• ବେତାର ବ୍ୟୁରୋ

ପିଆଜ ଟ୍ରକରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ, ଟ୍ରକ ଜବତ


(ବେତାର ବ୍ୟୁରୋ) ଗଞ୍ଜେଇ ବା ସେହିପରି ଅନ୍ୟ କିଛି ନିଷେଧ ଦ୍ରବ୍ୟକୁ ଭିନ୍ନ ଭିନ୍ନ ଉପାୟରେ ଚାଲାଣ କରିବା କଥା ବହୁବାର ଶୁଣାଯାଇଛି ଶୁକ୍ରବାର ସେହିପରି ଏକ ଘଟଣା ଘଟିଛି ଓଡିଶାର ସୀମାନ୍ତଜିଲ୍ଲା ମାଲକାନାଗିରିରେ । ଏକ ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ବୋଝେଇ ହେଇ ଓଡିଶା ଦେଇ ଆନ୍ଧ୍ରରୁ ଛତିଶଗଡ ଯାଉଥିବାର ଖବର ପାଇଁ ଅଚାନକ ଚଢାଉ କରିଥିଲା ପୋଲିସ ଓ ଟ୍ରକ ଜବତ ମଧ୍ୟ କରିଥିଲା।

ପୋଲିସ ତଥ୍ୟ ଅନୁଯାୟୀ ଟ୍ରକ ଡାଲାରେ ପିଆଜକୁ ଉପରେ ରଖାଯିବା ସହ ଗଞ୍ଜେଇକୁ ଧଳା ବସ୍ତାରେ ଭିତରେ ରଖି ନିଆଯାଉଥିଲା। ଏଥିରେ ପ୍ରାୟ ଆଠ କ୍ଵିଣ୍ଟାଲ ଗଞ୍ଜେଇ ବିଭିନ୍ନ ସାଇଜରେ ପ୍ୟାକେଟ କରି ରଖାଯାଇ ଭର୍ତ୍ତି କରାଯାଇଥିଲା। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଛତିଶଗଡ଼ର ରାୟପୁରୁକୁ ଓଡ଼ିଶାର ମାଲକାନଗିରି ଚିତ୍ରକୋଣ୍ଡା ଦେଇ ଚାଲାଣ ହେଉଥିବାର ଖବର ଓଡିଶା ପୋଲିସ ପାଖରେ ପୂର୍ବରୁ ରହିଥିଲା ।

ମୁଦୁଲିପଡ଼ା ଥାନା ପୁଲିସ ଟ୍ରକ୍‌ଟିକୁ ରାଜ୍ୟ ରାଜପଥର ଘୋଡ଼ାଘାଟ ନିକଟରେ ଅଟକାଇ ସେଥିରୁ ସମସ୍ତ ଗଞ୍ଜେଇ ଜବତ କରିବା ସହିତ ଏହି ଘଟଣାରେ ଅନୁଗୁଳ ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ଦୀପକ ସାହୁ ଓ ହେଲପର ବିଶ୍ୱରଞ୍ଜନ ସାହୁଙ୍କୁ ଗିରଫ କରିଛି।

ଜବତ ହେଇଥିବା ଗଞ୍ଜେଇର ଅନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ନକ୍ସଲଙ୍କ ଚାଷ

ତେବେ ଓଡିଶାରେ ମଧ୍ୟ ଅନେକ ପରିମାଣରେ ଗଞ୍ଜେଇ ଚାଷ ହେଇଥାଏ ଓଡିଶା ପୋଲିସର ରିପୋର୍ଟ ଅନୁସାରେ ଗତ 2018 ମସିହାରେ ରାଜ୍ୟରେ ଆଠ ଜିଲାରେ ୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଗଞ୍ଜେଇ ଚାଷ ହେଉଥିବା ଜିଲା ଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ନୟାଗଡ଼, ବଦ୍ଧ, ଗଜପତି, ଅନୁଗୁଳ, ରାୟଗଡ଼ା , କୋରାପୁଟ, ମାଲକାନଗିରି ଓ କନ୍ଧମାଳ। ଏଥି ମଧ୍ୟରୁ କନ୍ଧମାଳ ଜିଲାର ସର୍ବାଧିକ ୨,୨୨୭ ଏକର ଗଞ୍ଜେଇ ଚାଷ ଜମି ରହିଛି।

ବେସରକାରୀ ସୂତ୍ରରୁ ଜଣା ପଡିଛି ଯେ ଓଡିଶାରେ ପ୍ରାୟ କୋଡିଏ ରୁ ତିରିଶ ହଜାର ଏକର ଜମିରେ ଗଞ୍ଜେଇ ଚାଷ ହେଇଥାଏ । ତେବେ ଯେଉଁ ସବୁ ଅଞ୍ଚଳରେ ନକ୍ସଲ ପ୍ରଭାବ କମ ଥାଏ ପୋଲିସ ସେହିସବୁ ଅଞ୍ଚଳରେ ଚଢାଉ କରି ଗଞ୍ଜେଇ ଗଛ ଜବତ କରିବା ସହିତ ଏହାର ଚାଷକୁ ନଷ୍ଟ କରିଥାଏ ହେଲେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପୋଲିସ ଯିବାକୁ ଭୟ କରୁଥିବାରୁ ସେହିସବୁ ଅଞ୍ଚଳରେ ଅବାଧରେ ଗଞ୍ଜେଇ ଚାଷ ଚାଲିଥାଏ ।

ଓଡିଶାରେ ନକ୍ସଲ ପ୍ରଭାବିତ ଅଞ୍ଚଳ ହେଉଛି ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲା । ଏହିସବୁ ଅଞ୍ଚଳରେ ଖାଲି ପଡିଥିବା ସ୍ଥାନ ଓ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ମୁନରେ ଧମକାଇ ଗଞ୍ଜେଇ ଚାଷ କରିବା ସହିତ ଏହାକୁ ବିକ୍ରି କରି ନକ୍ସଲ ମାନେ ନିଜର ଖର୍ଚ୍ଚ ତୁଲାଇଥାନ୍ତି ।

#crime #Odisha #ganja #cannabies

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon