେ ଘରତିଆରି କରି ଭଡା ଦେଇଥାନ୍ତି ସେମାନଙ୍କୁ ସେହି ଆୟ ଉପରେ କର ଦେବାକୁ ପଡିଥାଏ । ତେବେ ପ୍ରଚଳିତ ନିୟମ ଅନୁସାରେ ଏଥିପାଇଁ ଘରଭଡା 15,000 ଟଙ୍କାରୁ ଉର୍ଦ୍ଧ୍ଵ ହେଇଥିବା ଆବଶ୍ୟକ । ଶୁକ୍ରବାର ବଜେଟରେ ଏହାର ସୀମା ବଢାଇ ମାସିକ 20,000 ଟଙ୍କା ଘରଭଡା ପାଉଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି । ସେହିପରି ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଟଙ୍କା ଜମାକରି ସୁଧ ପାଉଥିଲେ ବାର୍ଷିକ 40,000ପର୍ଯ୍ୟନ୍ତ ସୁଧ ଆୟରେ କୌଣସି କର ଦେବାକୁ ପଡିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।

ଶ୍ରମିକଙ୍କୁ ପେନସନ

ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଯଥା ବାସନମଜା କର୍ମୀ, କାଠମିସ୍ତ୍ରୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, ଡ୍ରାଇଭର ଇତ୍ୟାଦି ବର୍ଗଙ୍କୁ ମୋଦୀ ସରକାର ଆକର୍ଷିତ କରିବା ଲାଗି ବଡ ଘୋଷଣା କରିଛନ୍ତି –‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ’ । ଏହି ଘୋଷଣା ଅନୁସାରେ ଏହି ବର୍ଗର ପୁରୁଷ ଓ ମହିଳାମାନେ ମାସିକ ମାତ୍ର 100 ଟଙ୍କା ଦାଖଲ କରି 60 ବୟସ ବର୍ଷ ପରେ ମାସକୁ 3000 ଟଙ୍କା ଲେଖାଏଁ ପେନସନ ପାଇବାର ବ୍ୟବସ୍ଥା କରାଯାଇଛି । ତେବେ ଯେଉଁମାନଙ୍କ ମାସିକ ଆୟ ଟ.15000ରୁ ଅଧିକ ହେଇଥିବ ସେମାନେ ଏହି ଯୋଜନାରୁ ବଞ୍ଚିତ ହେବେ ।

ଗୋୟେଲଙ୍କ କହିବା ଅନୁସାରେ, ଏହା ବିଶ୍ଵର ସର୍ବବୃହତ ପେନସନ ସ୍କିମ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ସରକାର ଏଥିପାଇଁ 500କୋଟି ଟଙ୍କା ମଞ୍ଜୁର କରିଛନ୍ତି।

#budget2019 #incometax #personalfianance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon