- padmabati kund
ନୂଆ ନିୟମ : ହଲରେ ଫିଲ୍ମ ରେକର୍ଡ଼ିଂଗ କଲେ 3 ବର୍ଷ ଜେଲ୍ ସହିତ 10ଲକ୍ଷ ଜୋରିମାନା

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ କୌଣସି ଫିଲ୍ମ ରିଲିଜ ହେଉ ହେଉ ଏହା ସୋସିଆଲ ମିଡିଆରେ ଲିକ୍ ହୋଇଯାଉଛି। ଫିଲ୍ମ ନିର୍ମାତା ଏନେଇ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଫିଲ୍ମର ଅନଧିକୃତ ରେକଡିଙ୍ଗ ଓ ସୋସିଆଲ ମିଡିଆରେ ଫିଲ୍ମ ଭାଇରାଲ ହେବାକୁ ରୋକାଯାଇ ପାରୁନାହିଁ। ତେଣୁ ଫିଲ୍ମର ପାଇରେସିକୁ ରୋକିବା ପାଇଁ ମୋଦି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ରିଲିଜ୍ ହେଉ ହେଉ ଫିଲ୍ମ ଲିକ୍ ହୋଇଯିବାର ସମସ୍ୟାକୁ ରୋକିବା ପାଇଁ ମୋଦି ସରକାର ବୁଧବାର ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଆଣିବା ପାଇଁ ମଞ୍ଜୁରି ଦେଇଛନ୍ତି । ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିବା ପରେ ଏବେ ଯେଉଁମାନେ ସିନେମା ଘରେ ବସି ନିଜ ଫୋନରେ ଫିଲ୍ମକୁ ରେକର୍ଡ କରୁଥିବାର ନଜର ଆସନ୍ତି, ସେମାନଙ୍କୁ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ । ଏହା ସହ ଅଭିଯୁକ୍ତଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ମଧ୍ୟ ହୋଇପାରେ । ବିଶେଷ ମାମଲାରେ ଦୋଷୀଙ୍କୁ ଉଭୟ ଦଣ୍ଡ ଦିଆଯାଇପାରେ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ପଠାଯାଇଥିବା ପ୍ରସ୍ତାବକୁ ସ୍ଵୀକୃତୀ ଦେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସଂଶୋଧନ ବିଷୟରେ ସୂଚନା ଦେଇଛନ୍ତି। ଏହି ସଂଶୋଧନ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଅଧିକୃତ ବ୍ୟକ୍ତି କିମ୍ବା ସଂସ୍ଥାର ଲିଖିତ ଅନୁମତି ନଥାଏ ତେବେ ସେ କୌଣସି ପ୍ରକାର ଅଡିଓ ଭିଜୁଆଲ ଉପକରଣରେ ଫିଲ୍ମ କିମ୍ବା ଫିଲ୍ମର କୌଣସି ଭାଗକୁ ରେକଡିଙ୍ଗ କରିପାରିବେ ନାହିଁ।
ସରକାରଙ୍କ ଏଭଳି ପଦକ୍ଷେପ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏହାକୁ ପ୍ରଶଂସା କରିବାରେ ଲାଗିଛି । ପ୍ରଡ୍ୟୁସର୍ ଗିଲ୍ଟ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କପୁର ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଶଂସା କରିଛନ୍ତି।
ଗତ କିଛିଦିନ ତଳେ ଫିଲ୍ମ ଅଭିନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକାର କରିଥିଲେ।
ଫିଲ୍ମର ଅନଧିକୃତ ରେକଡିଙ୍ଗ ଓ ପାଇରେସିକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏନେଇ କଠୋର ଆଇନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଗତ କିଛି ବର୍ଷ ହେବ ଅନେକ ପାଇରେଟେଡ଼୍ ୱେବସାଇଟ ଗୁଡ଼ିକ କୌଣସି ନୂଆ ଫିଲ୍ମ ରିଲିଜ ହେଉ ହେଉ ଅନୈତିକ ଭାବରେ ନିଜ ୱେବସାଇଟରେ ଛାଡ଼ି ଆସୁଥିଲେ । ଏହାର ସିଧାସଳଖ ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍ ଉପରେ ପଡ଼ୁଥିଲା। ଅଧିକ ଅର୍ଥ ଖର୍ଚ୍ଚ କରି ପ୍ରସ୍ତୁତ ହୋଇଥିବା ଫିଲ୍ମର ରୋଜଗାର କମିଯାଉଥିଲା ଓ ପ୍ରଯୋଜକ ମାନଙ୍କୁ ଏଥିପାଇଁ କ୍ଷତି ସହିବାକୁ ପଡୁଥିଲା।