- ବେତାର ବ୍ୟୁରୋ
କ୍ୟାବିନେଟ ନିଷ୍ପତ୍ତି : ଶିକ୍ଷକ,ଡାକ୍ତର ଓ ଯନ୍ତ୍ରୀଙ୍କୁ ଉପହାର

(ବେତାର ବ୍ୟୁରୋ) ନିର୍ବାଚନ ପୂର୍ବରୁ ଓଡ଼ିଶାର ଶିକ୍ଷକ, ଡାକ୍ତର ଓ ଯନ୍ତ୍ରୀ ପ୍ରଭୃତି ସରକାରୀ କର୍ମଚାରୀଙ୍କୁ ଆକର୍ଷିତ କରିବାକୁ ନବୀନ ପଟ୍ଟନାୟକ ସରକାର ଅନେକ ଗୁଡିଏ ନିଷ୍ପତ୍ତି ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ନେଇଛନ୍ତି। ଆସନ୍ତୁ ଜାଣିବା ସେଗୁଡିକ କଣ।
ଶିକ୍ଷକ
ଏ ସମସ୍ତ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କ୍ୟାବିନେଟ ବୈଠକ ପରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡର ପୁନର୍ବିନ୍ୟାସ କରାଯାଇଛି। ଯାହା ଫଳରେ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ନିଯୁକ୍ତି କାଳରେ ଅନ୍ୟୂନ ୩ଟି ଯଥା ବରିଷ୍ଠ ଶିକ୍ଷକ, ସ୍ନାତକ(ଗ୍ରାଜୁଏଟ୍) ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇପାରିବେ।
ଏଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ପଦବି ସୃଷ୍ଟି କରାଯିବା ସହିତ ପ୍ରଧାନ ଶିକ୍ଷକ ପଦବି ସଂଖ୍ୟା ମଧ୍ୟ ବହୁ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଫଳରେ ରାଜ୍ୟର ପ୍ରାୟ ୭୨୫୬୩ଜଣ ପ୍ରାଥମିକ ଶିକ୍ଷକ ଅବିଳମ୍ବେ ଉପକୃତ ହେବେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଏହି ସୁବିଧା ପାଇପାରିବେ। ଏହି କ୍ୟାଡର ପୁନର୍ଗଠନ ପାଇଁ ଆବଶ୍ୟକ ସଂଶୋଧନ ଅଣାଯାଇଛି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗେର କାର୍ଯ୍ୟରତ ଶିକ୍ଷାଧିକାରୀଙ୍କ ପାଇଁ ଓଡ଼ିଶା ଶିକ୍ଷା ସେବା(ବିଦ୍ୟାଳୟ)ର ପୁନର୍ବିନ୍ୟାସ କରାଯାଇଛି।
ଏହାସହିତ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟର +୨ କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ଟିଚର(ପିଜିଟି) ରହିବେ। ସେମାନଙ୍କୁ ଓଡ଼ିଶା ଲୋକସେବା କମିସନ ନିଯୁକ୍ତି କରିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଆଣିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି।
ଡାକ୍ତର
ସେହିପରି ପ୍ରତି ୭ ବର୍ଷରେ ଡାକ୍ତରଙ୍କୁ ନିଶ୍ଚିତ ପଦୋନ୍ନତି ମିଳିବ । ଓଡ଼ିଶା ଡାକ୍ତରୀ ଓ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ଗତିଶୀଳ ନିଶ୍ଚିତ ବୃତ୍ତି କ୍ରମୋନ୍ନତି ଯୋଜନା ବା ଡିଏସିପି ଲାଗୁ କରିବାକୁ ସ୍ଵାସ୍ଥ୍ୟ ବିଭାଗ ଆଣିଥିବା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଡାକ୍ତରୀ ସେବା କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୭ ବର୍ଷ, ୧୪ ବର୍ଷ ଓ ୨୧ ବର୍ଷରେ ଅବିରତ କାର୍ଯ୍ୟ ସମ୍ପାଦନ ପରେ ୩ଟି ସ୍ତରରେ ନିଶ୍ଚିତ ପଦୋନ୍ନତି ମିଳିବ।
ବର୍ତ୍ତମାନ ପ୍ରଚଳିତ ଥିବା ଓଡ଼ିଶା ଡାକ୍ତରୀ ଓ ସ୍ଵାସ୍ଥ୍ୟସେବା (ଚୟନ ପ୍ରବିଧି ଓ ସେବାସର୍ତ୍ତ) ନିୟମାବଳୀ,୨୦୧୭ ଅନୁସାରେ ଜଣେ କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତରଙ୍କୁ ବରିଷ୍ଠ-କ ବର୍ଗ ପାହ୍ୟାକୁ ପଦୋନ୍ନତି ନିମନ୍ତେ ନିରବଚ୍ଛିନ୍ନ ଭାବେ ୬ ବର୍ଷ କାର୍ଯ୍ୟ କରିବାକୁ ପଡ଼ୁଛି। ସେହିପରି ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ବରିଷ୍ଠ-କ ବର୍ଗ ଡାକ୍ତଙ୍କୁ ୧୦ବର୍ଷ କାର୍ଯ୍ୟ ସମ୍ପାଦନ କରିବାର ନିୟମ ରହିଛି। ଏବେ କ୍ୟାବିନେଟ୍ ସଂଶୋଧନ ପରେ ସେସବୁ ପଦବୀରେ ସ୍ଥାନ ଖାଲିଥାଉ କି ନଥାଉ ପ୍ରତି ୭ ବର୍ଷ ଅନ୍ତରରେ ଜଣେ ଡାକ୍ତରଙ୍କୁ ପଦୋନ୍ନତି ମିଳିପାରିବ।
ଯନ୍ତ୍ରୀ
ଏହାବ୍ୟତୀତ ଜଳ ସଂପଦ, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରାୟ ୩୧୩୦ ଯନ୍ତ୍ରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଇଞ୍ଜିନିୟରିଂ କ୍ୟାଡରର ପୁନର୍ବିନ୍ୟାସ ହୋଇଛି। ଖାଦ୍ୟ ଯୋଗାଣ ବିଭାଗ ଅଧୀନରେ ଥିବା ୫୧ଟି ଯୋଗାଣ ନିରୀକ୍ଷକ ଓ ୨୫ଟି ସହକାରୀ ଯୋଗାଣ ଅଧିକାରୀ(ସିଏସ୍ଓ) ପଦବି ବିଲୋପ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଆଣିଥିବା ଆଇସିଟି ନୀତି ଏବଂ ଇଏସ୍ଡିଏମ୍ ଶିଳ୍ପରେ ପରିବର୍ତ୍ତନ ପ୍ରସ୍ତାବ ଅନୁମୋଦିତ ହୋଇଛି।