• ବେତାର ବ୍ୟୁରୋ

ସେକ୍ସନ ଅଫିସର ପରୀକ୍ଷା ବାତିଲ କରାଇ ଅନଲାଇନ କରାଇବାକୁ ଦାବି


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଗତ ଜାନୁୟାରୀ 20 ତାରିଖରେ ଅନୁଷ୍ଠିତ ହୋଇଥିବା ASO (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷାରେ ଅନେକ ଅନିୟମିତତା ନେଇ ପରୀକ୍ଷାର୍ଥୀଙ୍କ ଠାରୁ ଅଭିଯୋଗ ହୋଇଥିଲା। ତେଣୁ ଏହି ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷାକୁ ଅନଲାଇନରେ କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ଦାବି କରାଯାଇଛି।

ଗତ ASO ପରୀକ୍ଷା ସମୟରେ ଅଧିକାଂଶ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ କପି, ସ୍ମାର୍ଟୱାଚ ଓ ଫୋନର ବ୍ୟବହାର କରିଥିଲେ। ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ବାହାରୁ ସହଜରେ ଉତ୍ତର ପାଇପାରିଥିଲେ। ଏହିପରି ଭାବରେ ଏହି  ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖାଯାଇଥିଲା।

ତେବେ ନିକଟରେ ଲୋକସେବା ଆୟୋଗ ତରଫରୁ ଘୋଷଣା କରଯାଇଥିଲା ଯେ, ଲୋକସେବା ଆୟୋଗର ସମସ୍ତ ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ। ଯେହେତୁ ଏହି ପରୀକ୍ଷାରେ ଅନିୟମିତତା ହୋଇଛି ସେଥିପାଇଁ ଏହି ASO ପରୀକ୍ଷାକୁ ବାତିଲ କରି ଅନଲାଇନରେ କରିବାକୁ ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ମଙ୍ଗଳବାର ଦିନ ପରିଷଦ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ମଧ୍ୟ କରାଯାଇଥିଲା।

ଅନଲାଇନରେ ପରୀକ୍ଷା

କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ଏଣିକି ଲୋକସେବା ଆୟୋଗ ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନଲାଇନରେ ପରୀକ୍ଷା ହେବା ଦ୍ଵାରା ପରୀକ୍ଷାର୍ଥୀ ମାନେ ଲାଭବାନ ହେ‌ବେ ଓ ପ୍ରକ୍ରିୟା ସରଳ ହେବା ସହ ପରୀକ୍ଷାରେ ଅନିୟମିତତା ରୋକାଯାଇପାରିବ। ଲୋକସେବା ଆୟୋଗର ନିଷ୍ପତ୍ତି ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ୟୁପିଏସସି ପରୀକ୍ଷା ପରିଚାଳନା କରାଯିବ।

ୟୁପିଏସସି ପରୀକ୍ଷା ପାଇଁ ଫର୍ମ ପୂରଣଠାରୁ ଆରମ୍ଭ କରି ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ, ସବୁ କିଛି ଅନଲାଇନରେ କରାଯିବ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଆଖି ଆଗରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ଅନଲାଇନରେ ପରୀକ୍ଷା ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା, ୱେବସାଇଟ୍‌ ହ୍ୟାକ୍‌ ପରି ସମସ୍ୟା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ଉତ୍ତର ଖାତା ଦେଖିପାରିବେ ପରୀକ୍ଷାର୍ଥୀ

ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀଙ୍କର ଯଦି କୌଣସି ସନ୍ଦେହ ଉପୁଜିବ ତେବେ ସେ ଉତ୍ତର ଖାତା ମଧ୍ୟ ଦେଖିପାରିବେ। ଏହାଦ୍ଵାରା ପରୀକ୍ଷା ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିପାରିବ। ପରୀକ୍ଷା ଯେପରି ଡିଜିଟାଲାଇଜ୍‌ଡ ଓ ଆଇନଗତ ଭାବେ ସୁଦୃଢ଼ ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ। ପରୀକ୍ଷା ପ୍ରକ୍ରିୟା ଏଭଳି କରାଯିବ ଯେ ପରୀକ୍ଷାର୍ଥୀ ଯେତେବେଳେ ଚାହିଁବେ ନିଜର ଉତ୍ତର ଖାତା ଦେଖିପାରିବେ। ଉତ୍ତର ଖାତାରେ କ’ଣ ଲେଖିଛନ୍ତି, କେତେ ମାର୍କ ମିଳିଛି, କେଉଁଠି ତ୍ରୁଟି ରହିଲା ତାହାକୁ ନେଇ ପରୀକ୍ଷାର୍ଥୀ ସମୀକ୍ଷା କରିପାରିବେ।

#asoexam #career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon