- padmabati kund
ଗୋଟିଏ ଦିନରେ ବଦଳିଲା ପାକିସ୍ତାନ ସ୍ଵର ; ଶୁକ୍ରବାର ମୁକ୍ତ ହେବେ ଭାରତୀୟ ପାଇଲଟ

(ବେତାର ବ୍ୟୁରୋ) ବୁଧବାର ଏକ ଟେଲିଭିଜନ ସନ୍ଦେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଏକ ପାଇଲଟ ପାକିସ୍ତାନ କବଳରେ ଥିବା କହିଥିବା ବେଳେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ କି ନାହିଁ ସେ ବିଷୟରେ କିଛି କହି ନ ଥିଲେ । ତେବେ ଏହାର ଠିକ ଗୋଟିଏ ଦିନ ପରେ ପାକିସ୍ତାନୀ ସଂସଦର ସଂଯୁକ୍ତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ,ଶାନ୍ତିର ସଂକେତ ଦେଇ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଶୁକ୍ରବାର ଛାଡି ଦିଆଯିବ ସେ ପୁଣି ବିନା କୌଣସି ସର୍ତ୍ତରେ।
ଯେହେତୁ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପାଇଁ ପାକିସ୍ତାନରେ ବିମାନ ସେବାକୁ ବନ୍ଦ କରିଦିଆଯାଇଛି , ସେଥିପାଇଁ ଉକ୍ତ ପାଇଲଟଙ୍କୁ ସ୍ଥଳଭାଗରେ ଅଣାଯାଇ ୱାଘା ବର୍ଡର/ସୀମାନ୍ତ ଗେଟ ପାଖେ ଛଡାଯିବା । ତେବେ ପାକିସ୍ତାନ ସେନା ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବ ବୋଲି ଜଣା ପଡିଛି ।
ଏହାସହିତ ଇମ୍ରାନ ଖାନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଗକୁ ଆଉ ଲଢେଇ ଚାହୁଁନାହୁଁ। ଏଥିପାଇଁ ମୁଁ କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ଆମର ଏହି ପ୍ରୟାସକୁ ଆମର ଦୁର୍ବଳତା ବୋଲି ଭାବିବେ ନାହିଁ।

ଆମେରିକା ଚାପ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ସମୟରେ ଭାରତ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଓ ଆମେରିକାର ଚାପ ଆଗରେ ପାକିସ୍ତାନ ସରକାର ତଥା ଏହାର ସେନା ସ୍ଵର ବଦଳାଇବାକୁ ବାଧ୍ୟ ହେଇଛି । ଗୁରୁବାର ପୂର୍ବାହ୍ନରେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଥିଲେ," ଆମେ ଭାରତ-ପାକିସ୍ତାନ ଘଟଣାରେ ସକ୍ରିୟ ଭୂମିକାରେ ଅଛୁ । ଆଜି ଏକ ଠିକଣା ଖବର ମିଳିପାରେ ।"
ସେବେଠାରୁ ଅଟକଳ ଲଗାଯାଉଥିଲା କି ହୁଏତ ପାକିସ୍ତାନ ପକ୍ଷରୁ କିଛି ଘୋଷଣା ହେଇପାରେ । ଏହକ ଦେଖିବାକୁ ମଧ୍ୟ ମିଳିଥିଲା ପାକିସ୍ତାନରେ । ଇମ୍ରାନ ଖାନ ସଂସଦରେ ଏହି ଘୋଷଣା କରିବା ଆଗରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ଏ ବିଷୟରେ କହିଥିଲେ ଯେ, ଯଦି ପାଇଲଟ (ୱିଙ୍ଗ କମାଣ୍ଡର ଅଭିନନ୍ଦନ)ଙ୍କୁ ଫେରେଇଦେଲେ ଶାନ୍ତି ସ୍ଥାପନ ହେବ ତେବେ ପାକିସ୍ତାନ ଏହି ପ୍ରସ୍ତାବରେ ରାଜି ଅଛି। ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ତେବେ ଏହାର ଉତ୍ତରରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ, ପାଇଲଟ ତୁରନ୍ତ ଛାଡି ଦିଅନ୍ତୁ, ଏଥିରେ କୌଣସି ମୂଲଚାଲ କରିବାର ପ୍ରଶ୍ନ ଉଠୁ ନାହିଁ।
ତେଣୁ ପାକିସ୍ତାନ ନିଃସର୍ତ୍ତରେ ପାଇଲଟ ଫେରାଇବା ପଛରେ ଆମେରିକାର ଚାପ ରହିଛି ବୋଲି ଭାରତ-ପାକିସ୍ତାନ ପରିସ୍ଥିତି ଉପରେ ନଜର ରଖିଥିବା ଅନେକ ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ବୁଧବାର ଦିନ ପାକିସ୍ତାନର ବିମାନ ସୀମା ଅତିକ୍ରମ କରି ଭାରତର ସୀମା ମଧ୍ୟରେ ପଶିଥିବା ସମୟରେ ଭାରତୀୟ ସେନା ତରଫରୁ କଡା ଜବାବ ଦିଆଯାଇଥିଲା। ଏଥିରେ ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାସ୍ୟୁଟ ମାଧ୍ୟମରେ ଏହି ପାଇଲଟ ଅବତରଣ କରିଥିଲେ । କିନ୍ତୁ ସେ ପାକିସ୍ତାନ ମାଟିରେ ପଡିଯାଇଥିଲେ। ଏହାପରେ ପାକିସ୍ତାନୀ ସେନା ତୁରନ୍ତ ପାଇଲଟ ଅଭିନନ୍ଦନଙ୍କୁ ଗିରଫ କରି ନେଇଥିଲେ।

ଶତ୍ରୁ ପକ୍ଷ ହାତରେ ଧରାପଡିବା ପରେ ମଧ୍ୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ। ପାକିସ୍ତାନୀ ସେନା ଆଗରେ ଟିକେବି ହଡବଡେଇ ନଥିଲେ କି ହତାଶ ହୋଇ ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ପାକିସ୍ତାନ ଆଗରେ ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ।
#indianpiolotabhinandan #pakisthan #imramkhan #bringbackabhinandan