• ବେତାର ବ୍ୟୁରୋ

କପି ରୋକିବାକୁ ସରକାରୀ ଚାକିରୀ ପରୀକ୍ଷା ହେବ ଅନଲାଇନରେ


(ବେତାର ବ୍ୟୁରୋ) ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ଓ କପି ହେଉଥିବା ପରି ଘଟଣାରୁ ମୁକ୍ତି ପାଇବାକୁ ଏଣିକି ଲୋକସେବା ଆୟୋଗ ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ସୋମବାର ଭୁବନେଶ୍ଵରଠାରେ ଅନୁଷ୍ଠିତ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଓ ବିଭିନ୍ନ ରାଜ୍ୟର ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ଆଲୋଚନା ହୋଇଛି।

ଅନଲାଇନରେ ପରୀକ୍ଷା ହେବା ଦ୍ଵାରା ପରୀକ୍ଷାର୍ଥୀ ମାନେ ଲାଭବାନ ହେ‌ବେ ଓ ପ୍ରକ୍ରିୟା ସରଳ ହେବା ସହ ପରୀକ୍ଷାରେ ଅନିୟମିତତା ରୋକାଯାଇପାରିବ ବୋଲି ୟୁପିଏସସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏହି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ୟୁପିଏସସି ପରୀକ୍ଷା ପରିଚାଳନା କରାଯିବ।

ୟୁପିଏସସି ପରୀକ୍ଷା ପାଇଁ ଫର୍ମ ପୂରଣଠାରୁ ଆରମ୍ଭ କରି ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ, ସବୁ କିଛି ଅନଲାଇନରେ କରାଯିବ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଆଖି ଆଗରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ଅନଲାଇନରେ ପରୀକ୍ଷା ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା, ୱେବସାଇଟ୍‌ ହ୍ୟାକ୍‌ ପରି ସମସ୍ୟା ମଧ୍ୟ ବିଭିନ୍ନ ସମୟରେ ସୃଷ୍ଟି ହୋଇପାରେ। ଏହାକୁ ମଧ୍ୟ ନଜରରେ ରଖାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ୟୁପିଏସସିର ଅଧ୍ୟକ୍ଷ ଅରବିନ୍ଦ ସକ୍ସେନା କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ତ ପରୀକ୍ଷା କରିବାକୁ ପ୍ରାଥମିକତା ଦିଆଯାଉଛି। ପରୀକ୍ଷାକୁ ପରୀକ୍ଷାର୍ଥୀଙ୍କ ସହ ଯୋଡ଼ିବା‌ ଦିଗରେ ଆଲୋଚନା କରାଯାଉଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା କିଭଳି କମ ହୋଇପାରିବ ସେନେଇ ଆଲୋଚନା ହୋଇଛି। ସମ୍ମିଳନୀରୁ ଯେଉଁ ସମାଧାନ ବାହାରିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସୁପାରିସ କରାଯିବ।

ଉତ୍ତର ଖାତା ଦେଖିପାରିବେ ପରୀକ୍ଷାର୍ଥୀ

ତେବେ ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀଙ୍କର ଯଦି କୌଣସି ସନ୍ଦେହ ଉପୁଜିବ ତେବେ ସେ ଉତ୍ତର ଖାତା ଦେଖିପାରିବେ। ଏହାଦ୍ଵାରା ପରୀକ୍ଷା ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିପାରିବ।

ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ବ୍ରିଗେଡିୟର ଏଲ୍‌ ସି ପଟ୍ଟନାୟକ କହିଛନ୍ତି ଯେ, ପରୀକ୍ଷା ଯେପରି ଡିଜିଟାଲାଇଜ୍‌ଡ ଓ ଆଇନଗତ ଭାବେ ସୁଦୃଢ଼ ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ। ପରୀକ୍ଷା ପ୍ରକ୍ରିୟା ଏଭଳି କରାଯିବ ଯେ ପରୀକ୍ଷାର୍ଥୀ ଯେତେବେଳେ ଚାହିଁବେ ନିଜର ଉତ୍ତର ଖାତା ଦେଖିପାରିବେ। ଉତ୍ତର ଖାତାରେ କ’ଣ ଲେଖିଛନ୍ତି, କେତେ ମାର୍କ ମିଳିଛି, କେଉଁଠି ତ୍ରୁଟି ରହିଲା ତାହାକୁ ନେଇ ପରୀକ୍ଷାର୍ଥୀ ସମୀକ୍ଷା କରିପାରିବେ।

ଲୋକସେବା ଆୟୋଗ ପରୀକ୍ଷାରେ ଏଭଳି ସଂସ୍କାର ପରୀକ୍ଷାର୍ଥୀଙ୍କ ପାଇଁ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ। କିନ୍ତୁ ଗୋଟିଏ ଦିନରେ ଉଭୟ ୟୁପିଏସସି ଓ ଓପିଏସସି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବହୁ ସମୟରେ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଦିଗପ୍ରତି ଦୃଷ୍ଟି ଦେବାକୁ ଅନେକ ସମୟରେ ଦାବି ମଧ୍ୟ କରାଯାଉଛି।

#upscexam #onlineexam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon