• padmabati kund

କୃଣାଲଙ୍କ କରାମତି : 2ୟ ଟି20ରେ ସାତ ୱିକେଟରେ ଭାରତ ବିଜୟୀ


(ବେତାର ବ୍ୟୁରୋ) ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଉଥିବା ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଭାରତ ଲଜ୍ଜ୍ୟାଜନକ ପରାଜୟ ପାଇବା ପରେ ଦ୍ଵିତୀୟ ମ୍ୟାଚରେ ଭାରତ 7 ୱିକେଟ ବିଜୟ ହାସଲ କରିଛି। ମ୍ୟାଚରେ ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତେବେ ଭାରତର ଏହି ବିଜୟର କର୍ଣ୍ଣଧାର ସାଜିଥିଲେ କୃଣାଲ ପାଣ୍ଡ୍ୟା। କୃଣାଲଙ୍କ ବୋଲିଙ୍ଗ ବଳରେ ନ୍ୟୁଜିଲାଣ୍ଡ 158ରନରେ ସୀମିତ ରହିଥିଲା ଓ ଭାରତକୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସହଜ ହୋଇଥିଲା।

ଏହି ମ୍ୟାଚରେ ଭାରତୀୟ ବୋଲର କୃଣାଲ ପାଣ୍ଡ୍ୟାଙ୍କ ଉତ୍କୃଷ୍ଟ ବୋଲିଂ ଦେଖିବାକୁ ମିଳିଥିଲା। ସେ ମୋଟ ଚାରି ଓଭର ବୋଲିଂ କରି ମାତ୍ର 28ରନ ଦେଇଥିଲେ ଓ ନ୍ୟୁଜିଲାଣ୍ଡର ବହୁମୂଲ୍ୟ ଦ୍ଵିତୀୟ,ତୃତୀୟ

ଚତୁର୍ଥ ବ୍ୟାଟ୍ସମ୍ୟାନ ଏହିପରି ତିନୋଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନକୁ ଭାଙ୍ଗିବାରେ ସମର୍ଥ ହେଇଥିଲେ । କୃଣାଲଙ୍କ ଦ୍ଵାରା ଆଉଟ ହେଇଥିବା ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ହେଲେ କଲିନ ମୁନରୋ, ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ୱିଲିୟମସନ ଓ ଡାର୍ଲି ମିଚେଲ୍ସ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି।

କୃଣାଲଙ୍କ ବ୍ୟତୀତ ଖଲୀଳ ଅହମ୍ମଦ ମଧ୍ୟ ଭଲ ବୋଲିଙ୍ଗ କରିଥିଲେ। ସେ 4 ଓଭର ବୋଲିଙ୍ଗରେ ମାତ୍ର 27ରନ ଦେଇ 2ଟି ୱିକେଟ ନେଇଥିଲେ। ଏହାବ୍ୟତୀତ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏହାଫଳରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ଭାରତକୁ 159ରନର ଲକ୍ଷ୍ୟ ଦେଇଥିଲା।

ରୋହିତଙ୍କ ରେକର୍ଡ

ଭାରତୀୟ ଦଳର ଅଧିନାୟକ ତଥା ଓପନର ରୋହିତ ଶର୍ମା ଏହି ମ୍ୟାଚରେ ଭଲ ବ୍ୟାଟିଙ୍ଗର ପ୍ରଦର୍ଶନ କରିଥିଲେ ଓ ଭାରତକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ। ସେ 29ବଲ ଖେଳି ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହିତ ମୋଟ ତିନୋଟି ରେକର୍ଡ ଭାଙ୍ଗିଛନ୍ତି। ଏହି ମ୍ୟାଚରେ ରୋହିତ ଶର୍ମା ନିଜର ଦ୍ଵିତୀୟ ଛକା ମାରିବା ସହିତ ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି କ୍ରିକେଟରେ ନିଜର 100ତମ ଛକ ପୁରା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୋଟ 102ଟି ଛକା ମାରିଛନ୍ତି ଓ ସବୁଠାରୁ ଅଧିକ ଛକା ମାରିବା ତାଲିକାରେ କ୍ରିଶ ଗେଲ ଓ ମାର୍ଟିନ ଗପ୍ତିଲ(103ଛକା) ପରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଏହାସହିତ ରୋହିତ ଶର୍ମା ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳୀ ହୋଇପାରିଛନ୍ତି। ରୋହିତ ଅନ୍ତଃରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି କ୍ରିକେଟରେ ମୋଟ 2288ରନ କରିଛନ୍ତି ଓ ଏହି ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ତିଲ (2272ରନ) ଓ ପାକିସ୍ଥାନର ସୋଏବ ମଲ୍ଲିକ (2263ରନ)ଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ରୋହିତ ଶର୍ମା ବିରାଟ କୋହଲିଙ୍କର ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହି ମ୍ୟାଚ ପୂର୍ବରୁ ଉଭୟ ଖେଳାଳୀଙ୍କ ପାଖରେ 19ଟି ଲେଖାଏଁ ଅର୍ଦ୍ଧଶତକ ଥିଲା। କିନ୍ତୁ ଅକଲ୍ୟାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଅର୍ଦ୍ଧଶତକ ହାସଲ କରି କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।

ତୃତୀୟ ମ୍ୟାଚ ନିର୍ଣ୍ଣାୟକ

ଏହି ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ ତଥା ଶେଷ ମ୍ୟାଚ ନିର୍ଣ୍ଣାୟକ ମ୍ୟାଚ ହେବ। ବର୍ତ୍ତମାନ ଉଭୟ ଦଳ ସିରିଜରେ 1-1ରେ ସମାନ ରହିଛି। ତୃତୀୟ ମ୍ୟାଚରେ ଯେଉଁଦଳ ବିଜୟ ହାସଲ କରିବା ସେହି ଦଳ ସିରିଜ ଜିତିଯିବ। ତୃତୀୟ ମ୍ୟାଚ ଆସନ୍ତା ଫେବୃୟାରୀ 10, ହାମିଲଟନରେ ଖେଳାଯିବ। ଏହା ଭାରତୀୟ ସମୟ ଅପରାହ୍ନ 12.30ରେ ଆରମ୍ଭ ହେବ।

#cricket #indiavsnewzland #krunalpandya #rohitsharma

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon