- padmabati kund
‘କେଶରୀ’ ଟ୍ରେଲର :ଅକ୍ଷୟ କୁମାରଙ୍କ ଶିଖ୍ ସୈନ୍ୟ ବେଶ ଆକର୍ଷଣୀୟ

(ବେତାର ବ୍ୟୁରୋ) ଦେଶର ସୁରକ୍ଷା ପାଇଁ ସୈନିକ ମାନେ ନିଜ ଜୀବନ ଦେଇ ଆସୁଛନ୍ତି। ନିକଟରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶପାଇଁ 40ରୁ ଅଧିକ ସୈନିକ ସହିଦ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ବଲିଉଡରେ ମଧ୍ୟ ଦେଶ ଭକ୍ତିର କାହାଣୀ ଦେଖିବାକୁ ମିଳିବ । ବଲିଉଡ ଅଭିନେତା ଅକ୍ଷୟ କୁମାର ଭାରତୀୟ ବୀର ସୈନିକ କାହାଣୀକୁ ନେଇ 2019ରେ ନିଜର ପ୍ରଥମ ଫିଲ୍ମ ‘କେଶରୀ’ ପରଦାକୁ ଆଣିବାକୁ ଯାଉଛନ୍ତି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଯାଇଛି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ଅକ୍ଷୟ କୁମାର ଗୁରୁବାର ଦିନ ନିଜ ଟ୍ଵିଟର ଆକାଉଣ୍ଟରେ ଶେୟାର କରିଛନ୍ତି । 3 ମିନିଟର ଏହି ଟ୍ରେଲରରେ ଭାରତୀୟ ସୈନିକଙ୍କ ସାହସିକତା ଓ ଦେଶପ୍ରେମ ଦେଖିବାକୁ ମିଳିଛି। ଏହାସହିତ ଅକ୍ଷୟ କୁମାରଙ୍କ ଆକ୍ସନ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିପାରିଛି।
ଟ୍ରେଲରର ଆରମ୍ଭରେ ଆଫଗାନିସ୍ଥାନୀଙ୍କ ଆକ୍ରମଣର ଦୃଶ୍ୟ ରହିଛି। ଏହାପରରେ ଅକ୍ଷୟକୁମାରଙ୍କ ଏକ ଡାଇଲଗ ଶୁଣିବାକୁ ମିଳିଛି। ଅକ୍ଷୟ କୁମାର କହିଛନ୍ତି, “ଜଣେ ଇଂରେଜ ମତେ କହିଥିଲା ଯେ, ତୁ ଜଣେ ଗୁଲାମ ଅଟୁ। ହିନ୍ଦୁସ୍ଥାନରେ ଭୀରୁ ମାନେ ଜନ୍ମ ହୋଇଥାନ୍ତି। ଆଜି ସେମାନଙ୍କୁ ଉତ୍ତର ଦେବାର ସମୟ ଆସିଯାଇଛି।“
ଧର୍ମା ମୁଭିଜରେ ପ୍ରସ୍ତୁତ ଏହି ଫିଲ୍ମ ଏକ ବାସ୍ତବିକ ଓ ଐତିହାସିକ ଘଟଣା ଉପରେ ଆଧାରିତ। 122ବର୍ଷ ପୂର୍ବେ 21ଜଣ ଭାରତୀୟ ସୈନିକ ଦଶ ହଜାର ଆଫଗାନିସ୍ଥାନ ଆକ୍ରମଣକାରୀଙ୍କ ସହିତ ଲଢେଇ କରିଥିଲେ। ସେହି 21ଜଣ ସୈନିକଙ୍କର ବୀରତ୍ଵ କାହାଣୀ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହି ସୈନିକଙ୍କ ମଧ୍ୟରୁ ହାବିଲଦାର ଇଶର ସିଂଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିଛନ୍ତି।
1897 ମସିହା, ସେପ୍ଟେମ୍ବର 12 ତାରିଖରେ ସାରାଗଢୀରେ ହୋଇଥିବା ଏହି ଲଢେଇ, ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଅକ୍ଷୟ ଗତବର୍ଷ ସେପ୍ଟେମ୍ବର 12 ତାରିଖରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଥିଲେ। ଏହାପରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଫିଲ୍ମର ଦ୍ଵିତୀୟ ପୋଷ୍ଟର ରିଲିଜ କରାଯାଇଥିଲା। ଏହି ଦୁଇ ପୋଷ୍ଟରକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ।
ଅନୁରାଗ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘କେଶରୀ’ ଆସନ୍ତା ମାର୍ଚ୍ଚ 21 ତାରିଖରେ ରିଲିଜ କରାଯିବ। ଏଥିରେ ଅକ୍ଷୟ କୁମାରଙ୍କ ସହିତ ପରିଣୀତି ଚୋପ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କରନ ଜୋହରଙ୍କ ପ୍ରଡ଼କ୍ସନ ହାଉସ ଧର୍ମା ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ସୁଟିଙ୍ଗର ଶେଷ ଭାଗ କିଛିଦିନ ତଳେ ଜୟପୁରରେ ଶେଷ କରାଯାଇଛି।
ରୋବଟ 2.0ରେ ରଜନୀକାନ୍ତଙ୍କ ସହିତ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଅକ୍ଷୟଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ। ‘କେଶରୀ’ରେ ମଧ୍ୟ ଅକ୍ଷୟ କୁମାର ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିଛନ୍ତି ଓ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି।