• padmabati kund

ଏବେଠୁ ପୋଲିସ, ଅଗ୍ନିଶମ ପାଇଁ  ଗୋଟିଏ ନମ୍ବର  '112’


(ବେତାର ବ୍ୟୁରୋ) ସର୍ବଭାରତୀୟ ସ୍ତରରେ ସମସ୍ତ ପ୍ରକାରରର ଜରୁରୀକାଳୀନ ସହାୟତା ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଗୋଟିଏ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ମଙ୍ଗଳବାର ଗୃହମନ୍ତ୍ରୀ ରଜନାଥ ସିଂହ ଏହି ହେଲ୍ପଲାଇନ ନମ୍ବର ‘112’ ର ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି।

ପୂର୍ବରୁ ପ୍ରଚଳିତ ପୋଲିସ ସହାୟତା ପାଇଁ 100, ଅଗ୍ନିଶମ ସେବା ପାଇଁ 101 ଓ ମହିଳାଙ୍କ ସହାୟତା ପାଇଁ 1090 ନମ୍ବରର ସମ୍ମିଶ୍ରଣରେ ଏହି ନୂଆ ହେଲ୍ପଲାଇନ ନମ୍ବର ‘112’କୁ ଜାରି କରାଯାଇଛି। ଭିନ୍ନ ଭିନ୍ନ ସହାୟତା ପାଇଁ ଅଲଗା ଅଲଗା ନମ୍ବର ଥିବାରୁ ସବୁ ନମ୍ବରକୁ ମନେ ରଖିବା ପାଇଁ ସାଧାରଣ ଲୋକଙ୍କୁ ଅସୁବିଧା ହୋଇଥାଏ। ଏଥିପାଇଁ ସବୁ ନମ୍ବରର ସମ୍ମିଶ୍ରଣରେ ଏହି ଗୋଟିଏ ନମ୍ବରକୁ ଜାରି କରାଯାଇଛି। ଭବିଷ୍ୟତରେ ସ୍ୱାସ୍ଥ୍ୟ ସହାୟତା ଓ ଆମ୍ବୁଲାନ୍ସ ପାଇଁ ଜାରି ହୋଇଥିବା 108କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ନମ୍ବରକୁ ଯେଉଁ 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାରି କରାଯାଇଛି ସେଗୁଡିକ ହେଉଛି, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜରାଟ, ଜାମ୍ମୁ-କାଶ୍ମୀର, ପୁଡୁଚେରୀ, ଲାକ୍ଷାଦ୍ଵୀପ, ଆଣ୍ଡାମାନ, ଦାଦ୍ରା ଓ ନଗରହାବେଳି, ଡାମନ ଓ ଡିଉ। ପୂର୍ବରୁ ଏହି ହେଲ୍ପଲାଇନ ନମ୍ବର ‘112’ ହିମାଚଳପ୍ରଦେଶ ଓ ନାଗାଲାଣ୍ଡରେ କାର୍ଯ୍ୟକାରୀ ହୋଇସାରିଛି। ଖୁବ ଶୀଘ୍ର ଏହା ସାରା ଦେଶରେ ଜାରିହେବ।  

ଜରୁରୀକାଳୀନ ପରିସ୍ଥିତିରେ ସହାୟତା ପାଇବା ପାଇଁ ବ୍ୟକ୍ତିଙ୍କୁ ନିଜ ମୋବାଇଲରୁ ‘112’ ଡାଏଲ କରିବାକୁ ପଡିବ କିମ୍ବା ସ୍ମାର୍ଟଫୋନର ପାୱାର ବଟମକୁ ଖୁବଶୀଘ୍ର ତିନିଥର ଚିପିବାକୁ ପଡିବ। ଏହାଦ୍ଵାରା ‘ପ୍ୟାନିକ କଲ’ ବା ଜରୁରୀକାଳୀନ ସୂଚନା ମିଳିପାରିବ। ସାଧାରଣ ଫୋନରେ 5 ଓ 9 ଟାଇପ କରିବା ପରେ ‘ପ୍ୟାନିକ କଲ’ କାର୍ଯ୍ୟକ୍ଷମ ହେବ। ଏହାସହିତ ଲୋକମାନେ ‘112’ ଆପ୍ ମଧ୍ୟ ଡାଉନଲୋଡ  କରିପାରିବେ।

ଦଶ ଜଣଙ୍କ ପାଖରେ ପହଞ୍ଚିବ ସୂଚନା

ଏହି ଆପ୍ ଡାଉନଲୋଡ କରିବା ପରେ ଏଥିରେ ନିଜର 10ଜଣ ବନ୍ଧୁ ବା ପରିବାର ବର୍ଗଙ୍କର ନମ୍ବରକୁ ଯୋଡି ପାରିବେ। ଏହାପରେ ଯେତେବେଳେ ଆପଣ 112କୁ କଲ କରିବେ ସେହି ସମୟରେ ଉକ୍ତ 10ଜଣଙ୍କ ପାଖକୁ ମଧ୍ୟ ସୂଚନା ପହଞ୍ଚିବ ଏହି ଆପ୍ ଜିପିଏସ ଓ ମୋବାଇଲ ଅପରେଟରଙ୍କ ଟାୱାର ଜରିଆରେ ନମ୍ବର ଡାଏଲ କରିଥିବା ବ୍ୟକ୍ତିଙ୍କର ଲୋକେସନ ଜଣାଇ ପାରିବ।

ଏହାସହିତ ଏହି ଆପରେ ଯେଉଁମାନେ ନିଜକୁ ସ୍ଵୟଂସେବକ ଭାବରେ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି ସେମାନେ ପଞ୍ଜୀକୃତ କରିପାରିବେ। କୌଣସି ବ୍ୟକ୍ତି 112କୁ କଲ କରିବା ପରେ ପୋଲିସ ସହିତ ନିକଟସ୍ଥ ସ୍ଵୟଂସେବକଙ୍କ ପାଖକୁ ମଧ୍ୟ ସୂଚନା ପହଞ୍ଚିବ।

ଇମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ବା ERSS ବ୍ୟବସ୍ଥାକ୍ରମେ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଉଦ୍ୟମ ହୋଇଛି ବୋଲି ସ୍ଵରାଷ୍ଟ୍ରମନ୍ତ୍ରୀ ରଜନାଥ ସିଂହ କହିଛନ୍ତି। ଆମେରିକାରେ ପ୍ରଚଳିତ ‘911’ ପରି ଏହି ଏକକ ହେଲ୍ପଲାଇନ ନମ୍ବର କାମ କରିବ।

#helplinenumber #112 #emergencyhelplinenumber

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon