• padmabati kund

ଭୋଟ ଦେବା ପାଇଁ ଚିରୁକୁଟି ବୈଧ  ନୁହେଁ : ନିର୍ବାଚନ କମିଶନ


(ବେତାର ବ୍ୟୁରୋ) ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନ ମତଦାତାଙ୍କ ଅବଗତି ନିମନ୍ତେ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ଏହି ଇସ୍ତାହାର ଅନୁଯାୟୀ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କ ପାଇଁ କେବଳ ଫଟୋ ଭୋଟର ଚିଠା (ଚିରୁକୁଟି)ବୈଧ ପ୍ରମାଣପତ୍ର ଭାବେ କାର୍ଯ୍ୟ କରିବ ନାହିଁ। ମତଦାନ ପୂର୍ବରୁ ସେମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖେଇବାକୁ ପଡିବ।

ଯଦି ମତଦାତାଙ୍କ ପାଖରେ ଭୋଟର ଫଟୋ ପରିଚୟ ପତ୍ର ନଥାଏ ତେବେ ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ଫଟୋ ଥିବା ଚାକିରୀ କ୍ଷେତ୍ରର ପରିଚୟପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ, ପାନ କାର୍ଡ, ଏନପିଆରର ସ୍ମାର୍ଟକାର୍ଡ, ଜବ୍ କାର୍ଡ, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ଵାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଫଟୋଥିବା ପେନସନ ଦସ୍ତାବିଜ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର ଏବଂ ଆଧାରକାର୍ଡ ଆଦି 11ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦସ୍ତାବିଜକୁ ବିକଳ୍ପ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ।

ସେହିପରି ଯେଉଁ ଭୋଟରମାନେ ବିଦେଶରେ ରହୁଛନ୍ତି ସେମାନଙ୍କୁ ମତଦାନ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ଅସଲି ପାସପୋର୍ଟ ଦେଖାଇବାକୁ ପଡିବ। ଭୋଟର ଫଟୋ ପରିଚୟ ପତ୍ରରେ ଥିବା ଲେଖାରେ ଯଦି ସାଧାରଣ ତ୍ରୁଟି ଥାଏ ତେବେ ତାହାକୁ ଗୁରୁତର ସହ ନନେବାକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୁଥରେ ନାମଥିବା ମତଦାତାଙ୍କର ଭୋଟର ଫଟୋ ପରିଚୟ ପତ୍ର ସେହି ନିର୍ବାଚନୀ ମଣ୍ଡଳୀର ନଥାଇ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ହୋଇଥିଲେ ତାହା ସେଠାରେ ପ୍ରମାଣପତ୍ର ଭାବେ କାମ କରିବ। ଭୋଟ ପରିଚୟ ପତ୍ରରେ ଥିବା ଫଟୋ ବା ଅନ୍ୟାନ୍ୟ କାରଣରୁ ମତଦାତାଙ୍କ ପରିଚୟ ଚିହ୍ନଟ ହୋଇନପାରିଲେ ତାଙ୍କୁ ଉପରୋକ୍ତ 11ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡିବ।

ପୂର୍ବରୁ ନିର୍ବାଚନ କମିଶନ ଫଟୋ ଭୋଟର ଚିଠା (ଚିରିକୁଟି)କୁ ଚିହ୍ନଟ ପାଇଁ ଏକ ପ୍ରମାଣ ପତ୍ର ଭାବେ ଗ୍ରହଣ କରୁଥିଲେ। ଏହି ପ୍ରମାଣପତ୍ରର ଦୁରୁପଯୋଗ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ ତରଫରୁ ସ୍ପଷ୍ଟ ଘୋଷଣା କରାଯାଇଛି।

ଏଥିରେ ସୁରକ୍ଷା ସମ୍ପର୍କିତ କୌଣସି ବ୍ୟବସ୍ଥା ନଥିବାରୁ ଚିରିକୁଟି ସହ ଅନ୍ୟ ଏକ ପ୍ରମାଣପତ୍ର ନେବାକୁ କୁହାଯାଇଛି। ପୂର୍ବରୁ ବହୁସଂଖ୍ୟକ ମତଦାତାଙ୍କ ନିକଟରେ ଭୋଟର ଫଟୋ ପରିଚୟ ପତ୍ର ନଥିଲା। ମାତ୍ର ବର୍ତ୍ତମାନ ପ୍ରାୟ 99%ଭୋଟରଙ୍କୁ ଏହା ପ୍ରଦାନ କରାଯାଇଛି। ଏହାବ୍ୟତୀତ ପ୍ରାୟ 99%ଲୋକଙ୍କ ପାଖରେ ଆଧାର କାର୍ଡ ମଧ୍ୟ ରହିଛି। ଭୋଟରଙ୍କୁ ସଚେତନ କରିବା କ୍ଷେତ୍ରରେ ଏହା ବ୍ୟବହାର କରାଯିବ ବୋଲି କମିଶନ ପକ୍ଷରୁ ସୂଚନା ଦିଆଯାଇଛି।

#voter #election #identityproof

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon