• padmabati kund

ଏଣିକି ହ୍ଵାଟସଅପରେ ଆପତ୍ତିଜନକ ମେସେଜ ବିରୁଦ୍ଧରେ ସରକାରଙ୍କୁ ପଠାଇହେବ ଅଭିଯୋଗ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ  ଆପ୍ ହ୍ଵାଟସଅପର ଚାହିଦା ବହୁତ ମାତ୍ରାରେ ବଢିଯାଇଛି। ପ୍ରାୟ ସମସ୍ତେ ଏହାର ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଖୁବ ସହଜରେ ଓ ଶୀଘ୍ର ଲୋକମାନଙ୍କୁ ମେସେଜ ପଠାଯାଇ ପାରୁଛି। ଏହାବ୍ୟତୀତ ଏହି ହ୍ଵାଟସଅପ ଆପର ଅପବ୍ୟବହାର ମଧ୍ୟ ବଢିବାରେ ଲାଗିଛି। ହ୍ଵାଟସଅପ ମଧ୍ୟମରେ ମିଥ୍ୟା ଗୁଜବ ପ୍ରଚାର କରିବା ସହିତ ଲୋକମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ମଧ୍ୟ କରାଯାଉଛି। ଯଦି ଆପଣଙ୍କୁ ମଧ୍ୟ ଏମିତି ହ୍ଵାଟସଅପରେ ଆପତ୍ତିଜନକ ମେସେଜ ତେବେ ଏହା ବିଷୟରେ ଆପଣ ଡିପାର୍ଟମେଣ୍ଟ ଅଫ ଟେଲିକମ (DOT)ରେ ଅଭିଯୋଗ କରିପାରିବେ।

ସରକାରଙ୍କ ତରଫରୁ ଏହି ନୂଆ ସୁବିଧାର ଆରମ୍ଭ କରାଯାଇଛି। DOTର କଣ୍ଟ୍ରୋଲର କମ୍ୟୁନିକେସନ୍ସ ଆଶୀଷ ଯୋଶୀ ଶୁକ୍ରବାର ଏହି ସମ୍ପର୍କରେ ଟ୍ଵିଟକରି କହିଛନ୍ତି ଯେ, ହ୍ଵାଟସଅପରେ ଆସୁଥିବା ଆପତ୍ତିଜନକ ମେସେଜ ବିରୁଦ୍ଧରେ ଏବେ ଲୋକମାନେ ଦୂରସଞ୍ଚାର ବିଭାଗ ପାଖରେ ଅଭିଯୋଗ କରିପାରିବେ। ଏଥିପାଇଁ ସେହି ମୋବାଇଲ ନମ୍ବର ସହିତ ଉକ୍ତ ମେସେଜର ସ୍କ୍ରିନଶଟ ନେଇ ccaddn-dot@nic.in ରେ ଇମେଲ କରିବାକୁ ପଡିବ।

ଏହାପରେ DOT ତରଫରୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ଟେଲିକମ କମ୍ପାନୀ ଓ ପୋଲିସ ପ୍ରମୁଖଙ୍କ ସହିତ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।   

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସୋସିଆଲ ମିଡିଆ ଓ ହ୍ଵାଟସଅପରେ ଅପମାନଜନକ ଓ ଆପତ୍ତିଜନକ ମେସେଜର ସଂଖ୍ୟା ବହୁଳ ମାତ୍ରାରେ ବଢି ଯାଇଛି। ଅନେକ ସାମ୍ବାଦିକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅପମାନଜନକ ଓ ଧମକପୂର୍ଣ୍ଣ ମେସେଜ ଆସୁଥିବାର ଅଭିଯୋଗ କରିବା ପରେ ଏହି  ପଦକ୍ଷେପ  ନିଆଯାଇଛି।

DOT  ତରଫରୁ ଗତ ଫେବୃୟାରେ 19 ତାରିଖରେ ଏକ ଆଦେଶରେ କୁହାଯାଇଥିଲା ଯେ, ଲାଇସେନ୍ସର ସର୍ତ୍ତ  ମୁତାବକ ନେଟୱର୍କ ଉପରେ ଆପତ୍ତିଜନକ, ଅଶ୍ଳୀଳ, ଅନଧିକୃତ ଓ କୌଣସି ଅନ୍ୟ ପ୍ରକାରରେ ଭୁଲ ମେସେଜ ପଠାଇବା ଉପରେ ପ୍ରତିବନ୍ଧ ଲଗାଯାଇଛି। ଏହି ଆଦେଶରେ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କୁ ଆପତ୍ତିଜନକ ମେସେଜ ପଠାଉଥିବା ଗ୍ରାହକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଏହା ଗ୍ରାହକ ଆବେଦନ ଫର୍ମରେ କରାଯାଇଥିବା ଘୋଷଣାର ଉଲ୍ଲଙ୍ଘନ ଅଟେ।

ସୂଚନା ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ତରଫରୁ ହ୍ଵାଟସଅପରେ ମିଥ୍ୟା ଓ ଆପତ୍ତିଜନକ ମେସେଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଗରୁ ଅନେକ ଥର କୁହାଯାଇଛି। ମାତ୍ର ଦୂରସଞ୍ଚାର ବିଭାଗ ହେଲ୍ପଲାଇନ ଭାବରେ ଇମେଲ ଆଇଡି ଜାରି କରି ନାଗରିକଙ୍କ ହିତ ପାଇଁ ବଡ ପଦକ୍ଷେପ ନେଇଛି।  

#whatsapp #DOT

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon