• padmabati kund

ନେଟ ରିପୋର୍ଟ : ଜାନୁୟାରୀରେ ଜିଓ ଇଣ୍ଟରନେଟ ସ୍ପୀଡ଼ ଏୟାରଟେଲର ଦୁଇଗୁଣ


(ବେତାର ବ୍ୟୁରୋ) ଟେଲିକମ ରେଗୁଲୋଟାରୀ ଅଥରୀଟି  ଅଫ ଇଣ୍ଡିଆ (ଟ୍ରାଇ) ତରଫରୁ ଶୁକ୍ରବାର ଟେଲିକମ ଅପରେଟରଙ୍କର ଜାନୁୟାରୀ ମାସରେ ଥିବା ଡାଉନଲୋଡିଙ୍ଗ ଓ ଅପଲୋଡିଙ୍ଗ ସ୍ପିଡର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ମୁତାବକ ପୁଣି ଥରେ ଡାଉନଲୋଡିଙ୍ଗ ସ୍ପିଡରେ ରିଲାଏନ୍ସ ଜିଓ ଓ ଅପଲୋଡିଙ୍ଗ ସ୍ପିଡରେ ଆଇଡିଆ ଆଗରେ ରହିଛି। ଏହାସହିତ ଡାଉନଲୋଡିଙ୍ଗ ସ୍ପିଡରେ ରିଲାଏନ୍ସ ଜିଓ ଏହାର ପ୍ରତିଦ୍ଵନ୍ଦୀ ଏୟାରଟେଲ ଠାରୁ ଦୁଇଗୁଣ ଆଗରେ ରହିଛି।

ଟ୍ରାଇର ଏହି ରିପୋର୍ଟ ମୁତାବକ ରିଲାଏନ୍ସ ଜିଓର ଡାଉନଲୋଡିଙ୍ଗ ସ୍ପିଡ ଜାନୁୟାରୀ ମାସରେ 18.8Mbps ରହିଛି ଯାହାକି ଏୟାରଟେଲର ଡାଉନଲୋଡିଙ୍ଗ ସ୍ପିଡ (9.5Mbps)ର ପାଖାପାଖି ଦୁଇଗୁଣ ଅଟେ। ଡିସେମ୍ବର ମାସରେ ଜିଓର ଡାଉନଲୋଡିଙ୍ଗ ସ୍ପିଡ 18.7Mbps ରହିଥିଲା। ସେହିପରି ଆଇଡିଆର ଅପଲୋଡିଙ୍ଗ ସ୍ପିଡ ଜାନୁୟାରୀ ମାସରେ 5.8Mbps ରହିଛି ଯାହାକି ଡିସେମ୍ବର ମାସରେ 5.3Mbps ରହିଥିଲା।

ଇଣ୍ଟରନେଟ ଡାଟାକୁ ବ୍ୟବହାର କରି ଭିଡିଓ ଦେଖିବା, ଇଣ୍ଟରନେଟରେ ବ୍ରାଉଜିଙ୍ଗ କରିବା, ଇମେଲ ବ୍ୟବହାର କରିବା ପାଇଁ ଡାଉନଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ। ଅନ୍ୟପଟେ ଫଟୋ, ଭିଡିଓ, କିମ୍ବା କୌଣସି ଦସ୍ତାବିଜକୁ ଶେୟାର କରିବା ପାଇଁ ଅପଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ।

ଟ୍ରାଇ ତରଫରୁ ପ୍ରକାଶ କରାଯାଇଥିବା ଏହି ତାଲିକା ଅନୁସାରେ ଜାନୁୟାରୀ 2019ରେ 18.8Mbps ଡାଉନଲୋଡିଙ୍ଗ ସ୍ପିଡ ସହିତ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି। ଦ୍ଵିତୀୟ ସ୍ଥାନରେ ଭାରତୀ ଏୟାରଟେଲ (9.5Mbps), ତୃତୀୟ ସ୍ଥାନରେ ଭୋଡଫୋନ (6.7Mbps) ଓ ଚତୁର୍ଥ ସ୍ଥାନରେ ଆଇଡିଆ (5.5Mbps) ରହିଛି।

ସେହିପରି ଅପଲୋଡିଙ୍ଗ ସ୍ପିଡ ମାମଲାରେ ଆଇଡିଆ 5.8Mbps ସହିତ ଶୀର୍ଷରେ ରହିଛି। ଦ୍ଵିତୀୟ ସ୍ଥାନରେ ଭୋଡାଫୋନ (5.4Mbps), ତୃତୀୟ ସ୍ଥାନରେ ରିଲାଏନ୍ସ ଜିଓ (4.4Mbps) ଓ ଚତୁର୍ଥ ସ୍ଥାନରେ ଭାରତୀ ଏୟାରଟେଲ (3.8Mbps) ରହିଛି।

ଏୟାରଟେଲର ଡାଉନଲୋଡିଙ୍ଗ ସ୍ପିଡ କମିଲା

ଜାନୁୟାରୀ ମାସରେ ଭାରତୀ ଏୟାରଟେଲର ଡାଉନଲୋଡିଙ୍ଗ ସ୍ପିଡରେ  ତଳକୁ ଖସିଛି। ଡିସେମ୍ବର ମାସରେ ଏହାର ସ୍ପିଡ 9.8Mbps ରହିଥିବା  ବେଳେ ଜାନୁୟାରୀରେ ଏହା 9.5Mbpsରେ ପହଞ୍ଚିଛି। ଏହାସହିତ ଆଇଡିଆର ଡାଉନଲୋଡିଙ୍ଗ ସ୍ପିଡ ମଧ୍ୟ କମ ହୋଇଛି। ଡିସେମ୍ବରରେ ଏହା 6Mbps ଥିବା ବେଳେ ଜାନୁୟାରୀରେ 5.5Mbpsରେ ପହଞ୍ଚିଛି। କିନ୍ତୁ ଭୋଡଫୋନର ଡାଉନଲୋଡିଙ୍ଗ ସ୍ପିଡ ଡିସେମ୍ବରରେ 6.3Mbps ରହିଥିବା ବେଳେ ଜାନୁୟାରୀରେ ଏହା 6.7Mbpsକୁ ବୃଦ୍ଧି ପାଇଛି।

କେବଳ ଡାଉନଲୋଡିଙ୍ଗ ସ୍ପିଡ ନୁହେଁ ଏୟାରଟେଲର ଅପଲୋଡିଙ୍ଗ ସ୍ପିଡ ମଧ୍ୟ କମ ହୋଇଛି। ଡିସେମ୍ବର ମାସରେ ଏୟାରଟେଲର ଅପଲୋଡିଙ୍ଗ ସ୍ପିଡ 4Mbps ରହିଥିବେ ବେଳେ ଜାନୁୟାରୀରେ ଏହା 3.8Mbpsରେ ପହଞ୍ଚିଛି। କିନ୍ତୁ ଅନ୍ୟ ତିନୋଟି ଅପରେଟରଙ୍କର ଅପଲୋଡିଙ୍ଗ ସ୍ପିଡ ବୃଦ୍ଧି ପାଇଛି। ରିଲାଏନ୍ସ ଜିଓର ଅପଲୋଡିଙ୍ଗ ସ୍ପିଡ 4.3Mbpsରୁ 4.4Mbpsକୁ, ଭୋଡଫୋନର 5.1Mbpsରୁ 5.4Mbpsକୁ ଓ ଆଇଡିଆର 5.3Mbpsରୁ 5.8Mbpsକୁ ବୃଦ୍ଧି ପାଇଛି।

#TRAI #downloadingspeed #uploadingspeed #jio

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon