• ବେତାର ବ୍ୟୁରୋ

ଜାଣନ୍ତୁ : ଭୁବନେଶ୍ଵରରେ କେଉଁ ସ୍ଥାନରୁ ହେଉଛି ବାଇକ ଚୋରି


(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵରରେ ବାଇକ ଚୋରି ଘଟଣା ବଢିବାରେ ଲାଗିଛି। ତେବେ ଏଥିରେ କେବଳ ରାଜଧାନୀ ବାସୀ ନୁହନ୍ତି, ଭୁବନେଶ୍ଵରକୁ କାମରେ ବାଇକ ନେଇ ଆସୁଥିବା ବ୍ୟକ୍ତି ମଧ୍ୟ ଲୁଟେରାଙ୍କ ଶିକାର ହେଉଛନ୍ତି ।

ବର୍ତ୍ତମାନ ଦେଖାଯାଉଛି କୌଣସି ସ୍ଥାନକୁ ଆସିଥିବା ବ୍ୟକ୍ତି ସର୍ବ ସାଧାରଣ ପାର୍କିଙ୍ଗରେ ନିଜ ବାଇକ ରଖି ଯିବାପରେ ସେହି ସ୍ଥାନରୁ ବାଇକ ଚୋରି ହୋଇଯାଉଛି। ଭୁବନେଶ୍ଵରର ଶହୀଦନଗର ଥାନା ଅଞ୍ଚଳରେ କିଛିଦିନ ହେବ ପାର୍କିଙ୍ଗ ସ୍ଥାନରୁ ବାଇକ ଚୋରି ଘଟଣା ପାଇଁ ଅନେକ ଅଭିଯୋଗ ହେଉଥିଲା। ଶେଷରେ ମଙ୍ଗଳବାର ଦିନ ଶହୀଦନଗର ଅଞ୍ଚଳରୁ ବାଇକ ଚୋରି କରୁଥିବା ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ଅଞ୍ଚଳର ଦୁଷ୍ମନ୍ତ ସୁବୁଦ୍ଧି। ପୋଲିସ ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ 6ଟି ଚୋରି ମୋଟରସାଇକଲ ଜବତ କରିଛି।

ସୂଚନା ମୁତାବକ, କଟକ ବିଡାନାସୀ ଥାନା ଅନ୍ତର୍ଗତ ଉପର ପୋଲିସ କଲୋନୀ ଅଞ୍ଚଳର ପ୍ରସନ୍ନ କୁମାର ରାଉତରାୟ ଗତ ଜାନୁୟାରୀ 20 ତାରିଖରେ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। କାମସାରି ଫେରିବା ବେଳକୁ କଲେଜ କ୍ୟାମ୍ପସ ପରିସରରେ ରଖିଥିବା ଗାଡିକୁ ପାଇ ନ ଥିଲେ ଓ ବହୁତ ଖୋଜାଖୋଜି କରିଥିଲେ। ବାଇକ ନପାଇବାରୁ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ।

ମଙ୍ଗଳବାର ଦିନ ସକାଳୁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଭିଏସଏସ ନଗର ହାଟ ପକ୍ଷରୁ ଦୁଷ୍ମନ୍ତଙ୍କ ସହ ପଲ୍ସର ବାଇକକୁ ଜବତ କରିଥିଲେ। ପୋଲିସ ପଚରାଉଚୁରା କରିବା ପରେ ସେ ସତ ମାନିଥିଲା ଓ ଭିନ୍ନ ଭିନ୍ନ ସ୍ଥାନରୁ ଚୋରି କରିଥିବା ଅନ୍ୟ 5ଟି ବାଇକ ବିଷୟରେ କହିଥିଲା। ତେବେ ସେ ମୁଖ୍ୟତଃ ପାର୍କିଂ ସ୍ଥାନରୁ ବାଇକ ଚୋରି କରିଥାଏ ବୋଲି ମାନି ଥିଲା ।

ତାପରେ ପୋଲିସ ସେହି ସ୍ଥାନରୁ ବାଇକ ଗୁଡିକୁ ଜବତ କରିଥିଲା। ଏହି ଚୋରି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଗାଡିଚୋରି କରି କାହାକୁ ବିକ୍ରି କରାଯାଏ ତାହା ତଦନ୍ତ ହେଲା ପରେ ଜଣାପଡିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୋଲିସକୁ ସଫଳତା

ଗତବର୍ଷ ମଧ୍ୟ ରାଜଧାନୀରେ ଏହି ବାଇକ ଚୋରି ଘଟଣାରେ କମିଶନରେଟ ପୋଲିସକୁ ଏକ ବଡ ସଫଳତା ମିଳିଥିଲା। ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହିତ ପାଖାପାଖି ୫୦ଟି ବାଇକ ଜବତ କରିଥିଲେ। ଏହି ଲୁଟେରା ଗ୍ୟାଙ୍ଗ୍‌ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଭୁବନେଶ୍ୱର କୋର୍ଟ ପରିସର, ସବରେଜିଷ୍ଟ୍ରର୍‌ କାର୍ଯ୍ୟାଳୟ, ମ୍ୟୁଜିୟମ୍‌ ସାମ୍ନାରୁ ବାଇକ ଚୋରି କରୁଥିଲେ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଲାଉଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ନୟାଗଡ଼ ଶରଣକୁଳ ଅଞ୍ଚଳରୁ ଗିରଫ କରିବା ପରେ ଗ୍ୟାଙ୍ଗର ଅନ୍ୟ ଚାରିଜଣଙ୍କୁ ଗିରଫ କରିଥିଲା।

ପଚାଶଟି ବାଇକ ଜବତ କରିବା ପରେ ପୋଲିସ ତରଫରୁ ବଡ଼ଗଡ଼ ଥାନାରେ ବାଇକ ମେଳା ଅନୁଷ୍ଠିତ ହୋଇଥିଲା ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଚୋରି ହୋଇଥିବା ବାଇକ ଗୁଡିକୁ ମାଲିକଙ୍କୁ ଫେରାଇଥିଲେ।

#crime #bike #Bhubaneswar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon