• ବେତାର ବ୍ୟୁରୋ

ଭାରତୀୟ ବାୟୁସେନାର ବମ୍ ବର୍ଷା ପରେ ପାକିସ୍ତାନର ଜବାବ : କିଛି କ୍ଷତି ହୋଇନି


(ବେତାର ବ୍ୟୁରୋ) ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଭାରତୀୟ ବାୟୁସେନା ତରଫରୁ ଏହାର ପ୍ରତିଶୋଧ ନିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି। ତେବେ ଏହି ଆକ୍ରମଣରେ ପାକିସ୍ତାନର 200 ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳୁଥିବା ବେଳେ ପାକିସ୍ତାନରେ କିଛି କ୍ଷତି ହୋଇନାହିଁ ବୋଲି ଏହାର ସେନା ମୁଖପାତ୍ର କହିଛନ୍ତି।

ପାକିସ୍ତାନୀ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଏକ ଟ୍ୱିଟରେ କହିଛନ୍ତି ଯେ, “ଭାରତୀୟ ବାୟୁ ସେନା ଲାଇନ ଅଫ କଣ୍ଟ୍ରୋଲ ଅତିକ୍ରମ କରିଥିଲେ ମଧ୍ୟ ପାକିସ୍ତାନୀ ବାୟୁ ସେନା ଜାଗ୍ରତ ଥିବାରୁ ବମ ଗୁଡିକ ଖୋଲା ସ୍ଥାନରେ ପକାଇ ପଳାଇଛନ୍ତି।“

ଏହାପରେ ଅନ୍ୟଏକ ଟ୍ଵିଟ କରି ସେ କହିଛନ୍ତି ଯେ, “ଭାରତୀୟ ବାୟୁସେନା ମୁଜାଫରାବାଦ ସେକ୍ଟରରେ ପଶିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପାକିସ୍ଥାନ ଏୟାରଫୋର୍ସ ତରଫରୁ କଡା ଜବାବ ଦିଆଯାଇଥିଲା। ଏହାପରେ ସେମାନେ ବାଲାକୋଟ ଆଡକୁ ଫେରିଯାଇଥିଲେ ଓ ସେହି ସମୟରେ ବମ୍ ଗୁଡିକୁ ସେଠାରେ ପକାଇ ପଳାଇଥିଲେ । କୌଣସି ପ୍ରକାର କ୍ଷତି ହୋଇନାହିଁ।“ ଏହାସହିତ ସେ ଆକ୍ରମଣ ହୋଇଥିବା ସ୍ଥାନ ଗୁଡିକର ଫଟୋ ମଧ୍ୟ ଶେୟାର କରିଛନ୍ତି।

ସୂଚନା ମୁତାବକ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକାଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଆଜି ଭୋର୍ ପ୍ରାୟ ୩.୩୦ରୁ ବାୟୁ ସେନା ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା। ୧୨ଟି ମିରାଜ୍‌ ୨୦୦୦ ଯୁଦ୍ଧ ବିମାନରେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ବିମାନ ଆକ୍ରମଣ ପରେ ପାକିସ୍ତାନ ଏହାର ଲଢୁଆ ବିମାନକୁ ଲଢିବା ପାଇଁ ପଠାଇଥିଲା । ହେଲେ ସେମାନଙ୍କର ଆକଳନ ଭୁଲ ଥିଲା। ପାକିସ୍ତାନୀ ବାୟୁସେନା ଅଳ୍ପ ସଂଖ୍ୟକ JF17 ବିମାନ ପଠାଇଥିବା ବେଳେ ଏତେ ସଂଖ୍ୟକ ମିରାଜ ବିମାନ ତାଙ୍କ ଆକାଶରେ ଉଡୁଥିବା ଦେଖି କୌଣସି ପାଲଟା ଜବାବ ନ ଦେଇ ପରି ଫେରିଯାଇଥିଲେ । ତେବେ ସେମାନଙ୍କ ତରଫରୁ ଏକ ଡ୍ରୋନକୁ ମଙ୍ଗଳବାର ଭୋର ସମୟରେ ଗୁଜୁରାଟର ଭାରତୀୟ ସୀମାରେ ଛଡ଼ାଯାଇଥିବା ବେଳେ ଭାରତୀୟ ସେନା ଏହାକୁ ମାରି ଧ୍ଵଂସ କରିଦେଇଥିବାର ଖବର ମିଳିଛି ।

21 ମିନିଟ ବମ୍ ବର୍ଷା

ଭାରତୀୟ ବାୟୁସେନା ସକାଳ ପ୍ରାୟ 3.45ଘଣ୍ଟାରେ ବାଲାକୋଟ ଉପରେ ଆକ୍ରମଣ କରିଥିଲା, ଏହାପରେ 3.48ଘଣ୍ଟାରେ ମୁଜାଫରାବାଦ୍ ଓ 3.58ଘଣ୍ଟାରେ ଚୋକିଟୋରେ ଆକ୍ରମଣ କରିଥିଲା। ପ୍ରାୟ 21ମିନିଟ ଧରି ପିଓକେ ଉପରେ ଏହି ବମ୍ ବର୍ଷା କରାଯାଇଥିଲା।

ଏହି ଆକ୍ରମଣରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଶିବିର ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ମୁଜାଫରବାଦ୍‌ରେ ଜୈଶ଼-ଇ-ମହମ୍ମଦର କ୍ୟାମ୍ପ ଧ୍ୱଂସ ହୋଇଥିବା ବେଳେ ବାଲକୋଟ୍ ଓ ଚକୋଟିରେ ଲଶ୍କର-ଇ-ତୋଇବା ଓ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଶିବିର ନଷ୍ଟ ହୋଇଛି। ତେବେ ଏନେଇ ବାୟୁସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବାୟୁସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ସବିଶେଷ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବଦୀ ଆକ୍ରମଣରେ 40ରୁ ଅଧିକ ସୈନିକ ସହିଦ ହେବାପରେ ଶତ୍ରୁ ରାଷ୍ଟ୍ର ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ।

#india #pakisthan #LOC #kashmir

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon