• padmabati kund

ତୃତୀୟ ଟି20ରେ ଦିନେଶ କାର୍ତ୍ତିକ ସିଙ୍ଗଲ ନ ନେବାକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ ସିଂ


(ବେତାର ବ୍ୟୁରୋ) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି20 ସିରିଜର ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ 4ରନରେ ହରାଇ ଦେଇଛି ଓ ଏହାସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ 2-1ରେ ଜିତିଯାଇଛି। ଭାରତ ମ୍ୟାଚ ହରିବାର ଅନେକ କାରଣ ରହିଛି।

ସେଥିମଧ୍ୟରୁ ଦିନେଶ କାର୍ତ୍ତିକ ମ୍ୟାଚର ଶେଷ ଭାଗରେ କୃଣାଲ ପାଣ୍ଡ୍ୟାଙ୍କୁ ସିଙ୍ଗଲ ରନ ନେବାକୁ ରୋକିବା ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି। ଦିନେଶଙ୍କ ଏପରି ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ପୂର୍ବତନ ଭାରତୀୟ ଖେଳାଳୀ ହରଭଜନ ସିଂ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣା ଉପରେ ପୂର୍ବତନ ଭାରତୀୟ ଖେଳାଳୀ ହରଭଜନ ସିଂ ଏକ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, “ଧୋନି ଯଦି ଜାଣିଥାନ୍ତି ଯେ, ଅନ୍ୟପଟେ ଠିଆ ହୋଇଥିବା ବ୍ୟାଟ୍ସମ୍ୟାନ ଲମ୍ବା ଶଟ୍ ମାରିପାରିବେ ତେବେ ସେ ସିଙ୍ଗଲ ନେବାକୁ ପଛାଇ ନଥାନ୍ତି। ଫିନିସରଙ୍କ କାମ ୱିନିଙ୍ଗ ସଟ୍ ଲଗାଇବା ହୋଇନଥାଏ ବରଂ ପାର୍ଟନରଙ୍କ ସହିତ ମିଶି ଦଳକୁ ଜିତାଇବା ହୋଇଥାଏ। ରବିବାର ଖେଲାଯାଇଥିବା ମ୍ୟାଚରେ ଦିନେଶ କାର୍ତ୍ତିକ ରନ୍ ନନେବା ଘଟଣା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଯଦି ଅନ୍ୟପଟରେ ଭୁବନେଶ୍ଵର କୁମାର ଠିଆ ହୋଇଥାନ୍ତେ ତେବେ ରନ୍ ନନେବାର କାରଣ ବୁଝି ହୋଇଥାନ୍ତା, କିନ୍ତୁ ଅନ୍ୟପଟରେ କୃଣାଲ ପାଣ୍ଡ୍ୟା ଥିଲେ। ମୁଁ ଜାଣିପାରୁନି ଦିନେଶ କଣ ଭାବୁଥିଲେ।“ 

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ଦିନେଶ କାର୍ତ୍ତିକଙ୍କୁ ଫିନିସର ଟ୍ୟାଗକୁ ଏତେ ଗୁରୁତ୍ଵ ଭାବରେ ନେବା ଅନୁଚିତ। କାରଣ ଛୋଟ ନିଷ୍ପତ୍ତି ପାଇଁ ସଂପୂର୍ଣ୍ଣ ମ୍ୟାଚର ରୂପରେଖ ପରିବର୍ତ୍ତନ ହୋଇପାରେ। ଦିନେଶ କାର୍ତ୍ତିକଙ୍କ ପରି ଅଭିଜ୍ଞ ଖେଳାଳୀଙ୍କୁ ଏହା ବେଶ ଭଲ ଭାବରେ ଜଣା।”

ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଭାରତର ତୃତୀୟ ଟି20 ତଥା ସିରିଜ ନିର୍ଣ୍ଣାୟକ ମ୍ୟାଚରେ ଯେତେବେଳେ ଭାରତକୁ ମ୍ୟାଚ ଜିତିବା ପାଇଁ 5ବଲରେ 14ରନର ଆବଶ୍ୟକତା ଥିଲା ସେତେବେଳେ ଦିନେଶ କାର୍ତ୍ତିକ ନ୍ୟୁଜିଲାଣ୍ଡ ବୋଲର ଟିମ୍ ସାଉଦିଙ୍କ ବଲରେ କୌଣସି ରନ୍ ନେଇନଥିଲେ। ଏହାପର ବଲରେ ଅନ୍ୟପଟରେ ଠିଆ ହୋଇଥିବା କୃଣାଲ ପାଣ୍ଡ୍ୟା ରନ୍ ନେବା ପାଇଁ ଦୌଡିବା ବେଳେ ଦିନେଶ କାର୍ତ୍ତିକ ରନ୍ ନନେଇ ତାଙ୍କୁ ଫେରାଇ ଦେଇଥିଲେ।

ମ୍ୟାଚର ଏପରି ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥିତିରେ ପହଞ୍ଚିବା ପରେ ଦଳ ପାଇଁ ଗୋଟିଏ ଗୋଟିଏ ରନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଶେଷ ଓଭରର ତୃତୀୟ ବଲରେ କୌଣସି ରନ୍ ନନେବା ଘଟଣାକୁ ଏତେ ଗୃରୁତ୍ଵ ଦିଆଯିବାର  ଅନ୍ୟ ଏକ ମୁଖ୍ୟ କାରଣ ମଧ୍ୟ ରହିଛି। କାରଣ ଅନ୍ୟପଟରେ ଠିଆ ହୋଇଥିବା କୃଣାଲ ପାଣ୍ଡ୍ୟା, ନ୍ୟୁଜିଲାଣ୍ଡ ର ଘାତକ ବୋଲର ଟିମ୍ ସାଉଦିଙ୍କ ତୃତୀୟ ଓଭରରେ ଭଲ ବ୍ୟାଟିଙ୍ଗ କରିଥିଲେ ଓ ଭଲ ରନ୍ ସଂଗ୍ରହ କରିଥିଲେ। ସେହି ଓଭରରେ କୃଣାଲ ପାଣ୍ଡ୍ୟାଙ୍କ ବ୍ୟାଟିଙ୍ଗ ଭାରତ ମ୍ୟାଚ ଜିତିବାର ଆଶାକୁ ବଢାଇ ଦେଇଥିଲା।

ପୂର୍ବରୁ ଦେଖାଯାଇଛି ଯେ, ମ୍ୟାଚର ଶେଷ ଭାଗରେ ସିଙ୍ଗଲ ନେବାକୁ ମହେନ୍ଦ୍ର ସିଂ ଧୋନୀ ଅଧିକ ମନା କରିଥାନ୍ତି। 2013ରେ ଶ୍ରୀଲଙ୍କାରେ ଖେଳାଯାଉଥିବା ଟ୍ରାଇ ସିରିଜରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଫାଇନାଲରେ ଶେଷ ଓଭରରେ ସିଙ୍ଗଲ ନେଇନଥିଲେ ଓ ଶେଷରେ ଛକା ମାରି ଦଳକୁ ଜିତାଇଥିଲେ। ତେବେ ଏହି ମ୍ୟାଚରେ ଧୋନୀ ଦଳର ଦଶମ ଓ ଏକାଦଶ ଖେଳାଳୀଙ୍କ ସହ ବ୍ୟାଟିଙ୍ଗ  କରୁଥିଲେ ଓ ଦଳ ପାଇଁ ଧୋନି ଷ୍ଟ୍ରାଇକରେ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

#cricket #indvsnz #dineshkarttik #harbhajansingh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon