• ବେତାର ବ୍ୟୁରୋ

ଦଶବର୍ଷରେ ଓଡିଶାରେ ହେଇଛି ଏତିକି ସରକାରୀ ନିଯୁକ୍ତି


(ବେତାର ବ୍ୟୁରୋ) ଓଡିଶାରେ ଗତ ଦଶ ବର୍ଷ ମଧ୍ୟରେ କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ସେ ନେଇ ସରକାର ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ନିୟୋଜନ କାର୍ଯ୍ୟାଳୟରେ ବା ଏମ୍ପ୍ଲୟେମେଣ୍ଟ ଏକ୍ସଚେଞ୍ଜରେ କେତେ ଯୁବକଯୁବତୀ ନାମ ପଞ୍ଜୀକରଣ କରିଛନ୍ତି ଓ ସେଥିମଧ୍ୟରୁ କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ସେ ନେଇ ଦକ୍ଷତା ବିକାଶ ବିଭାଗ ତରଫରୁ ବିଧାନସଭାରେ ଏକ ତାଲିକା ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଅନୁଯାୟୀ ରାଜ୍ୟରେ ଦଶବର୍ଷରେ ମୋଟ 26ହଜାର 450ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି , ଯାହା ସମୁଦାୟ ପଞ୍ଜୀକରଣର ଦୁଇ ପ୍ରତିଶତରୁ ବି କମ ଅଟେ।

ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ବୁଧବାର ବିଧାନସଭାରେ ପ୍ରକାଶ କରିଥିବା ଏହି ତଥ୍ୟ ଅନୁଯାୟୀ ରାଜ୍ୟରେ ଦଶବର୍ଷ ମଧ୍ୟରେ ଯେତିକି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି ତାହା ମୋଟ ପଞ୍ଜୀକରଣ ହେଇଥିବା ସଂଖ୍ୟା ତୁଳନାରେ ଅତ୍ୟନ୍ତ କମ । 2009ରୁ 2018 ଅକ୍ଟୋବର ମାସ ମଧ୍ୟରେ ମୋଟ 22ଲକ୍ଷ 57ହଜାର 180ଜଣ ଯୁବକ ଯୁବତୀ ନାମପଞ୍ଜୀକରଣ କରାଇଥିଲେ। ସେଥିମଧ୍ୟରୁ ମାତ୍ର 26ହଜାର 450ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି।

ଖୋର୍ଦ୍ଧାରେ ସର୍ବାଧିକ; ବୌଦ୍ଧରେ ସର୍ବନିମ୍ନ

ଏହି ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଦଶ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ମୋଟ 5072ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାପରେ ଦ୍ଵିତୀୟ ସ୍ଥାନରେ ମୟୂରଭଞ୍ଜ ରହିଛି। ବାରିପଦାରେ ମୋଟ 3519ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ତୃତୀୟ ସ୍ଥାନରେ ସମ୍ବଲପୁର (2666 ଜଣ), ଚତୁର୍ଥ ସ୍ଥାନରେ ରାଉରକେଲା (1478ଜଣ) ଓ ପଞ୍ଚମ ସ୍ଥାନରେ ବଲାଙ୍ଗୀର (1360 ଜଣ ) ରହିଛି।

ତେବେ ଏହି ଦଶ ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ 48ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାସହିତ ପୁରୀ ଜିଲ୍ଲାରେ ମାତ୍ର 53ଜଣ ଓ ଦେଓଗଡ ଜିଲ୍ଲାରେ ମାତ୍ର 98ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ ଏହି ତଥ୍ୟରେ ଅନେକ ତ୍ରୁଟି ରହିଛି ବୋଲି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଅଭିଯୋଗ କରିଛନ୍ତି। ତାଲିକାରେ ପ୍ରକାଶିତ ଯୁବକ ଯୁବତୀଙ୍କ ସଂଖ୍ୟାକୁ ଯଦି ପ୍ରତି ବର୍ଷ ଅନୁଯାୟୀ ମିଶାଯାଏ ତେବେ ମୋଟ ଯୁବକ ଯୁବତୀଙ୍କ ସଂଖ୍ୟା ପ୍ରକାଶିତ ହୋଇଥିବା ସଂଖ୍ୟାଠାରୁ ଖୁବ ଅଧିକ ରହିଛି। ଏଥିମଧ୍ୟରୁ କେଉଁ ତଥ୍ୟଟି ଠିକ ଓ କେଉଁ ତଥ୍ୟଟି ଭୁଲ ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି।

କିପରି କରିବେ ପଞ୍ଜୀକରଣ

ଏବେର ବ୍ୟବସ୍ଥା ଅନୁସାରେ ଜଣେ ପ୍ରାର୍ଥୀଙ୍କୁ ନିଜ ଜିଲ୍ଲାର ମୁଖ୍ୟାଳୟରେ ଥିବା ଏମ୍ପ୍ଲୟେମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟକୁ ଯାଇ ନିଜର ଶିକ୍ଷାଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଦେଖାଇ ରେଜିଷ୍ଟ୍ରେଶନ କରିବାକୁ ପଡୁଛି । ତେବେ ଆଗକୁ ଏହିସବୁ କାମ ଇଣ୍ଟରନେଟ ଜରିଆରେ ନିଜ ଘରେ ବସି କରିବାର ବ୍ୟବସ୍ଥା ଆସିବାର ସମ୍ଭାବନା ରହିଛି ।

ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନାମ ଲେଖାଇବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ମାନେ ନିଜେ ରହୁଥିବା ଜିଲ୍ଲାର ଏମ୍ପ୍ଲୟେମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳରେ ହିଁ ନିଜର ନାମ ପଞ୍ଜୀକରଣ କରାଇପାରିବେ, ଅନ୍ୟ କେଉଁ ସ୍ଥାନରେ ନୁହେଁ । ଯଦି କୌଣସି ବ୍ୟକ୍ତିବିଶେଷ ଏକରୁ ଅଧିକ ସ୍ଥାନରେ ନିଜ ନାମ ପଞ୍ଜୀକରଣ କରାଇଥିବାର ପ୍ରମାଣ ମିଳେ, ତେବେ ତାଙ୍କର ରେଜିଷ୍ଟ୍ରେଶନ ରଦ୍ଦ ହେବାର ନିୟମ ରହିଛି

#jobs #jobreport #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon