• ବେତାର ବ୍ୟୁରୋ

ଚଳିତ ଆଇଏଏସ ପରୀକ୍ଷାରେ ସବର୍ଣ୍ଣ କୋଟା ଲାଗୁ,90 ପଦବୀ ସବର୍ଣ୍ଣଙ୍କ ପାଇଁ ସଂରକ୍ଷିତ


(ବେତାର ବ୍ୟୁରୋ) କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ତରଫରୁ ସିଭିଲ ସର୍ଭିସ ପରୀକ୍ଷା 2019 ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଫେବୃୟାରୀ 19 ତାରିଖରୁ ଆରମ୍ଭ ହୋଇସାରିଛି ଓ ଆସନ୍ତା ମାର୍ଚ୍ଚ 18 ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିପାରିବେ। ତେବେ ଚଳିତ ବର୍ଷ ଏହି ପରୀକ୍ଷାରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ନିକଟରେ ବ୍ୟବସ୍ଥା କରିଥିବା 10% ଗରିବ ସବର୍ଣ୍ଣ କୋଟା ଲାଗୁ କରାଯାଇଛି ଓ ପ୍ରାୟ 90ଟି ପଦବୀ ଗରିବ ଉଚ୍ଚ ଜାତିର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି।

ଚଳିତବର୍ଷ ୟୁପିଏସସି ତରଫରୁ ମୋଟ 896ଟି ପଦରେ IAS, IFS, IRS ଏହିଭଳି ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ଗତବର୍ଷ ୟୁପିଏସସି ତରଫରୁ 783ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଳ୍ପ ଅଧିକ ପଦବୀ ପ୍ରକାଶ ପାଇଛି। ତେବେ ଚଳିତବର୍ଷ ପ୍ରକାଶ ପାଇଥିବା ପଦବୀ ସଂଖ୍ୟାରେ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହୋଇପାରେ। 

ଚଳିତ ବର୍ଷ ଠାରୁ ଏହି 10% ସଂରକ୍ଷଣ କୋଟାକୁ  ପ୍ରଥମ ଥର ଲାଗୁକରାଯିବ। ଏହି ସବର୍ଣ୍ଣ ବର୍ଗରେ ସେହି ପ୍ରାର୍ଥୀଙ୍କୁ ଗଣାଯିବ ଯେଉଁ ପ୍ରାର୍ଥୀଙ୍କର ପରିବାରର ବାର୍ଷିକ ଆୟ 8ଲକ୍ଷରୁ କମ ହୋଇଥିବ, 5ଏକରରୁ କମ ଚାଷ ଜମି ଥିବ, ବାସଭବନର ଆକାର ୧୦୦୦ ବର୍ଗଫୁଟରୁ କମ୍‌ ହୋଇଥିବ, ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୧୦୦ ଗଜରୁ କମ୍‌ ଓ ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ୍‌ ହୋଇଥିବ।

ୟୁପିଏସସି ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଯେଉଁ ପ୍ରାର୍ଥୀମାନେ ଏହି ସବର୍ଣ୍ଣ ବର୍ଗର ଅନ୍ତର୍ଭୁକ୍ତ ସେମାନେ ଅନଲାଇନରେ ଆବେଦନ କରିବା ସମୟରେ ନିଜେ ଆୟ ପ୍ରମାଣପତ୍ର ସାଙ୍ଗରେ ଦେବାକୁ ପଡିବ।  

ପରୀକ୍ଷା ତାରିଖ

ସିଭିଲ ସର୍ଭିସ ପରୀକ୍ଷା (CSE) 2019ର ପ୍ରିଲିମିନାରି ପରୀକ୍ଷା ଆସନ୍ତା ଜୁନ ମାସ 2 ତାରିଖରେ ଅନୁଷ୍ଠିତ ହେବ। ମେନ୍ ପରୀକ୍ଷା ସେପ୍ଟେମ୍ବର 20ରେ ଅନୁଷ୍ଠିତ ହେବ। ତେବେ IFS ପଦ ପାଇଁ ମେନ୍ ପରୀକ୍ଷା ଡିସେମ୍ବର 2 ତାରିଖରେ ଅନୁଷ୍ଠିତ ହେବ ।

ଶିକ୍ଷାଗତ ଯୋଗ୍ୟତା

ଏହି  ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ କିମ୍ବା ଗ୍ରାଜୁଏସନ ସ୍ତରର କୋର୍ସରେ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଅବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହାକୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ କିମ୍ବା SBIର କୌଣସି ଶାଖାକୁ ଯାଇ ପଇଠ କରିପାରିବେ।  

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ UPSCର ଅଫିସିଆଲ ୱେବସାଇଟ upsconline.nic.in ରେ ଲଗଇନ କରନ୍ତୁ। ଏହାପରେ ONLINE APPLICATION FOR VARIOUS EXAMINATIONS OF UPSC ଲିଙ୍କ୍ ଉପରେ କ୍ଲିକ କରନ୍ତୁ। ଏହାପରେ Click Here for PART I ଅପ୍ସନ ଉପରେ କ୍ଲିକ କରନ୍ତୁ। ସମସ୍ତ ତଥ୍ୟ ଭଲ ଭାବରେ ପଢିବା ପରେ YES ଉପରେ କ୍ଲିକ କରନ୍ତୁ। ଏହାପରେ ଆବେଦନ ଫର୍ମରେ ଥିବା ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରନ୍ତୁ ଓ ଆବେଦନ ଫି’ ପଇଠ କରନ୍ତୁ। ଏହାସହିତ ନିଜ ଫଟୋ, ଦସ୍ତଖତ ଓ ପରିଚୟ ପତ୍ରକୁ ସ୍କାନ କରି ଅପଲୋଡ କରିବାକୁ ପଡିବ।    

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ UPSCର ଅଫିସିଆଲ ୱେବସାଇଟ upsconline.nic.in ରେ ଲଗଇନ କରନ୍ତୁ।

#jobs #UPSC #GovtJob #Reservation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon