• ବେତାର ବ୍ୟୁରୋ

ରାଜ୍ୟରେ 50% ବୃଦ୍ଧି ପାଇବ ଡିପ୍ଲୋମା କୋର୍ସ ଫି’


(ବେତାର ବ୍ୟୁରୋ) ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଶିକ୍ଷାନୁଷ୍ଠାନ ଗୁଡିକରେ ଆସନ୍ତା ଶିକ୍ଷାବର୍ଷ ଠାରୁ ଡିପ୍ଲୋମା ପାଠ୍ୟକ୍ରମ ପାଇଁ କୋର୍ସ ଫି’ ମହଙ୍ଗା ହେବ। ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ଏହି ନାମଲେଖା ଫି’ ବୃଦ୍ଧି ଉପରେ ସମୀକ୍ଷା କରିବା ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ତରଫରୁ ନିଷ୍ପତ୍ତି ନେଇଛି। ଏନେଇ ଖୁବଶୀଘ୍ର ଏକ ସମୀକ୍ଷା ବୈଠକ ବସିବ। ଉଭୟ ସରକାରୀ ଓ ଘରୋଇ ବୈଷୟିକ କଲେଜ ଗୁଡିକରେ କୋର୍ସ ଫି’ କେତେ ଲେଖାଏଁ ବଢିବ ତାହା ଧାର୍ଯ୍ୟ କରାଯିବ।

ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କୋର୍ସ ଫି’ 40ହଜାରରୁ 45ହଜାରକୁ ବୃଦ୍ଧି କରିବାକୁ ଦାବି ହେଉଛି। ସେହିପରି ସରକାରୀ ଅନୁଷ୍ଠାନ ଗୁଡିକରେ କୋର୍ସ ଫି’ କେତେ ବୃଦ୍ଧି ପାଇବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପ୍ରାୟ 50% ବଢିବ ବୋଲି ଆଶା କରାଯାଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ସ୍କୁଲଗୁଡିକରେ କୋର୍ସ ଫି’କୁ ନେଇ ଅନେକ ବିବାଦ ସୃଷ୍ଟି ହେଉଛି। ସରକାରୀ ଅନୁଷ୍ଠାନ ଗୁଡିକରେ କୋର୍ସ  ଫି’ ସର୍ବନିମ୍ନ ରହିଛି। ଅପର ପକ୍ଷରେ ଘରୋଇ ସ୍କୁଲ ଗୁଡିକରେ କୋର୍ସଫି’ ବୃଦ୍ଧି ହେଉନାହିଁ ଓ ଏହାଦ୍ଵାରା ଘରୋଇ କଲେଜ କର୍ତ୍ତୃପକ୍ଷ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ ହେଉଛି।

ରାଜ୍ୟରେ ଥିବା 35ଟି ସରକାରୀ କଲେଜ ଗୁଡିକରେ ମୋଟ 8ହଜାର ସିଟ ପୂରଣ ହେବା ପରେ ଘରୋଇ ସ୍କୁଲରେ 85%ରୁ ଅଧିକ ସିଟ୍ ଖାଲି  ପଡୁଛି। ରାଜ୍ୟରେ ଥିବା 89ଟି ଘରୋଇ ଇଂଜିନିୟରିଙ୍ଗ କଲେଜ ସିଟ୍ ସଂଖ୍ୟା ପ୍ରାୟ 37,440। ସରକାରୀ ଡିପ୍ଲୋମା ଶିକ୍ଷାନୁଷ୍ଠାନର କୋର୍ସ  ଫି’ ଲାଗି 2013 ମସିହାରେ 5,500 ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ 2015ରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ 26,500 ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଚଳିତ ବର୍ଷ ଖାଲିସିଟ୍ ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଛି। ରାଜଧାନୀ ଭୁବନେଶ୍ଵର ତଥା ଆଖପାଖ ଅଞ୍ଚଳରେ ଥିବା ପ୍ରାୟ 8ଟି  ଘରୋଇ ଇଞ୍ଜିନିୟରିଙ୍ଗ କଲେଜରେ ବହୁତ ସିଟ୍  ଖାଲି ପଡିଛି। ରାଜ୍ୟରେ ଥିବା ଘରୋଇ ବୈଷୟିକ ସ୍କୁଲ ଗୁଡିକରେ ଭିତ୍ତିଭୂମିକୁ ଯାଞ୍ଚ କରି କୋର୍ସ ଫି’ ଧାର୍ଯ୍ୟ କରାଯିବ ଆବଶ୍ୟକ ବୋଲି ଘରୋଇ କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ଘରୋଇ ଡିପ୍ଲୋମା କଲେଜର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସରକାରୀ ଓ ଘରୋଇ କଲେଜ ମଧ୍ୟରେ ଥିବା କୋର୍ସ ଫି’ ପାଇଁ ସମସ୍ୟା ହେଉଛି, କାରଣ ଘରୋଇ କଲେଜକୁ ସରକାର କୌଣସି ଅନୁଦାନ ଦେଉନାହାନ୍ତି। ଭିତ୍ତିଭୂମି ଠାରୁ ଆରମ୍ଭ କରି ଅଧ୍ୟାପକଙ୍କ ଦରମା, ଆନୁଷଙ୍ଗିକ ବ୍ୟବସ୍ଥା ଆଦି ଯୋଗାଇଦେବା ବାବଦରେ ବହୁ ଅର୍ଥ ବ୍ୟୟ ହୋଇଥାଏ। ଘରୋଇ କଲେଜରେ ପ୍ରତ୍ୟେକ ଅଧ୍ୟାପକ/ଅଧ୍ୟାପିକାଙ୍କ ଦରମା ମାସକୁ ପ୍ରାୟ 25ହଜାରରୁ ଅଧିକ ରହିଥିବା ବେଳେ ଘରୋଇ କଲେଜର କୋର୍ସ ଫି’ ପ୍ରାୟ 25ହଜାରରୁ 35ହଜାର ମଧ୍ୟରେ

ରହୁଛି।

କଲେଜ ଗୁଡିକର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ଅନୁଯାୟୀ ପିଲାମାନଙ୍କ ଠାରୁ ସେହି ଅନୁପାତରେ ଫି’ ଆଦାୟ ହୋଇଥାଏ। ଏଭଳି ସମସ୍ୟା ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରାଯାଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଘରୋଇ କଲେଜର କର୍ତ୍ତୃପକ୍ଷ କହିଛନ୍ତି।

#eduaction #diplomacorsefee

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon