• padmabati kund

ବିସିସିଆଇ ଖେଳାଳୀ ଗ୍ରେଡ ତାଲିକା : ରିଷଭଙ୍କୁ ପୁରସ୍କାର, ଧାୱନ ଓ ଭୁବନେଶ୍ଵରଙ୍କୁ ଝଟକା


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ତରଫରୁ 2018-19 ବର୍ଷ ପାଇଁ ଖେଳାଳୀଙ୍କର ନୂତନ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଯୁବ ଖେଳାଳୀ ରିଷଭ ପନ୍ଥଙ୍କୁ 2018ରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ମିଳିଛି। ରିଷଭଙ୍କୁ A ଗ୍ରେଡ ତାଲିକାରେ ସ୍ଥାନ ମିଳିଥିବା ବେଳେ ଶିଖର ଧାୱନ ଓ ଭୁବନେଶ୍ଵର କୁମାରଙ୍କୁ A+ ଗ୍ରେଡ ତାଲିକାରୁ ବାହାର କରାଯାଇଛି।

ଭାରତୀୟ ଦଳର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ 2018ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିରୁଦ୍ଧ ଟେଷ୍ଟ ମ୍ୟାଚରେ ଖୁବ ଭଲ ପ୍ରଦର୍ଶନ କରିଥିଲେ। ଏହାର ଫଳ ସ୍ୱରୂପ ତାଙ୍କୁ ଗ୍ରେଡ Aରେ ସାମିଲ କରାଯାଇଛି। ବିସିସିଆଇର ବାର୍ଷିକ ଚୁକ୍ତି ଅନୁଯାୟୀ ରିଷଭଙ୍କୁ 2018-19ବର୍ଷ ପାଇଁ 5କୋଟି ଟଙ୍କା ଦିଆଯିବ।

ବିସିସିଆଇ ତରଫରୁ ଘୋଷଣା କରାଯାଇଥିବା ଏହି ଚୁକ୍ତି ଅନୁସାରେ ଚଳିତ ବର୍ଷ ଗ୍ରେଡ A+ ତାଲିକାରେ ତିନିଜଣ ଖେଳାଳୀଙ୍କୁ ସାମିଲ କରାଯାଇଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା ଓ ବୋଲର ଜସପ୍ରିତ ବୁମରାହଙ୍କୁ A+ ଗ୍ରେଡରେ ରଖାଯାଇଛି। ଏହି ତିନିଖେଳାଳୀଙ୍କୁ ବାର୍ଷିକ 7କୋଟି ଟଙ୍କା ଲେଖାଏଁ ଦିଆଯିବ।

ଧାୱନ, ଭୁବନେଶ୍ଵରଙ୍କୁ ଝଟକା

ବର୍ତ୍ତମାନ ସମୟରେ ଭଲ ଫର୍ମରେ ନଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ବୋଲର ଭୁବନେଶ୍ଵର କୁମାରଙ୍କୁ ଗ୍ରେଡ A+ ତାଲିକାରୁ ବାହାର କରାଯାଇଛି। ଏହି ଖେଳାଳୀଙ୍କୁ ବର୍ତ୍ତମାନ ଗ୍ରେଡ Aରେ ସ୍ଥାନ ଦିଆଯାଇଛି। ଏହି ଦୁଇ ଖେଳାଳୀଙ୍କ ବ୍ୟତୀତ ଏହି ତାଲିକାରେ ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଯା, ଚେତେଶ୍ଵର ପୁଜାରା, ଅଜିଙ୍କ୍ୟା ରାହାଣେ, ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, କୁଳଦୀପ ଯାଦବ ଓ ରିଷଭ ପନ୍ଥ ରହିଛନ୍ତି। ଏହି ଖେଳାଳୀଙ୍କୁ ବାର୍ଷିକ ପାଞ୍ଚ କୋଟି ଟଙ୍କା ପ୍ରଦାନ କରାଯିବ।

ସେହିପରି ଗ୍ରେଡ Bରେ କେ.ଏଲ. ରାହୁଲ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଳ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଛି। ଏହି ଖେଳାଳୀଙ୍କୁ ବାର୍ଷିକ ତିନିକୋଟି ଟଙ୍କା ଦିଆଯିବ। ଗ୍ରେଡ Cରେ କେଦାର ଯାଦବ, ଦିନେଶ କାର୍ତ୍ତିକ, ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ, ହନୁମା ବିହାରୀ, ଖଲିଲ ଅହମ୍ମଦ ଓ ଋଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି। ଏହି ଖେଳାଳୀଙ୍କୁ ବାର୍ଷିକ ଏକ କୋଟି ଟଙ୍କା ପ୍ରଦାନ କରାଯିବ।

ଭାରତୀୟ ମହିଳା କ୍ରିକେଟ ପାଇଁ ମଧ୍ୟ ଏହି ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ଗ୍ରେଡ A (ବାର୍ଷିକ 50ଲକ୍ଷ ଟଙ୍କା) ମିତାଲି ରାଜ, ହରମନ ପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବ ରହିଛନ୍ତି। ଗ୍ରେଡ B (ବାର୍ଷିକ 30ଲକ୍ଷ ଟଙ୍କା)ରେ ଏକତା ବିଷ୍ଟ, ଝୁଲଣ ଗୋସ୍ଵାମୀ, ଶିଖା ପାଣ୍ଡେ, ଦୀପ୍ତି ଶର୍ମା ଓ ଜେଜିମା ରେଡ୍ରିଗ୍ସ ରହିଛନ୍ତି। ଗ୍ରେଡ C (ବାର୍ଷିକ 10ଲକ୍ଷ ଟଙ୍କା)ରେ ମୋଟ 11ଜଣ ଖେଳାଳୀ ରହିଛନ୍ତି।

#cricket #BCCI #rishabhpanth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon