- padmabati kund
ରାଞ୍ଚି ଦିନିକିଆରେ କୋହଲି କଲେ ଏହି ରେକର୍ଡ

(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ବିରୁଦ୍ଧରେ ତୃତୀୟ ଦିନିକିଆ ମ୍ୟାଚରେ ଭାରତ ହାରିଯାଇଥିଲେ ମଧ୍ୟ ଜଣେ ଅଧିନାୟକ ଭାବରେ କୋହଲି ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି। ଦିନିକିଆ କ୍ରିକେଟର ଇତିହାସରେ ଜଣେ ଅଧିନାୟକ ଭାବରେ ସେ ସବୁଠାରୁ କମ ଇନିଙ୍ଗ୍ସରେ 4000ରନ ସଂପୂର୍ଣ୍ଣ କରିଛନ୍ତି ଓ ଏହି ମାମଲାରେ ସେ ଦକ୍ଷିଣଆଫ୍ରିକାର ବ୍ୟାଟ୍ସମ୍ୟାନ ଏ.ବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି।
ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିବା ସହିତ ଜଣେ ଅଧିନାୟକ ଭାବରେ ଦିନିକିଆ କ୍ରିକେଟରେ ସବୁଠାରୁ କମ ଇନିଙ୍ଗ୍ସରେ ଏହି ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅଧିନାୟକ ଭାବରେ 63ଟି ଇନିଙ୍ଗ୍ସ ଖେଳିଛନ୍ତି ଓ 4000ରୁ ଅଧିକ ରନ କରି ଶୀର୍ଷରେ ରହିଛନ୍ତି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣଆଫ୍ରିକାର ଏ.ବି ଡିଭିଲିୟର୍ସ। ସେ 77ଟି ଦିନିକିଆ ମ୍ୟାଚରେ ଅଧିନାୟକ ଭାବରେ ଖେଳି 4000ରନ ସଂଗ୍ରହ କରିଥିଲେ।
ଏହି ତାଲିକାରେ ତୃତୀୟ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(100ଦିନିକିଆ ମ୍ୟାଚ), ଚତୁର୍ଥରେ ସୌରଭ ଗାଙ୍ଗୁଲି (103ଦିନିକିଆ ମ୍ୟାଚ) ଓ ପଞ୍ଚମରେ ଶ୍ରୀଲଙ୍କାର ସନଥ ଜୟସୁରିୟା (106 ଦିନିକିଆ ମ୍ୟାଚ)ରହିଛନ୍ତି।
କୋହଲିଙ୍କ 41ତମ ଶତକ
ଏହି ପାଞ୍ଚଟିକିଆ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଲଗାତାର ଭାବରେ ସେ ଦ୍ଵିତୀୟ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର 41ତମ ଶତକ ଅଟେ। ଏହାପୂର୍ବରୁ ନାଗପୁରରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ମଧ୍ୟ ସେ ଶତକ ହାସଲ କରିଥିଲେ। ବିରାଟ କୋହଲି ଏହି ମ୍ୟାଚରେ ମୋଟ 95ଟି ବଲ ଖେଳି 123ରନ ସଂଗ୍ରହ କରିଥିଲେ।
ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଷ୍ଟମ ଶତକ
ବିରାଟ କୋହଲି ନିଜର ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ 41ଟି ଶତକ ହାସଲ କରିଛନ୍ତି ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋଟ 8ଟି ଶତକ ଲଗାଇ ସାରିଛନ୍ତି। ଅଷ୍ଟ୍ରେଲିଆ ବିରୁଦ୍ଧରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଭାରତୀୟ ମଧ୍ୟରେ ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତାଲିକାରେ ପ୍ରଥମ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି ଓ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜ କ୍ୟାରିୟରରେ 9ଟି ଶତକ ମାରିଛନ୍ତି।
ଏହାସହିତ ଦିନିକିଆ କ୍ରିକେଟରେ 225ଟି ମ୍ୟାଚ ଖେଳିବା ପରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଖେଳାଳୀଙ୍କ ମଧ୍ୟରେ ବିରାଟ କୋହଲି ଆଗରେ ରହିଛନ୍ତି। 225ଟି ଦିନିକିଆ ମ୍ୟାଚ ଖେଳିବା ପରେ ବିରାଟ କୋହଲି 41ଟି ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଏ.ବି ଡିଭିଲିୟର୍ସ 225ଟି ଦିନିକିଆ ମ୍ୟାଚ ଖେଳିବା ପରେ 25ଟି ଶତକ, ସଚିନ ତେନ୍ଦୁଲକର 23ଟି ଶତକ, ରୋହିତ ଶର୍ମା 22ଟି ଶତକ ଓ ସୌରଭ ଗାଙ୍ଗୁଲୀ 22ଟି ଶତକ ହାସଲ କରିଥିଲେ।
ତେବେ ବିରାଟ କୋହଲି ରାଞ୍ଚିରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ ଭାରତୀୟ ଦଳ ମ୍ୟାଚକୁ ଜିତିବାରେ ବିଫଳ ହୋଇଥିଲା। ବର୍ତ୍ତମାନ ଏହି ସିରିଜରେ ଭାରତ 2-1ରେ ଆଗୁଆ ରହିଛି। ସିରିଜର ଚତୁର୍ଥ ଦିନିକିଆ ଆସନ୍ତା 10ତାରିଖ ମୋହାଲିରେ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ହୋଇ ଭାରତୀୟ ଦଳ ସିରିଜ ଜିତିବାର ଲକ୍ଷ୍ୟ ରଖିବ।