• padmabati kund

ସଲମାନ ଖାନ ପ୍ରଯୋଜନା କରିବେ ‘ନଚବଲିୟେ ସିଜିନ ୯’ !


(ବେତାର ବ୍ୟୁରୋ) ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟ ଓ ପ୍ରଯୋଜନାର ଜାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ପରେ ସଲମାନ ଖାନଙ୍କ ନଜର ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରୀ ଉପରେ ରହିଛି। ଟେଲିଭିଜନ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ୱିଥ କପିଳ ଶର୍ମା’କୁ ସଲମାନ ଖାନଙ୍କ ପ୍ରଡ଼କ୍ସନ ହାଉସ ଦ୍ଵାରା ଲଞ୍ଚ କରାଯିବା ପରେ, ଷ୍ଟାରପ୍ଲସର ଲୋକପ୍ରିୟ ଡ୍ୟାନ୍ସିଙ୍ଗ ରିଆଲିଟି ଶୋ’ ‘ନଚବଲିୟେ ସିଜିନ୯’କୁ ସଲମାନ ଖାନ ପ୍ରଯୋଜନା କରିବେ।

ଦୀର୍ଘ ସମୟର ବ୍ୟବଧାନ ପରେ ଏହି ଟିଭି ରିଆଲିଟି ଶୋ’ ‘ନଚବଲିୟେ’ ଟିଭି ପରଦାକୁ ଫେରିବାକୁ ଯାଉଛି। ଗତ ବର୍ଷ ଏହି ରିଆଲିଟି ଶୋ’ ଦେଖିବାକୁ ମିଳିନଥିଲା। ସଲମାନ ଖାନ ଏହାର ପ୍ରଯୋଜନା କରିବେ ବୋଲି ଖବର ପ୍ରସାର ହେବା ପରେ ଅନ୍ୟ ଏକ ଖବର ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ସଲମାନ ଖାନଙ୍କ ସହିତ କାଟ୍ରିନା କୈଫ ଏକାଠି କାମ କରିପାରନ୍ତି। ସଲମାନ ଖାନ ଶୋ’ର ପ୍ରଯୋଜନା ଦେଉଥିବା ବେଳେ କାଟ୍ରିନା ଏଥିରେ ଜଜ ଭୂମିକାରେ ନଜର ଆସିପାରନ୍ତି।

ଏହାସହିତ ଏହି ସିଜିନ ପାଇଁ ଯେଉଁ ଯୋଡି ମାନଙ୍କୁ ପ୍ରସ୍ତାବ ଦିଆଯାଇଛି, ସେମାନଙ୍କ ମଧ୍ୟରେ ରହିଛନ୍ତି, ରୋଡିଜ 10ର ବରୁଣ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଦିବ୍ୟା ଅଗ୍ରୱାଲ, ଟେଲି ଅଭିନେତ୍ରୀ ହୀନା ଖାନ ଓ ତାଙ୍କ ବୟଫ୍ରେଣ୍ଡ ରକି, ଗତବର୍ଷ ବିବାହ କରିଥିବା ରୁବିନା ଦୈଲିକ ଓ ଅଭିନବ ଶୁକ୍ଲା, ବିଗବସ ୧୨ର ପ୍ରତିଯୋଗୀ ଶ୍ରୀସନ୍ଥ ଓ ତାଙ୍କ ପତ୍ନୀ ଭୁବନେଶ୍ଵରୀ, ଗୌତମ ରୋଡେ ଓ ତାଙ୍କ ପତ୍ନୀ ପଙ୍ଖୁଡି, ଦ୍ରଷ୍ଟି  ଧାମି ଓ ତାଙ୍କ ପତି ନୀରଜ ଖେମକା। ତେବେ ଏମାନଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।

ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଗତ ସିଜିନ ଗୁଡିକରେ ଟେଲିଭିଜନ ଦୁନିଆର ଲୋକପ୍ରିୟ ଯୋଡିଙ୍କୁ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ସିଜିନରେ ବ୍ରେକଅପ ହୋଇଥିବା ଯୋଡିଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଖଣ୍ଡନ କରାଯାଇଛି।

 ‘ନଚବଲିୟେ’ର ଶେଷ ସିଜିନ ୨୦୧୭ରେ ପ୍ରସାରିତ ହୋଇଥିଲା। ଏହି ସିଜିନରେ ଦିବ୍ୟଙ୍କା ତ୍ରିପାଠୀ ବିଜେତା ହୋଇଥିଲେ। ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ଏହି ଶୋ’ର ପ୍ରଥମ ସିଜିନରେ ସଚିନ ଓ ସୁପ୍ରିୟା ବିଜେତା ହୋଇଥିଲେ। ଏହାପରେ ହୁସେନ-ଟିନା , ସଞ୍ଜିଦା ଶେଖ-ଅମିର ଅଲ୍ଲୀ, ଶାଲିନ ଭନୋଟ-ଦଲଜିତ କୌର, ଜୟ ଭାନୁଶାଳି-ମାହି ବିଜ,ରିଥଭିକ ଧାନଜାନି-ଆଶା ନେଗୀ, ହିମାଂଶୁ ମଲାହୋତ୍ରା-ଅମୃତା ବିଜୟୀ ହୋଇଛନ୍ତି।  

ଟେଲିଭିଜନ ଦୁନିଆରେ ସଲମାନ ଖାନଙ୍କ ଏହା ଲଗାତର ତୃତୀୟ ପ୍ରୋଜେକ୍ଟ ଅଟେ। ଏହାପୂର୍ବରୁ ସେ ‘କପିଳ ଶର୍ମା ଶୋ’ ଓ ‘ଗାମା ପେହେଲୱାନ’ର ପ୍ରସ୍ତୁତି କରିଛନ୍ତି। ‘ଗାମା ପେହେଲୱାନ’ରେ ସଲମାନ ଖାନଙ୍କ ଭାଇ ସୋହେଲ ଖାନ ଅଭିନୟ କରିଛନ୍ତି।

୨୦୧୪ରୁ ସଲମାନ ଖାନ ଏହି ପ୍ରଯୋଜନାରେ ପାଦ ଦେଇଛନ୍ତି। ସଲମାନ ଖାନ ଫିଲ୍ମ୍ସ (SKF) ୨୦୧୪ରୁ ସକ୍ରିୟ ରହିଛି। ଏହି ବ୍ୟାନରରେ ୨୦୧୫ରେ ବଜାରଙ୍ଗୀ ଭାଇଜାନ, ହିରୋ, ୨୦୧୭ରେ ଟ୍ୟୁବଲାଇଟ, ୨୦୧୮ରେ ରେସ୩, ଲଭୟାତ୍ରୀ ପ୍ରସ୍ତୁତ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ଦୁଇଟି ଫିଲ୍ମ ଯଥା ‘ଭାରତ’ ଓ ‘ନୋଟବୁକ’ ପ୍ରସ୍ତୁତ କରାଯାଉଛି।   

#entertainment #bollywood #salamankhan #nachbaliye

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon