- ବେତାର ବ୍ୟୁରୋ
ସୋମବାର ତ୍ରିବେଣୀ ଅମାବାସ୍ୟା : ଜାଣନ୍ତୁ ଏହାର ମହତ୍ତ୍ଵ

(ବେତାର ବ୍ୟୁରୋ) ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କୁହାଯାଏ । ଚଳିତ ମାଘ ମାସରେ ଏହା ଫେବୃୟାରୀ 4 ତାରିଖ (ସୋମବାର) ରେ ପଡୁଛି। ଯୋଗ ଉପରେ ଏହା ଆଧାରିତ ବୋଲି ଆଗରୁ ମାନ୍ୟତା ରହିଛି। ପୌରଣିକ କଥା ଅନୁଯାୟୀ ତ୍ରିବେଣୀ ଅମାବାସ୍ୟାରେ ସଂଗମକୁ ଦେବତାଙ୍କର ଆଗମନ ହୋଇଥାଏ ଓ ଏଥିପାଇଁ ଏହିଦିନ ଗଙ୍ଗାସ୍ନାନର ବିଶେଷ ମହତ୍ତ୍ଵ ରହିଛି।
ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବନାର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ ।
ଏହାଛଡ଼ା ରବି ବା ସୂର୍ଯ୍ୟ ବର୍ଷକରେ ଥରେ ମକର ରାଶିକୁ ଗମନ କରନ୍ତି । ଶନି ହେଉଛନ୍ତି ମକରର ସ୍ୱାମୀ ବା ପ୍ରଭୁ ଏବଂ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଅବସ୍ଥାନଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ । ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି । ଚନ୍ଦ୍ରଙ୍କଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ । ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ଏଥିପାଇଁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ ।
ସୋମବାର ତ୍ରିବେଣୀ ଅମାବାସ୍ୟାର ମହତ୍ତ୍ଵ ଅଧିକ

ଚଳିତ ଥରର ତ୍ରିବେଣୀ ଅମାବାସ୍ୟାର ମହତ୍ତ୍ଵ ବହୁତ ବଢିଯାଇଛି କାରଣ ଏହା ସୋମବାରରେ ପଡୁଛି। ଯଦି ତ୍ରିବେଣୀ ଅମାବାସ୍ୟା ସୋମବାରରେ ପଡୁଥାଏ ତେବେ ଏହାର ଗୁରୁତ୍ଵ ବହୁତ ବଢିଯାଇଥାଏ। ଏହିଦିନରେ ସ୍ନାନ କରିସାରିବା ପରେ ନିଜ ସାମର୍ଥ୍ୟ ଅନୁସାରେ ଆନ୍ନ, ବସ୍ତ୍ର, ଧନ,ଭୂମି ତଥା ସୁନା ଦାନ କରିବା ଉଚିତ। ଏହାସହିତ ଏହି ତିଥିରେ ଉଭୟ ଭଗବାନ ବିଷ୍ଣୁ ଓ ଶିବଙ୍କ ପୂଜାର ବିଧାନ ରହିଛି। ଏହିଦିନ ୱସ୍ଥ ଗଛ ମୂଳରେ ଦୀପ ଜାଳି ଏହାର ପରିକ୍ରମା କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ଓ ଯେଉଁମାନେ ଏହିଦିନ ବ୍ରତ କରିପାରିନଥାନ୍ତି ସେମାନେ ମିଠା ଭୋଜନ କରିବା ଉଚିତ।
ସଂଗମ ସ୍ନାନର ମହତ୍ତ୍ଵ
ସଂଗମରେ ସ୍ନାନର ମହତ୍ତ୍ଵକୁ କହିବାକୁ ଯାଇ ଏକ ପୌରଣିକ କଥାକୁ ବର୍ଣ୍ଣନା କରାଯାଏ। ଏହି କଥା ସାଗର ମନ୍ଥନ ସହିତ ଜଡିତ। ଏହା ଅନୁସାରେ ଯେତେବେଳେ ସାଗର ମନ୍ଥନରୁ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ ସେତେବେଳେ ଦେବତା ଓ ଅସୁରଙ୍କ ମଧ୍ୟରେ ଏହି ଅମୃତ କଳସ ପାଇଁ ଝଗଡା ହୋଇଥିଲା। ଏହି ଟଣାଓଟରାରେ ଅମୃତର କିଛି ବିନ୍ଦୁ ପ୍ରୟାଗରାଜ, ହରିଦ୍ଵାର, ନାସିକ ଓ ଉଜ୍ଜ୍ଵୟିନୀରେ ପଡିଯାଇଥିଲା। ଏଥିପାଇଁ ବିଶ୍ଵାସ ରହିଛି ଯେ, ଏହି ନଦୀରେ ସ୍ନାନ କରିବା ଦ୍ଵାରା ଅମୃତ ସ୍ନାନର ପୂଣ୍ୟ ଲାଭ ହୋଇଥାଏ।