• padmabati kund

ନ୍ୟୁଜିଲାଣ୍ଡ ବୋଲିଂ ଆଗରେ ମୁଣ୍ଡ ନୂଆଁଇଲା ଭାରତ, ଟି20ରେ ସବୁଠୁ ବଡ ପରାଜୟ


(ବେତାର ବ୍ୟୁରୋ) ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଭାରତୀୟ ଦଳ ଦିନିକିଆ ସିରିଜରେ 4-1ରେ ବିଜୟ ହାସଲ କରିବା ପରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଅତି ଖରାପ ପ୍ରଦର୍ଶନ କରିଛି। ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ଦଳ 80ରନରେ ହରାଇ ଦେଇଛି ଓ ସିରିଜରେ 1-0ରେ ଆଗୁଆ ରହିଛି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ୍ ସାଉଥି ଭାରତୀୟ ଦଳର ପରାଜୟ ଦ୍ଵାର ଖୋଲିବାରେ ସାହାଯ୍ୟ କରିଥିଲେ । ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ସେ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ ଓ ଶେଷ ୱିକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ

ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଭାରତର ଏହି ଲଜ୍ୟାଜନକ ପରାଜୟ ପଛରେ ଅନ୍ୟ ଏକ କାରଣ ଥିଲା । ଲଗାତାର ଭାବେ ବିଦେଶରେ ଭାରତୀୟ ବୋଲରମାନେ ନିଜ ପ୍ରଦର୍ଶନ ବଳରେ ଦଳକୁ ଜିତାଉଥିବା ବେଳେ ଏହି ମ୍ୟାଚରେ ଭାରତୀୟ ଦଳର ବୋଲରଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ପ୍ରାୟ ଦୁଇବର୍ଷ ପରେ ଭାରତୀୟ ବୋଲରମାନେ ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଏପରି ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ବୋଲରମାନେ ଦୁଇବର୍ଷ ପରେ ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚରେ 200ରୁ ଅଧିକ ରନ ଦେଇଛନ୍ତି।

ଏହି ମ୍ୟାଚରେ ଖଲିଲ ଅହମ୍ମଦ 48ରନ, ୟୁଜବେନ୍ଦ୍ର ଚହଲ 35ରନ, କୃନାଲ ପାଣ୍ଡ୍ୟା 37ରନ, ହାର୍ଦ୍ଦିକ ପାଣ୍ଡ୍ୟା 51ରନ ଦେଇଥିଲେ। ଦ୍ଵିତୀୟ ଥର ପାଇଁ ଭାରତୀୟ ଦଳର ପାଞ୍ଚଜଣ ବୋଲର 35ରନରୁ ଅଧିକ ରନ ଦେଇଛନ୍ତି। ପ୍ରଥମ ଥର ପାଇଁ ଦଳର ତିନିଜଣ ବୋଲର 45ରନରୁ ଅଧିକ ରନ ଦେଇଛନ୍ତି।

ଭୁବନେଶ୍ଵରଙ୍କ ନିରାଶାଜନକ ପ୍ରଦର୍ଶନ

ଭାରତୀୟ ଫାଷ୍ଟ ବୋଲର ଭୁବନେଶ୍ଵର କୁମାର ଏହି ମ୍ୟାଚରେ ନିଜ ବୋଲିଙ୍ଗର ଛାପ ଛାଡିବାରେ ଅସମର୍ଥ ରହିଲେ ଓ ନିଜ ଟି-ଟ୍ୱେଣ୍ଟି କ୍ୟାରିୟରର ସବୁଠାରୁ ଖରାପ ପ୍ରଦର୍ଶନ ଏହି ମ୍ୟାଚରେ କରିଛନ୍ତି। ଭୁବନେଶ୍ଵର କୁମାର ନିଜ 4ଓଭରରେ 47ରନ ଦେଇ ମାତ୍ର ଗୋଟିଏ ୱିକେଟ ନେବାରେ ସମର୍ଥ ହୋଇଥିଲେ। ଏହି ମ୍ୟାଚ ପୂର୍ବରୁ ଭୁବବନେଶ୍ଵର କୁମାର ଟି-ଟ୍ୱେଣ୍ଟି ମ୍ୟାଚରେ ସବୁଠାରୁ ଖରାପ ପ୍ରଦର୍ଶନ 2012ରେ ପାକିସ୍ଥାନ ବିରୁଦ୍ଧରେ ଅହମ୍ମଦାବାଦରେ କରିଥିଲେ। ସେହି ମ୍ୟାଚରେ ଭୁବନେଶ୍ଵର ମୋଟ 46ରନ ଦେଇଥିଲେ।

ଟି-ଟ୍ୱେଣ୍ଟିରେ ଭାରତର ବଡ ପରାଜୟ

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ 80ରନରେ ପରାଜୟ କରିଛି ଓ ଏହା ଭାରତର ଟି-ଟ୍ୱେଣ୍ଟି ମ୍ୟାଚରେ ସବୁଠାରୁ ବଡ ପରାଜୟ ଅଟେ। ପ୍ରଥମେ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିର୍ଣ୍ଣୟ କରିଥିବା ଭାରତୀୟ ଦଳର ବୋଲରଙ୍କ ଉପରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ମାନେ ନିଜ ପ୍ରଦର୍ଶନ ବଳରେ ଭାରି ପଡିଥିଲେ ଓ ନିର୍ଦ୍ଧାରିତ 20ଓଭରରେ 6 ୱିକେଟ ହରାଇ 219ରନ କରିଥିଲେ। ଏହା ଭାରତ ବିରୁଦ୍ଧରେ ନ୍ୟୁଜିଲାଣ୍ଡର ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠାରୁ ବଡ ସ୍କୋର ଅଟେ।

ଭାରତ ଆଗରେ 20ଓଭରରେ 220 ରନର ଲକ୍ଷ୍ୟ ରହିଥିବେ ବେଳେ 19.2 ଓଭରରେ ମାତ୍ର 139ରନ କରି ଅଲଆଉଟ ହୋଇଯାଇଥିଲେ। ରନ ବ୍ୟବଧାନରେ ଦେଖିଲେ ଏହା ଭାରତର ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠାରୁ ବଡ ପରଜାୟ ଅଟେ।

ତେବେ ସିରିଜର ଦ୍ଵିତୀୟ ମ୍ୟାଚ ଫେବୃୟାରୀ 8, ଶୁକ୍ରବାର ଇଡେନ ପାର୍କ, ଅକଲ୍ୟାଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ବିଜୟ ହୋଇ ସିରିଜକୁ ସମାନ କରିବା ପାଇଁ ଦଳ ଲକ୍ଷ୍ୟ ରଖିବ।

#cricket #indvsnz #T20cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon