• padmabati kund

ପୁଲୱ୍ୱାମା ପ୍ରତିକ୍ରିୟା : ସଲମାନଙ୍କ ଫିଲ୍ମରୁ ହଟିଲା ପାକିସ୍ଥାନୀ ଗାୟକଙ୍କ ଗୀତ


(ବେତାର ବ୍ୟୁରୋ) ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସୈନିକ ଶହୀଦ ହେବା ପରେ ସାରା ଦେଶରେ ପାକିସ୍ଥାନ ବିରୁଦ୍ଧରେ ସ୍ଵର ଉଠିଛି। ବଲିଉଡ ଇଣ୍ଡଷ୍ଟ୍ରୀରେ ମଧ୍ୟ ପାକିସ୍ଥାନୀ କଳାକାର ଓ ଗାୟକଙ୍କ ପ୍ରତି କଡା ପଦକ୍ଷେପ ନିଆଯାଇଛି। ଭାରତୀୟ ସିନେମାରେ ପାକିସ୍ଥାନୀ କଳାକାରଙ୍କ କାମ କରିବାକୁ ବ୍ୟାନ କରାଯିବା ପରେ ବଲିଉଡ ଷ୍ଟାର ସଲମାନ ଖାନ ନିଜର ଆଗାମୀ ଫିଲ୍ମ ‘ନୋଟବୁକ’ରୁ ପାକିସ୍ଥାନୀ ଗାୟକ ଅତିଫ ଅସଲାମ ଗାଇଥିବା ଗୀତକୁ ହଟାଇ ଦିଆଯାଇଛି।

ବଲିଉଡ ଖବର ପ୍ରକାଶ କରୁଥିବା ୱେବସାଇଟ ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ପୁଲୱାମା ଆତଙ୍କବଦୀ ଆକ୍ରମଣ ପରେ ସଲମାନ ଖାନ ଫିଲ୍ମ୍ସ ବ୍ୟନାରରେ ରିଲିଜ ହେବାକୁ ଥିବା ଫିଲ୍ମ ‘ନୋଟବୁକ’ରୁ ପାକିସ୍ଥାନୀ ଗାୟକ ଅତିଫ ଅସଲାମଙ୍କ ଗୀତ ହଟାଇବା ପାଇଁ ନିଜର ପ୍ରଡକ୍ସନ ହାଉସକୁ ନିର୍ଦ୍ଦେଶ ଦେଇଛନ୍ତି।

ଅତିଫ ଅସଲାମଙ୍କ ଗୀତକୁ ହଟାଯିବା ପରେ କେଉଁ ଗାୟକ ଏହାକୁ ଗାଇବେ ସେନେଇ ସୂଚନା ଦିଆ ଯାଇନଥିଲେ ମଧ୍ୟ ସଲମାନ ଖାନ ନିଜେ ଏହି ଗୀତକୁ ଗାଇପାରନ୍ତି ବୋଲି ସୂଚନା ମିଳିଛି। ସଲମାନ ଖାନଙ୍କ ତରଫରୁ ଏନେଇ କିଛି ସୂଚନା ମିଳିନାହିଁ। ଏହାପୂର୍ବରୁ ମଧ୍ୟ ସଲମାନ ଗୀତ ଗାଇ ସାରିଛନ୍ତି।

ଡେକାନ କ୍ରୋନିକିଲରେ ପ୍ରକାଶିତ ରିପୋର୍ଟ ମୁତାବକ, ସଲମାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଭାରତ’ରେ ଏକ ପାକିସ୍ଥାନୀ ଗାୟକ ଗାଇଥିବା ଗୀତକୁ ମଧ୍ୟ ହଟାଇ ଦିଆଯିବ। ଫିଲ୍ମରୁ ପାକିସ୍ଥାନୀ ଗାୟକଙ୍କର ଗୀତକୁ କଟା ନଗଲେ ଫିଲ୍ମକୁ ବୟକଟ କରାଯିବ ବୋଲି ଫ୍ୟାନମାନେ ଧମକ ଦେଇଥିଲେ।

ଗତ ଫେବୃୟାରୀ 16 ତାରିଖରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ଦ୍ଵାରା ମ୍ୟୁଜିକ କମ୍ପାନୀ ଗୁଡିକୁ ପାକିସ୍ଥାନୀ ଗାୟକଙ୍କ ସହିତ କାମ ନକରିବାକୁ ନେଇ ଚେତାବନୀ ଦିଆଯିବା ପରେ, ଟି-ସିରିଜ ତରଫରୁ ଅତିଫ ଅସଲାମଙ୍କ ଗୀତ ‘ବାରିସେଁ’କୁ ତାଲିକାରୁ କାଢି ଦିଆଯାଇଛି।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ (AICWA) ତରଫରୁ ପାକିସ୍ଥାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। AICWA ତରଫରୁ ଏଥିପାଇଁ ଘୋଷଣା ପତ୍ର ଜାରି କରି କୁହାଯାଇଥିଲା ଯେ, ବ୍ୟାନ ହେବା ପରେ ଯଦି କୌଣସି ସଂଗଠନ ପାକିସ୍ଥାନୀ କଳାକାରଙ୍କ ସହିତ କାମ କରେ ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ପାକିସ୍ଥାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ବ୍ୟାନ କରାଯିବ ସହିତ ବଲିଉଡ ଷ୍ଟାର ମାନେ ପାକିସ୍ଥାନରେ ନିଜର ଆଗାମୀ ଫିଲ୍ମ ରିଲିଜ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଅଜୟ ଦେବଗନ, ଅନିଲ କପୁର, ମଧୁରୀ ଦୀକ୍ଷିତଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ପାକିସ୍ଥାନରେ ରିଲିଜ ହେବ ନାହିଁ। ଏହାସହିତ ତିଗ୍ମାଂଶୁ ଧୂଳିଆଙ୍କର ଆଗାମୀ ଫିଲ୍ମ ‘ମିଲନ ଟକିଜ’ ଓ ଦିନେଶ ଭିଜନଙ୍କ ପ୍ରଯୋଜିତ ଫିଲ୍ମ ‘ଲୁକାଛୁପି’, ‘ଅର୍ଜୁନ ପଟିଆଲା’ ମଧ୍ୟ ପାକିସ୍ଥାନରେ ରିଲିଜ କରାଯିବ ନାହିଁ।

#entertainment #bollywoood #salmankhan #atifaslam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon