• padmabati kund

ଦୁଇ ହାତରେ ବୋଲିଙ୍ଗ କରନ୍ତି ଏହି ରଣଜୀ ଖେଳାଳୀ


(ବେତାର ବ୍ୟୁରୋ) ବିଦର୍ଭ କ୍ରିକେଟ ସଂଘ ଗ୍ରାଉଣ୍ଡରେ ଶେଷ ଭାରତ ଏକାଦଶ (ରେଷ୍ଟ ଅଫ ଇଣ୍ଡିଆ) ଓ ରଣଜୀ ଚାମ୍ପିୟନ ବିଦର୍ଭ ମଧ୍ୟରେ ଇରାନୀ କପ୍ ମୁକାବିଲା ଚାଲିଅଛି। ଏହି ମ୍ୟାଚରେ ବିଦର୍ଭ କ୍ରିକେଟ ଦଳର ଜଣେ ବୋଲର ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବିଦର୍ଭ କ୍ରିକେଟ ଦଳର ଏହି ବୋଲର ହେଉଛନ୍ତି ଅକ୍ଷୟ କର୍ଣ୍ଣେୱାର। ସେ ଦୁଇ ହାତରେ ବୋଲିଙ୍ଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।  

ଅକ୍ଷୟ କର୍ଣ୍ଣେୱାର ଏହି ମ୍ୟାଚରେ ଦୁଇ ହାତରେ ବୋଲିଙ୍ଗ କରିବା ସମୟର ଏକ ଭିଡିଓକୁ ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଫର ଇଣ୍ଡିଆ (BCCI) ତରଫରୁ ନିଜ ଅଫିସିଆଲ ୱେବସାଇଟରେ ଶେୟାର କରାଯାଇଛି। ବିସିସିଆଇ ଦ୍ଵାରା ଶେୟାର କରାଯାଇଥିବା ଏହି ଭିଡିଓରେ ଅକ୍ଷୟଙ୍କୁ ଦୁଇ ହାତରେ ବୋଲିଙ୍ଗ  କରୁଥିବାର ଦେଖିବାକୁ ମିଳିଛି।

ଉଭୟ ବାମ ଓ ଡାହାଣ ହାତରେ ବୋଲିଙ୍ଗ  କରିବାକୁ ନେଇ ଅକ୍ଷୟ କହିଛନ୍ତି, “ମୁଁ ସାଧାରଣତଃ ଅଫ୍ ସ୍ପିନ ବୋଲିଙ୍ଗ କରିଥାଏ। ମୁଁ ମୋ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ କାମ ଦୁଇ ହାତରେ କରିପାରିଥାଏ। ବାମହାତରେ ବୋଲିଙ୍ଗ କରିବା ପାଇଁ ମୋ କୋଚ୍ ପ୍ରେରିତ କରିଥିଲେ। ଆମ ଦଳରେ ବାମହାତୀ ବୋଲିଙ୍ଗ ନଥିବାରୁ ମୁଁ ବାମହାତରେ ବୋଲିଙ୍ଗ କରିବା ପାଇଁ ଅଭ୍ୟାସ କରିଥିଲି ଓ ଏଥିରେ ସଫଳତା ପାଇଥିଲି। ବର୍ତ୍ତମାନ ମୁଁ ଦୁଇ ହାତରେ ବୋଲିଙ୍ଗ କରି ବିରୋଧୀ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରୁଛି।“

ମହାରାଷ୍ଟ୍ରର ଏହି 26ବର୍ଷୀୟ ଖେଳାଳୀ ବର୍ତ୍ତମାନ ପର୍ଯ୍ୟନ୍ତ 11ଟି ଫାଷ୍ଟକ୍ଳାସ ମ୍ୟାଚ ଖେଳିଛନ୍ତି। ଏହି 11ଟି ଫାଷ୍ଟକ୍ଳାସ ମ୍ୟାଚରେ ସେ ମୋଟ 31ଟି ୱିକେଟ ନେଇଛନ୍ତି। ଏହାସହିତ ଲିଷ୍ଟ-ଏ କ୍ରିକେଟରେ ମଧ୍ୟ ଅକ୍ଷୟ କର୍ଣ୍ଣେୱାର 25ଟି ମ୍ୟାଚ ଖେଳି 37ଟି ୱିକେଟ ନେଇଛନ୍ତି। ଏହାସହିତ ସେ ଭଲ ବ୍ୟାଟିଙ୍ଗ  ମଧ୍ୟ କରିପାରନ୍ତି। ସେ 30.64 ରନରେଟରେ 429ରନ ସଂଗ୍ରହ କରିଛନ୍ତି ଓ ତାଙ୍କର ଶ୍ରେଷ୍ଟ ସ୍କୋର 94 ଅଟେ। ଟି20 କ୍ରିକେଟରେ ଅକ୍ଷୟ କର୍ଣ୍ଣେୱାର ମୋଟ 18ଟି ମ୍ୟାଚ ଖେଳିଛନ୍ତି ଓ ସେଥିରେ 13ଟି ୱିକେଟ ହାସଲ କରିଛନ୍ତି।

ତେବେ ବର୍ତ୍ତମାନ ଖେଳାଯାଉଥିବା ଇରାନୀ କପରେ ମଙ୍ଗଳବାର ଦିନ ରେଷ୍ଟ ଅଫ ଇଣ୍ଡିଆ ବିରୁଦ୍ଧରେ ଅକ୍ଷୟ କର୍ଣ୍ଣେୱାର ମୋଟ 15 ଓଭର ବୋଲିଙ୍ଗ କରି 50ରନ ଦେଇଥିଲେ  ଓ ରେଷ୍ଟ ଅଫ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ୱିକେଟ ନେବାରେ ସଫଳ ହୋଇଥିଲେ।

ଅକ୍ଷୟ କର୍ଣ୍ଣେୱାରଙ୍କ ଏହି ଉଭୟ ହାତରେ ବୋଲିଙ୍ଗ କରୁଥିବାର ଭିଡିଓ ଶେୟାର କରାଯିବା ପରେ ଏହା ଖୁବ ଭାଇରାଲ ହେଉଛି ଓ ସମସ୍ତେ ଏହାର ପ୍ରଶଂସା କରୁଛନ୍ତି ଏବଂ ଭାରତୀୟ କ୍ରିକେଟରେ ପାଇଁ ଆଗାମୀ ଦିନରେ ଷ୍ଟାର ଖେଳାଳୀ ହୋଇପାରନ୍ତି ବୋଲି କୁହାଯାଉଛି।

#cricket #akshaykarnewar #oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon