• padmabati kund

କ୍ୟାବିନେଟ ନିଷ୍ପତ୍ତି : କେଉଁ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହେବେ ଜାଣନ୍ତୁ


(ବେତାର ବ୍ୟୁରୋ) ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଯେଉଁ ସବୁ ଘୋଷଣା କରିଥିଲେ ତାହାକୁ ଶୁକ୍ରବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇନଗତ ମୋହର ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମୋଟ 28ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥି ମଧ୍ୟରେ ସ୍ୱାସ୍ଥ୍ୟବିଭାଗରେ 8ଟି ବଡ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ସଚ୍ଚିବାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟସଚ୍ଚିବ ଆଦିତ୍ୟ ପାଢୀ ସୂଚନା ଦେଇ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବାକୁ କ୍ୟାବିନେଟ ଅନୁମତି ଦିଆଯାଇଛି। ଏହାଦ୍ୱାରା ୬ଟି ସର୍ଭିସ କ୍ୟାଡରରେ ଥିବା ୮୧୯୫ଜଣ ଠିକା କର୍ମଚାରୀ ଉପକୃତ ହୋଇଛନ୍ତି। ଯେଉଁମାନେ ଅତିକମରେ ୬ବର୍ଷ କାମ କରିଥିବେ ସେମାନେ ନିୟମିତ ସରକାରୀ କର୍ମଚାରୀ ହେବେ। ଏହି ନିଷ୍ପତ୍ତିରେ ସର୍ବାଧିକ ୩୯୯୮ଜଣ ଷ୍ଟାଫନର୍ସ,୨୭୦୦ ଏଏନଏମ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଏହାସହିତ ‘ପଶୁଧନ ନିରୀକ୍ଷକ’ ପଦବୀରେ ଏଣିକି ୪୦ ପ୍ରତିଶତ ପଦବୀ ‘ଗୋ-ମିତ୍ର’ଙ୍କ ପାଇଁ ସଂରକ୍ଷିତ ରହିବ। ହୋମିଓପ୍ୟାଥି କଲେଜରେ ଡାକ୍ତର ଭାବେ ନିଯୁକ୍ତି ନିମନ୍ତେ ବୟସସୀମାକୁ କୋହଳ କରାଯାଇଛି। ପୂର୍ବରୁ ଏହା 32ବର୍ଷ ଥିବା ବେଳେ ବର୍ତ୍ତମାନ ଏହାକୁ ୪୦ବର୍ଷକୁ ବୃଦ୍ଧି କରାଯାଇଛି।ଏହାଦ୍ୱାରା ଖାଲି ପଦ ପୂରଣ ହୋଇଯିବ।

ସେହିପରି ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା କ୍ୟାଡରର କର୍ମଚାରୀଙ୍କ ପାଇଁ ନୂଆ କମନ୍ କ୍ୟାଡର ରୁଲକୁ ଏହି କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାଡର ପୁନର୍ଗଠନ ଅନୁଯାୟୀ କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ), ବରିଷ୍ଠ ସହାୟକ ଓ ଉପବିଭାଗ ଅଧିକାରୀ ଏବଂ ପ୍ରତିଷ୍ଠାନ ଅଧିକାରୀ, ବରିଷ୍ଠ ସହାୟକ ଓ ଉପବିଭାଗର ଅଧିକାରୀ ଭାବେ ଜଣାଯିବେ। ଏହିପରି ଭାବରେ ଏଥିରେ ଅଧିକ ୭୮ଟି ନୂଆ ସିନିୟର ଏଷ୍ଟାବ୍ଲିଶମେଣ୍ଟ ଅଫିସର ପଦବୀ ସୃଷ୍ଟି ହୋଇଛି।

ମହିଳାଙ୍କୁ ସ୍ମାର୍ଟଫୋନ

ଏହାବ୍ୟତୀତ ‘ମିଶନ ଶକ୍ତି’ରେ ମହିଳାଙ୍କୁ ସ୍ମାର୍ଟ ଫୋନ୍, ବିନା ସୁଧରେ ମହିଳା ଏସଏଚଜିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜୀବିକା ନିର୍ବାହ ଓ ମାର୍କେଟିଂ ପାଇଁ ଅର୍ଥ ବରାଦ ସହ ‘କାଳିଆ’ ଯୋଜନାରେ ଛାତ୍ରବୃତ୍ତି, ରାତିରେ ‘ଆହାର’, ସ୍କୁଲ ଛାତ୍ରୀଙ୍କ ପାଇଁ ‘ଖୁସି’ ଆଦି ଭଳି ପୁରୁଣା ଘୋଷଣା ଉପରେ ଆବଶ୍ୟକ ଥିବା ଆଇନଗତ ମୋହର ଲଗାଇଛନ୍ତି। 

‘ଖୁସି’ ଯୋଜନାରେ ସରକାର ରାଜ୍ୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୧୭.୨୫ଲକ୍ଷ ଛାତ୍ରୀଙ୍କୁ ପ୍ରତିମାସରେ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ଏହି ସୁବିଧା ପାଇବେ। ଏଥିପାଇଁ ୫ବର୍ଷରେ ୪୬୬କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଗତବର୍ଷ କରିଥିଲେ,ଯାହାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଲା।

#cabinetdecission #naveenpattanayak #Odisha #govtjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon