• ବେତାର ବ୍ୟୁରୋ

ଶିଶୁର ନାମକରଣ ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ


ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି ସେହି ନାମରେ ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ଗୁରୁତ୍ଵପୂର୍ଣ୍ଣ ଘଟଣା । କାରଣ ଭବିଷ୍ୟତରେ ଏହି ନାମ ଶିଶୁର ସାମାଜିକ ଗ୍ରହଣୀୟତା ତଥା ଏହାର ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ନାମକରଣ କରିବା ସମୟରେ ନିମ୍ନଲିଖିତ କେତୋଟି କଥା ଉପରେ ଗୁରୁତ୍ୱ ଦେବା ଜରୁରୀ।

- ଶିଶୁର ଜନ୍ମ ନକ୍ଷତ୍ର ଅନୁସାରେ ନାମ କାରଣ କରିବା ଅନାବଶ୍ୟକ । ପୂର୍ବକାଳରେ ଜାତକ ଗଣନା ପାଇଁ ସମୟ ଲାଗୁଥିବାରୁ ସହଜରେ ଶିଶୁର ରାଶି, ନକ୍ଷତ୍ର ଜାଣିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ କମ୍ପ୍ୟୁଟର, ସଫ୍ଟୱେରର ପ୍ରଚାଳନ ଫଳରେ ଜାତକ ଗଣନା ଅତିଶୀଘ୍ର ହେଇଯାଉଥିବାରୁ ଏପରି କରିବାର

ଆବଶ୍ୟକତା ନାହିଁ ।

-ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଏପରି ହୋଇଥାଏ, ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ; ପିତାମାତା ସେହି ସ୍ଥାନର ନାମାନୁସାରେ ତା’ର ନାମ ରଖିଥା’ନ୍ତି। ତାହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

-ଆପଣ ଶିଶୁଟିର ନାମ ଯାହା ବି ରଖନ୍ତୁ, ତାହାର ଅର୍ଥ ବୁଝାପଡ଼ିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକାରାତ୍ମକ ଦିଗକୁ ସୂଚାଉଥିବ। ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ।

-ଶିଶୁର ନାମ କୌଣସି ଘଟଣା , ଦୁର୍ଘଟଣା ଆଦି ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଦେଖାଯାଇଛି , ବାତ୍ୟା ବା ବନ୍ୟାରେ ଜନ୍ମ ନେଇଥିବା ଝିଅର ନାମ ଝଡି ଓ ପୁତ୍ରକନ୍ୟାର ନାମ ତୋଫାନ ରଖାଯାଇଛି । ଏହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

-ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯାଇଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।

-ଅନେକ ସମୟରେ ଏପରି ହୋଇଥାଏ, ପିତାମାତା କୌଣସି ମହାପୁରୁଷଙ୍କ ନାମ ଅନୁସାରେ ଶିଶୁର ନାମ ଦେଇଥା’ନ୍ତି। ନାମ ଅନୁସାରେ ଶିଶୁ ପ୍ରସିଦ୍ଧି ଲାଭ କରିବ ବୋଲି ସେମାନଙ୍କ ବିଶ୍ୱାସ । ଆପଣ ମନେରଖିବା ଉଚିତ ଯେ, ଶିଶୁ ନାମ ନୁହେଁ ବରଂ କାମ ଅନୁସାରେ ପ୍ରସିଦ୍ଧି ଲାଭ କରିଥାଏ।

-ପରିବାରର ଅନେକ ସଦସ୍ୟ ବିଭିନ୍ନ ନାଁ ଦେବାକୁ ଚାହୁଁଥିବା ବେଳେ ପିତାମାତା ଏକାଧିକ ନାମକୁ ଯୋଡ଼ି ଶିଶୁର ନାମ ଦେଇଥା’ନ୍ତି। ତେବେ ଏପରି ଆଦୌ କରନ୍ତୁ ନାହିଁ। ଏହା ଦ୍ୱାରା ଶିଶୁକୁ ସମ୍ବୋଧନ କରିବାରେ ଅସୁବିଧା ହୋଇଥାଏ।

- ଶିଶୁର ନାମ ଯେପରି ସର୍ବାଧିକ ତିନୋଟି ଶବ୍ଦ ଓ ସର୍ବାଧିକ 15-20ଟି ଅକ୍ଷର ମଧ୍ୟରେ ସୀମିତ ରୁହେ , କାରଣ ଅଧିକାଂଶ ସରକାରୀ କଲେଜ/ଚାକିରି ପାଇଁ ଫର୍ମରେ ନାମ ପାଇଁ ଉଦ୍ଦିଷ୍ଟ ବାକ୍ସରେ 15-20 ଟି ସ୍ଥାନ ଖାଲି ଥାଏ ।

#baby #name #astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon