- padmabati kund
ୱାର୍ଲ୍ଡକପରେ ଭାରତ-ପାକିସ୍ଥାନ ମ୍ୟାଚ ଟିକେଟ ପାଇଁ ଆସିଲା 4ଲକ୍ଷ ଆବେଦନ

(ବେତାର ବ୍ୟୁରୋ) ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଗାମୀ ଆଇସିସି ବିଶ୍ଵକପ 2019ରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବିରୋଧ କରାଯାଉଛି। ଆଇସିସି ୱାର୍ଲ୍ଡକପରେ ଜୁନ 16ରେ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଏହି ମ୍ୟାଚକୁ ନେଇ ବେଶ୍ ଉତ୍କଣ୍ଠା ରହିଛି। ଏହି ମ୍ୟାଚ ଦେଖିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଲକ୍ଷରୁ ଅଧିକ ଦର୍ଶକ ଟିକେଟ ପାଇଁ ଆବେଦନ କରିଛନ୍ତି।
ଆଇସିସି ୱାର୍ଲ୍ଡକପ 2019ରେ ଜୁନ16 ତାରିଖରେ ଭାରତ ଓ ପାକିସ୍ଥାନ ମଧ୍ୟରେ ପ୍ରଥମ ମ୍ୟାଚ ରହିଛି। ଏହି ମ୍ୟାଚ ଇଂଲଣ୍ଡର ମାଞ୍ଚେଷ୍ଟରରେ ଥିବା ଓଲ୍ଡ ଷ୍ଟେଫର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମର ଦର୍ଶକ ଖେଳ ଦେଖିବାର କ୍ଷମତା 25,000 ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଲକ୍ଷରୁ ଅଧିକ ଦର୍ଶକ ଟିକେଟ ପାଇଁ ଆବେଦନ କରିଛନ୍ତି।
କ୍ରିକେଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଷ୍ଟିଭ ଏଲବର୍ଥୀ ଲଣ୍ଡନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଭାରତ ଓ ପାକିସ୍ଥାନ ମଧ୍ୟରେ ୱାର୍ଲ୍ଡକପର ଗ୍ରୁପ ଚରଣରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟର ଚାହିଦା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ଓ ଲର୍ଡ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚ ଟିକେଟର ଚାହିଦା ଠାରୁ ବହୁତ ଅଧିକ।
କ୍ରିକେଟ ଖବର ୱେବ୍ସାଇଟ କ୍ରିକଇନଫୋ.ଇନକୁ ଦେଇଥିବା ସାକ୍ଷାତକାରରେ ଷ୍ଟିଭ ଏଲବର୍ଥୀ କହିଛନ୍ତି ଯେ, “ଭାରତ ଓ ପାକିସ୍ଥାନ ହେବାକୁ ଥିବା ମ୍ୟାଚ ଟିକେଟ ପାଇଁ ଚାରିଲକ୍ଷରୁ ଅଧିକ ଦର୍ଶକ ଆବେଦନ କରିଛନ୍ତି, ଯାହାକି ବହୁତ ଅଧିକ ଅଟେ। ଷ୍ଟାଡିୟମରେ ମାତ୍ର 25,000 ଦର୍ଶକ ମ୍ୟାଚ ଦେଖିପାରିବେ। ତେଣୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ପାଇଁ 2ଲକ୍ଷ 30ହଜାରରୁ 2 ଲକ୍ଷ 40ହଜାର ଦର୍ଶକ ଆବେଦନ କରିଥିବା ବେଳେ ଫାଇନାଲ ମ୍ୟାଚ ପାଇଁ 2ଲକ୍ଷ 60 ହଜାରରୁ 2ଲକ୍ଷ 70 ହଜାର ଦର୍ଶକ ଆବେଦନ କରିଛନ୍ତି।“

ତେବେ ୱାର୍ଲ୍ଡକପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ମ୍ୟାଚକୁ ନେଇ ଅନେକ ବିରୋଧ କରାଯାଉଛି। ଭାରତକୁ ପାକିସ୍ଥାନ ବିରୁଦ୍ଧରେ ନ ଖେଳିବା ପାଇଁ ଭାରତର ପୂର୍ବତନ ଖେଳାଳୀ ହରଭଜନ ସିଂ କହିଥିବା ବେଳେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ ବୋଲି ଆଇସିସି ଉପରେ ଚାପ ପକାଇବା ପାଇଁ କୁହାଯାଉଛି।
ତେବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି ଯେ, “ଏହା 10ଟି ଦଳର ବିଶ୍ଵକପ ଅଟେ। ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ଖେଳିବ। ଭାରତ ବିନା ବିଶ୍ଵକପ ମ୍ୟାଚ ଆଇସିସି ପାଇଁ ବହୁତ କଠିନ ହେବ। ତେବେ ଏଥିପାଇଁ କଡା ସନ୍ଦେଶ ଦେବାକୁ ପଡିବ। “
ୱାର୍ଲ୍ଡକପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆସନ୍ତା ଫେବୃୟାରୀ 28ରେ ଦୁବାଇରେ ହେବାକୁ ଥିବା ଆଇସିସିର ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।